ଜଟଣୀ ଓଭରବ୍ରିଜ୍‌ର ତ୍ରୁଟିପୂର୍ଣ୍ଣ ଡିଜାଇନ୍‌: ଅପାରଗ ଯନ୍ତ୍ରୀଙ୍କ ପାଇଁ ୫ କୋଟି ବରବାଦ୍‌

ଭୁବନେଶ୍ୱର ୨୫/୯: ଜଟଣୀରେ ଓଭରବ୍ରିଜ୍‌ ନିର୍ମାଣ କାମ ୨୦୧୫ରୁ ଆରମ୍ଭ ହୋଇଥିଲା । ଏହା ଭିତରେ ୪ ବର୍ଷ ଗଲାଣି । ହେଲେ କାମ ସରିଛି ମାତ୍ର ୧୦ ପ୍ରତିଶତ । ୨୦୧୭ରେ କିନ୍ତୁ ଓଭରବ୍ରିଜ୍‌ କାମ ସରିବା କଥା । ବ୍ରିଜ୍‌ କେବେ ସରିବ, ତାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଏ ସବୁ ଭିତରେ ଏବେ ସାଂଘାତିକ କଥା ସାମ୍ନାକୁ ଆସିଛି । ଓଭରବ୍ରିଜର ତ୍ରୁଟିପୂର୍ଣ୍ଣ ଡିଜାଇନ୍‌ ପାଇଁ ସରକାରଙ୍କ ୫ କୋଟି ଟଙ୍କା ବରବାଦ୍‌ ହେବାକୁ ଯାଉଛି । ଇଞ୍ଜିନିୟରଙ୍କ ଏହି ଅପାରଗତାକୁ ଧରିଛି ଖୋଦ୍‌ ବିଭାଗୀୟ ଅଡ଼ିଟ୍‌ ।
 

ଓଭରବ୍ରିଜ୍‌ର ପୁରୁଣା ଡିଜାଇନ୍‌ ଅନୁସାରେ, ଖୋର୍ଦ୍ଧାପଟକୁ ଏହା ସୀତାରାମ ଛକରେ ଛୁଇଁଥାନ୍ତା । ଏଇଠୁ ବ୍ରିଜ୍‌ରେ ଓହ୍ଲାଇ ଲୋକେ ସିଧା ଗଲେ ଖୋର୍ଦ୍ଧା ଆଉ ବାମ ପଟକୁ ରେଲୱେ ଷ୍ଟେସନ/ଗୋଲେଇ୍‌ ମାର୍କେଟକୁ ଯାଇଥାନ୍ତେ । ହେଲେ ଓଭରବ୍ରିଜ୍‌ ସୀତାରାମ ଛକରେ ଛିଣ୍ଡିଲେ ଟ୍ରାଫିକ୍‌ ସମସ୍ୟା ଆସିବ । ଏହା ବୁଝି ପାରି ଏବେ ଇଞ୍ଜିନିୟର ବ୍ରିଜ୍‌ର ଡିଜାଇନ୍‌ ବଦଳାଇଛନ୍ତି । ଟ୍ରାଫିକ୍‌ ସମସ୍ୟାର ସମାଧାନ ପାଇଁ ଏବେ ଓଭରବ୍ରିଜ୍‌କୁ ସୀତାରାମ ଛକରେ ନ ଛିଣ୍ଡାଇ ଆନ୍ଧ୍ରବ୍ୟାଙ୍କ ଯାଏଁ ଲମ୍ବାଇଛନ୍ତି । ଏହା ମଧ୍ୟରେ ପାଖାପାଖି ୫ଟି ନୂଆ ସ୍ପାନ୍‌ କରିବାକୁ ହେବ । ଯନ୍ତ୍ରୀଙ୍କ ଦୂରଦୃଷ୍ଟି ଅଭାବ ପାଇଁ ଯୋଗୁଁ ହିଁ ଏ ସମସ୍ୟା ଆସିଲା ।

