ମୁଖା ପିନ୍ଧା କାମୁକ: ଚିଲ୍‌ଡ୍ରେନ୍‌ ହୋମ୍‌ର ସଂସ୍ଥାପକଙ୍କ ସମଲିଙ୍ଗୀ ଯୌନ ଶୋଷଣର ଶିକାର ୨୧ ଯୁବକ !

ଝାରସୁଗୁଡ଼ା,୨୨/୦୮: ଝାରସୁଗୁଡ଼ା ସ୍ଥିତ ଫେଥ୍‌ ଆଉଟ୍‌ରିଚ୍‌ ଚିଲ୍‌ଡ୍ରେନ୍‌ ହୋମ୍‌ର ସଂସ୍ଥାପକ ଜନ୍‌ ପେଟ୍ରିକ ବ୍ରିଜ୍‌ ଗିରଫ ହେବା ପରେ ସଂସ୍ଥାରେ କିଭଳି ବ୍ୟଭିଚାର ଚାଲିଥିଲା ତାହାର ଗୁମର ଫିଟିବାରେ ଲାଗିଛି । ସମୁଦାୟ ୨୧ ଜଣ ଅନ୍ତେବାସୀ ଯୁବକ ଅଭିଯୁକ୍ତ ଜନ ପି ବ୍ରିଜ୍‌ ଦ୍ୱାରା ସମଲିଙ୍ଗୀ ଯୌନ ଶୋଷଣର ଶିକାର ହୋଇଥିଲେ ବୋଲି ନ୍ୟୁଜିଲାଣ୍ଡ ୱେଲିଂଟନସ୍ଥିତ ଭାରତୀୟ ଦୂତାବାସରେ ସେଠିକାର ଫେଥ୍‌ ଆଉଟ୍‌ରିଚ୍‌ ସଂସ୍ଥାର ସଂପାଦକ ଆନେ କିଙ୍ଗ୍‌ ଅଭିଯୋଗ କରିଥିଲେ । ଯେଉଁଥିରୁ ୪ଜଣ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗର ସତ୍ୟପାଠ ମଧ୍ୟ ପ୍ରଦାନ କରିଥିଲେ । ଭାରତୀୟ ହାଇ କମିଶନ ଉକ୍ତ ଅଭିଯୋଗକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇ ଦେଇ ତଦନ୍ତ ପୂର୍ବକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଥିଲେ । ଯାହାକୁ ନେଇ ଖୋଳତାଡ଼ ପରେ ଦୁଇ ଦିନ ତଳେ ଏଭଳି ଏକ ସମଲିଙ୍ଗୀ ଯୌନ ଶୋଷଣ ମାମଲାରେ ଗିରଫ ହୋଇ ଏବେ ଜନ୍‌ ପି ବ୍ରିଜ୍‌ ଜେଲ ହାଜତରେ ।

ଅଭିଯୁକ୍ତ ଜନ୍‌ ପି ବ୍ରିଜ୍‌ ବ୍ରିଟିଶ ନାଗରିକ ଥିଲେ । ସେ ଭାରତକୁ ଆସିବା ପରେ ଭାରତୀୟ ନାଗରିକତ୍ୱ ଗ୍ରହଣ କରିଛନ୍ତି । ତାଙ୍କର ପତ୍ନୀ ଡେଲା ବ୍ରିଜ୍‌ ଏବଂ ପୁଅ ମାରାନାଥା ବ୍ରିଜ୍‌ ଝାରସୁଗୁଡ଼ାଠାରେ ରହି କକ୍ସ କଲୋନି ଠାରେ ଫେଥ୍‌ ଆଉଟ୍‌ରିଚ୍‌ ଚିଲଡ୍ରେନ୍‌ ହୋମର ପରିଚାଳନା କରୁଛନ୍ତି । ୧୯୯୬ ମସିହାରେ ନ୍ୟୁଜିଲାଣ୍ଡରେ ଫେଥ୍‌ ଆଉଟ୍‌ରିଚ୍‌ ନାମକ ଚାରିଟେବଲ ଟ୍ରଷ୍ଟ ଗଠନ ପରେ ଝାରସୁଗୁଡ଼ା ଠାରେ ଏହି ଚିଲଡ୍ରେନ ହୋମ ପ୍ରତିଷ୍ଠା କରାଯାଇ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଇ ଆସୁଛି । ସରକାରୀ ସ୍ୱୀକୃତିପ୍ରାପ୍ତ ଚିଲଡ୍ରେନ୍‌ ହୋମ ଭାବେ ଏହା ପରିଚାଳିତ ହେବା ସହ ପ୍ରାୟ ୮୫୦ ଶିଶୁ ଅନ୍ତେବାସୀ ଭାବେ ଏଠାରେ ରହୁଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ କନ୍ଧମାଳ ଜିଲ୍ଲାର ଗରିବ ଅନୁସୂଚିତ ଜନଜାତି ବର୍ଗର ଥିଲେ । ନ୍ୟୁଜିଲାଣ୍ଡର ଏହି ସଂସ୍ଥା ଗତ ୨୦୦୯ ମସିହାରୁ ଏହି ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରି ଆସୁଛି ।

