କଟକରେ ଜଣ୍ଡିସ୍‌ ଭୟ: ମିଳୁନି ଶୁଦ୍ଧ ପାଣି,ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା

କଟକ ୧୨/୮ : ବର୍ଷକ ବାର ମାସ ନାନାଦି ରୋଗ । କେତେବେଳେ ଜଣ୍ଡିସ୍‌ ତ ଆଉ କେତେବେଳେ ଡେଙ୍ଗୁ । ବିପର୍ଯ୍ୟସ୍ତ ପରିମଳ । ପାଇପ୍‌ରେ ଅନେକ ସମୟରେ ପାଣି ଆସୁନି । ନଳକୂଅ ଅଛି ହେଲେ ତାହା ଅଚଳ । ବର୍ଷାହେବା ମାତ୍ରେ ଡ୍ରେନ୍‌ ପାଣି ଘରେ ପଶିବା ସୁନିଶ୍ଚିତି । ଦୀର୍ଘ ଦିନ ଧରି ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବକ୍ସିବଜାର ଅଞ୍ଚଳର ଗୋଦାମଗଳି ବାସିନ୍ଦା । ସାହିର ସମସ୍ୟାକୁ ନେଇ ବାରମ୍ବାର ଦାବି ହେଉଥିଲେ ବି ଜିଲ୍ଲା ପ୍ରଶାସନର ନିଘା ନାହିଁ । ଚଳିତ ବର୍ଷ ଏହାର ଆଖପାଖ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିଥିବାରୁ ବିଶୁଦ୍ଧ ପାଣି ପିଇବା ପାଇଁ ଡହଳବିକଳ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଜଣ୍ଡିସ୍‌ ଭୟ ଲୋକଙ୍କ ପିଛା ଛାଡୁନି । ଏନେଇ ସିଏମ୍‌ସି ଓ ଜିଲ୍ଲାପ୍ରଶାସନର କେବେ ଚେତା ଫେରିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ୧୭ ସହରର ତଳିଆ ଅଞ୍ଚଳ । ଗତ କିଛି ବର୍ଷ ହେଲା ବର୍ଷାଦିନରେ ଏହି ୱାର୍ଡ ବାସିନ୍ଦାଙ୍କ ପାଇଁ ଜଳବନ୍ଦୀ ସମସ୍ୟା ଏକ ଅଭିଶାପ ପାଲଟିଛି । ଏହି ୱାର୍ଡରେ ପଟ୍ଟାପୋଲ, ପେନ୍‌ସନ୍‌ଲେନ୍‌, ଗୋଦାମଗଳି, ତନ୍ତି ସାହି ଓ ସୂତାହାଟ ଆଦି ସାହି ରହିଛି । ଏହି ସମସ୍ତ ଅଞ୍ଚଳରେ ଡ୍ରେନେଜ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସିଏମ୍‌ସି ପକ୍ଷରୁ ନାମକୁ ମାତ୍ର ପଙ୍କୋଦ୍ଧାର କରାଯାଉଛି । ଡ୍ରେନ୍‌ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି ।

ହେଲେ ବର୍ଷା ଆସିବା ମାତ୍ରେ ସବୁ ଯୋଜନାର ଅସଲ ଚିତ୍ର ସାମ୍ନାକୁ ଆସୁଛି । କେଇ ଘଣ୍ଟାର ବର୍ଷାରେ ଏହି ଅଞ୍ଚଳରୁ ଲୋକମାନଙ୍କ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡୁଛି । ସେହିଭଳି ଗୋଦାମଗଳି ଅଞ୍ଚଳରେ ଗତ କିଛି ଦିନ ହେଲା ଡ୍ରେନ୍‌ ସମସ୍ୟାଟି ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ଅଞ୍ଚଳରେ ଥିବା ଡ୍ରେନର କିଛି ଭାଗ ଜବରଦଖଲରେ ଥିବାବେଳେ ଆଉ ବାକି କିଛି ଦରଭଙ୍ଗା ଅବସ୍ଥାରେ । ଶାଖା ଡ୍ରେନ୍‌ରୁ ପାଣି ନିଷ୍କାସନ ହୋଇ ମୁଖ୍ୟ ଡ୍ରେନ୍‌ରେ ମିଶିବାରେ ବାଧକ ହେଉଛି ଜାଇକା । ମୁଖ୍ୟ ରାସ୍ତା ନିକଟରେ ଉଚ୍ଚା ଡ୍ରେନ୍‌ ତିଆରି ହୋଇଯାଇଥିବାରୁ ତଳିଆ ଅଞ୍ଚଳରୁ ଡ୍ରେନ୍‌ ପାଣି ନିଷ୍କାସନ ହେବା ନାଁ ଧରୁନି । ନୂଳକୂଅ ଟିଏ ନଥିବାରୁ ଲୋକମାନେ ପାଣି ପାଇଁ ହଇରାଣ ହେଉଛନ୍ତି ।

ଯେଉଁ ଗୋଟିଏ ନଳକୂଅ ଥିଲା ତାହା ଉପରେ ଘର ତିଆରି କରାଯାଇଛି । ପିଏଚ୍‌ଡି ପକ୍ଷରୁ ବିଛା ଯାଇଥିବା ପାଣି ପାଇପ୍‌ ଅବସ୍ଥା ଦେଖିଲେ ପାଣି ପିଇବାକୁ ମନରେ ଭୟ ସୃଷ୍ଟି ହେବ । କେଉଁଠି ପାଇପ୍‌ ଡ୍ରେନ୍‌ ଭିତରେ ଆସିଛି ତ ଆଉ କେଉଁଠି ଖୋଲାମେଲାରେ ପଡିଛି । ପରିମଳ ବ୍ୟବସ୍ଥା ସୁଧାରିବାକୁ ସିଏମ୍‌ସି ନାନାଦି ପ୍ରକାରର ଯୋଜନା କରୁଛି । ହେଲେ ଏଠାରେ ଅଳିଆ ଆବର୍ଜନା ପକାଇବା ପାଇଁ ଡଷ୍ଟ୍‌ବିନ୍‌ ଟିଏ ନାହିଁ । ଏଭଳି ସମସ୍ୟା ମଧ୍ୟରେ ସ୍ଥାନୀୟ ଲୋକଙ୍କ ମନରୁ ଜଣ୍ଡିସ୍‌ ଭୟ ଯାଉନି । ଅନ୍ୟପଟେ ଆଗକୁ ସିଏମ୍‌ସି ନିର୍ବାଚନ ଥିବାରୁ ନେତା ମନ୍ତ୍ରୀ ପୁଣି ସମାନ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ନେଇ ଚାଲିଯିବେ । ତେବେ ସମସ୍ୟା ସମାଧାନ ହେଲେ ଭୋଟଦେବୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଆଜିଠୁ ସୋଆରେ ‘ଗ୍ଲୋବାଲ୍‌ ମଦର୍ସ’ ଅନ୍ତର୍ଜାତୀୟ ସମ୍ମିଳନୀ

କାଠଗଡ଼ାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ୭ ଦିନ ଭିତରେ ଉତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ,୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