ଯଦି ସେ ସମୟରେ ଠିକ୍‌ ଭାବେ ସର୍ଭେ କରାଯାଇ ଏଷ୍ଟିମେଟ ହୋଇଥାନ୍ତା ତା ହେଲେ ସରକାରକୁ ୫ କୋଟି ଟଙ୍କା କମ୍‌ ଖର୍ଚ୍ଚ କରିବାକୁ ପଡିଥାନ୍ତା । କାରଣ ଏହା ଭିତରେ ସବୁର ଦାମ୍‌ ବଢିଛି । ହେଲେ ଭୁଲ୍‌ ସର୍ଭେ ଆଉ ଡିଜାଇନ୍‌ ପାଇଁ ସରକାର ଅଧିକ ଖର୍ଚ୍ଚ ମୁଣ୍ଡାଇବେ ଏବେ । ସର୍ଭେ ଆଉ ଡିଜାଇନ୍‌ ସମୟରେ ତତ୍‌କାଳୀନ ଖୋର୍ଦ୍ଧା ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ନିଜେ ଉପସ୍ଥିତ ଥିଲେ । ତଥାପି ସେମାନେ ତ୍ରୁଟିପୂର୍ଣ୍ଣ ଡିଜାଇନ୍‌ ସମ୍ପର୍କରେ ଜାଣି ପାରିଲେନି କେମିତି? ଏ କଥା ଅଡିଟ୍‌ରେ ପ୍ରଶ୍ନ ଉଠିଛି । ଏବେ ନୂଆ ଡିଜାଇନ୍‌ ଅନୁସାରେ ସୀତାରାମ ଛକରେ ଅଣ୍ଡର ପାସ୍‌ କରାଯିବା ସହ ଆନ୍ଧ୍ରବ୍ୟାଙ୍କରୁ ଦୁଇ ପାଶ୍ୱର୍ରେ ସର୍ଭିସ ରୋଡ୍‌ କରାଯିବ । ଦୁଇ ପାଶ୍ୱର୍ରେ ଦୋକାନ ଗୃହ ରହିଥିବାରୁ ଏହାର ଉଚ୍ଛେଦ ହେବା ପରେ ଯାଇ କାମ ଆରମ୍ଭ ହେବ ।
 

୨୦୧୫ ଜାନୁଆରୀ ମାସରେ ସରକାର ଜଟଣୀ ଓଭରବ୍ରିଜ୍‌ ପାଇଁ ୫୪ କୋଟି ୯୮ ଲକ୍ଷ ଟଙ୍କାର ପ୍ରଶାସନିକ ଅନୁମୋଦନ ଦେଇଥିଲେ । ଜୁଲାଇ ୨୦୧୫ରେ ଟେଣ୍ଡର ଜରିଆରେ ପଣ୍ଡା ଇନ୍‌ଫ୍ରା ୩୮ କୋଟି ୩୫ ଲକ୍ଷରେ ଏହାର କାର୍ଯ୍ୟାଦେଶ ପାଇଥିଲା । ଏଗ୍ରିମେଣ୍ଟ ଅନୁସାରେ ୨୦୧୭ ଜୁଲାଇ ସୁଦ୍ଧା ଏହାର କାମ ସରିବା କଥା । ତେବେ ଧିମା କାମ ଯୋଗୁ ୨୦୧୮ ମସିହା ସୁଦ୍ଧା ଠିକାସଂସ୍ଥା ପଣ୍ଡା ଇନ୍‌ଫ୍ରା ମାତ୍ର ୨୮ ପ୍ରତିଶତ କାମ ସାରିପାରିଥିଲା । ତେଣୁ ସରକାର ପଣ୍ଡାଠୁ ବ୍ରିଜ୍‌ କାମ କାଢି ନେଇଥିଲେ । କାର୍ଯ୍ୟାଦେଶ ଏଗ୍ରିମେଣ୍ଟ ସର୍ତ୍ତ ଅନୁସାରେ ଠିକ୍‌ ସମୟରେ କାମ ସାରିନଥିବାରୁ ପଣ୍ଡାଠୁ ୫ କୋଟି ୫୧ ଲକ୍ଷ ଟଙ୍କା ଆଦାୟ କରିବା କଥା । ହେଲେ ଏ ଟଙ୍କା ମଧ୍ୟ ଏ ଯାଏ ପଣ୍ଡା ଇନ୍‌ଫ୍ରାଠୁ ଆଦାୟ କରାଯାଇନି । ଏହାକୁ ନେଇ ମଧ୍ୟ ଅଡିଟ୍‌ ଆପତ୍ତି କରିଛି । ପଣ୍ଡାଠୁ କାହିଁକି ଫାଇନ୍‌ ଟଙ୍କା ଆଦାୟ କରାଯାଇନି ବୋଲି ପ୍ରଶ୍ନ କରିଛି ।
 