ପ୍ରଥମ ଘଟଣା ଗତ ୨୦୧୯ ଅକ୍ଟୋବର ୧୦ ତାରିଖ ସାମ୍‌ନାକୁ ଆସିଥିଲା । ଜନ୍‌ ବ୍ରିଜ୍‌ଙ୍କୁ ବାଇବେଲ ସ୍କୁଲ କ୍ଲାସ୍‌ରେ ଜଣେ ଅନ୍ତେବାସୀ ଛାତ୍ର ଆକ୍ରମଣ କରିଥିବା ନେଇ ଫେଥ୍‌ ଆଉଟ୍‌ରିଚ୍‌ର ବୋର୍ଡ ସଦସ୍ୟ ଜନ୍‌ ବ୍ରିଜ୍‌ଙ୍କ ପୁଅଠାରୁ ଜାଣିବାକୁ ପାଇଥିଲେ । ସଂପୃକ୍ତ ଛାତ୍ରଙ୍କ ସହ ସମଲିଙ୍ଗୀ ଯୌନ ସଂପର୍କର ପ୍ରୟାସ କରିବାରୁ ଏଭଳି ଘଟଣା ଘଟିଥିବା ନେଇ ଉଲ୍ଲେଖ ରହିଛି । ମାତ୍ର ଏହି ଅଭିଯୋଗକୁ ଜନ୍‌ ବ୍ରିଜ୍‌ ଖଣ୍ଡନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଲିଖିତ ଭାବେ ଏଭଳି ଅଭିଯୋଗର ସ୍ୱୀକାରୋକ୍ତି ଫେଥ୍‌ ଆଉଟ୍‌ରିଚ୍‌ ସଂସ୍ଥାର ନିକଟରେ ପହଞ୍ଚିଥିଲା । ପରେ ଜନ୍‌ ବ୍ରିଜ୍‌ଙ୍କ କାର୍ଯ୍ୟକଳାପ ସଂପର୍କରେ ଅନୁସନ୍ଧାନ କରିବାରୁ ୨୧ ଜଣ ଏଭଳି ସମଲିଙ୍ଗୀ ଯୌନ ଶୋଷଣର ଶିକାର ହୋଇଥିବା ନେଇ ତଥ୍ୟ ମିଳିଥିଲା ।

ଯେଉଁଥିରୁ ୪ଜଣ ସତ୍ୟପାଠ ଜରିଆରେ ସଂସ୍ଥା ମୁଖ୍ୟଙ୍କଠାରେ ଅଭିଯୋଗ ଦାଖଲ କରିଥିଲେ । ଶିକାର ଅଭିଯୋଗକାରୀଙ୍କ ମଧ୍ୟରେ କେବଳ ଅନ୍ତେବାସୀ ଛାତ୍ର ଥିଲେ ତାହା ନୁହେଁ ବରଂ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ ମଧ୍ୟ ଥିଲେ । ସଂସ୍ଥା ପକ୍ଷରୁ ଏକ ହାଇୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ଚାଲିଛି । ଯାହାର ଅଧ୍ୟକ୍ଷା ଭାବେ ପତ୍ନୀ ଡେଲା ବ୍ରିଜ୍‌ ଦାୟିତ୍ୱରେ ଥିବା ବେଳେ ପୁଅ ମାରାନାଥା ବ୍ରିଜ୍‌ ଚେୟାରମେନ୍‌ ରହିଛନ୍ତି । ଜନ୍‌ ବ୍ରିଜ୍‌ ଅନୁଷ୍ଠାନର ପରିଚାଳନା ଦାୟିତ୍ୱରୁ ଓହରିଯାଇ ପୁଅ ଉପରେ ଦାୟିତ୍ୱ ନ୍ୟସ୍ତ କରି ସାରିଛନ୍ତି ।

ନ୍ୟୁଜିଲାଣ୍ଡ ସ୍ଥିତ ଭାରତୀୟ ଦୂତାବାସରୁ ଅଭିଯୋଗ ପତ୍ର ପାଇବା ପରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଏସ୍‌ପି ପୃଥକ ଭାବେ ଏହାର ତଦନ୍ତ କରାଇଥିଲେ । ହେଲେ ଚଳିତ ମାସ ୧୪ ତାରିଖ କନ୍ଧମାଳ ଜିଲ୍ଲାର ଜଣେ କଲେଜ ଛାତ୍ର ଜନ ବ୍ରିଜ୍‌ଙ୍କ ବିରୋଧରେ ସମଲିଙ୍ଗୀ ଯୌନ ଶୋଷଣର ସଂଗୀନ ଅଭିଯୋଗ ଆଣିବା ସହ ଝାରସୁଗୁଡ଼ା ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରାଯାଇ ଜନ୍‌ ବ୍ରିଜ୍‌ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକ ମଧ୍ୟ ଜନ୍‌ ବ୍ରିଜ୍‌ଙ୍କ ବିରୋଧରେ ସମାନ ଅଭିଯୋଗ ଆଣିବାରୁ ଥାନାରେ ମାମଲା ରୁଜୁ ହୋଇଛି । ଜନ୍‌ ବ୍ରିଜ୍‌ଙ୍କ ଗିରଫଦାରୀ ପରେ ଅନେକ ଗୁମର ଫିଟିବାରେ ଲାଗିଛି ।

   ସମ୍ବନ୍ଧିତ ଖବର


ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ସାଇକେଲ୍‌ ବନ୍ଧା ରଖିବାରୁ ଛୁରୀ ଭୁଷି ହତ୍ୟା

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