ତେବେ ଏ ସବୁ ଭିତରେ କାର୍ଯ୍ୟ ବିଳମ୍ବ ଯୋଗୁଁ ପ୍ରକଳ୍ପ ବ୍ୟୟ ଅଟକଳ ୫୪ କୋଟିରୁ ବଢି ୧୦୨ କୋଟିରେ ପହଞ୍ଚିଛି । କାମ ବିଳମ୍ବ କରୁଥିବାରୁ ପଣ୍ଡା ଇନ୍‌ଫ୍ରାଠୁ କାମ କାଢି ବିରଜା କନ୍‌ଷ୍ଟ୍ରକସନ୍‌କୁ କାମ ଦିଆଯାଇଥିଲେ ମଧ୍ୟ ସେ ଏଯାଏଁ କାମ ଆରମ୍ଭ କରିପାରିନି । ଏଗ୍ରିମେଣ୍ଟ ଅନୁସାରେ ବିରଜା କନଷ୍ଟ୍ରକସନ୍‌ ୨୦୨୦ ସେପ୍ଟେମ୍ବର ମଧ୍ୟରେ ସାରିବାକୁ ଡେଡ୍‌ଲାଇନ ରହିଛି । ତେବେ କାମ ବିଳମ୍ବ ହେଉଥିବାରୁ ବର୍ଷକ ମଧ୍ୟରେ ଓଭରବ୍ରିଜ୍‌ ସଂପୂର୍ଣ୍ଣ ହେବା ଆଶଙ୍କା ଦେଖାଯାଇଛି ।
 

ଏ ନେଇ ଖୋର୍ଦ୍ଧା ସବ୍‌ଡିଭିଜନ୍‌-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଯୁକ୍ତି ହେଲା, ସର୍ଭେ ସମୟରେ ସୀତାରାମ ଛକରେ ଏତିକି ଗହଳି ହେଉନଥିଲା । ହେଲେ ଏବେ ଏବେ ଗହଳି ବଢିଛି । ତେଣୁ ଲୋକଙ୍କ ସୁରକ୍ଷା ପାଇଁ ଅଣ୍ଡର ପାସ୍‌ କରିବା ସହ ଦୁଇ ପାର୍ଶ୍ୱରେ ଡ୍ରେନ୍‌ ଆଉ ସର୍ଭିସ ରୋଡ୍‌ ତିଆରି କରାଯାଇଛି ।
  

ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ (ବିଶ୍ୱବ୍ୟାଙ୍କ ପ୍ରକଳ୍ପ) ଇଂ ଅନିଲକାନ୍ତ ତ୍ରିପାଠୀ କହିଛନ୍ତି, ଅଡିଟ୍‌ ରିପୋର୍ଟ ମିଳିବା ପରେ ଖୋର୍ଦ୍ଧା ନିର୍ବାହୀ ଯନ୍ତ୍ରୀଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

   ସମ୍ବନ୍ଧିତ ଖବର


ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

କୂଅରୁ ମା’, ପୁଅଙ୍କ ମୃତଦେହ ଉଦ୍ଧାର

ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା: ୨ ଗୁରୁତର

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍‌