ମାତ୍ର ୨୭ ଟଙ୍କା ଧରି ମୁମ୍ବାଇ ଆସିଥିଲେ ଜାବେଦ୍ ଅଖତର : ତାସ୍ ଖେଳିବା ସମୟରେ ପ୍ରଥମ ସ୍ତ୍ରୀଙ୍କୁ କରିଥିଲେ ପ୍ରପୋଜ୍, ଲାଗିଥିଲା ଏମିତି ବାଜି…

ମୁମ୍ବାଇ ୧୭।୧ : ବଲିଉଡ୍ର ଲୋକପ୍ରିୟ ଗୀତିକାର, ସ୍କ୍ରିନ୍ରାଇଟର୍ ତଥା କବି ଜାଭେଦ ଅଖତରଙ୍କ ଆଜି ଜନ୍ମ ଦିନ। ଜାଭେଦ ୭୬ ବର୍ଷ ବୟସରେ ପାଦ ଥାପିଛନ୍ତି। ୭୦-୮୦ ଦଶକରେ ଅନ୍ଦାଜନେଇ ୟାଦୋ କି ବାରାତ, ଯଞ୍ଜିର, ଦୀବାର, ହାଥୀ ମେରେ ସାଇର ଏବଂ ଶୋଲେ ସମେତ ଅନେକ ସୁପରହିଟ୍ ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଛନ୍ତି । କେବଳ ଏତିକି ନୁହେଁ, ପଦ୍ମଶ୍ରୀ, ପଦ୍ମଭୂଷଣ ଓ ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ସେ ୫ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି।

ଜାବେଦ ଅଖତର ହନୀ ଇରାନୀଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ଜନ୍ମଦିନ ଗୋଟିଏ ଦିନରେ ହୋଇଥାଏ। ହନୀ ଏବଂ ଜାବେଦଙ୍କର ପ୍ରଥମ ସାକ୍ଷାତ ୧୯୭୨ରେ ଆସିଥିବା ଫିଲ୍ମ ସୀତା ଏବଂ ଗୀତା ଯୋଗୁଁ ହୋଇଥିଲା। ହନୀ ଇରାନୀ କହିଛନ୍ତି ଯେ, ‘ଥରେ ତାସ୍ ଖେଳରେ ଜାବେଦ ହାରିବାକୁ ଯାଉଥିଲେ। ମୁଁ ଜାବେଦଙ୍କୁ କହିଲି କି, ଦିଅ ତୁମ ପାଇଁ ମୁଁ କାର୍ଡ ବାହାର କରୁଛି। ଜାବେଦ କହିଥିଲେ କି, ଯଦି କାର୍ଡ ଭଲ ବାହାରିଲା ତାହେଲେ ମୁଁ ତୁମକୁ ବିବାହ କରିବି। ଭାଗ୍ୟ ଭଲ କି, କାର୍ଡ ବି ଭଲ ବାହାରିଲା। ସେହି ସମୟରେ ଜାବେଦ କହିଥିଲେ କି, ଚାଲ ଚାଲ ଏବେ ବିବାହ କରିନେବା।

ଜାବେଦ ତାଙ୍କ ପାଠପଢ଼ା ଭୋପାଲରେ କରିଛନ୍ତି। ୧୯୬୪ରେ ଯେତେବେଳେ ଜାବେଦ ପ୍ରଥମ ଥର ମୁମ୍ବାଇ ରେ ପହଞ୍ଚିଲେ ସେହି ସମୟରେ ତାଙ୍କ ପକେଟରେ ମାତ୍ର ୨୭ ଟଙ୍କା ଥିଲା। ଏମିତି କି ମୁମ୍ବାଇରେ ରହିବା ପାଇଁ ଘର ନଥିଲା କି ଖାଇବାକୁ ପାଖରେ ରୋଟି ନଥିଲା। ମୁମ୍ବାଇରେ ଦୁଇ ବର୍ଷ ବିତିବା ପରେ ବି ତାଙ୍କୁ କୌଣସି ଖାସ୍ କାମ ମିଳିନଥିଲା। ଜାବେଦ ଏହାପରେ ଫିଲ୍ମରେ କ୍ଲାପର ବୟ ଭାବରେ କାମ ଆରମ୍ଭ କରିଥିଲେ। ଏହା ପରେ ତାଙ୍କ ଯୋଡ଼ି ସଲମାନ ଖାନଙ୍କ ପିତା ସଲୀମ ଖାନ୍ଙ୍କ ସହ ହୋଇଥିଲା। ଦୁହେଁ ଦୀବାର, ଶୋଲେ, ଡନ୍ ଭଳି ଫିଲ୍ମରେ ଲେଖିବା ଆରମ୍ଭ କଲେ।

ଜାଭେଦ୍ଙ୍କ ନାଁ ପଛର କାହାଣୀ ଖୁବ୍ କମ୍ ଜାଣନ୍ତି। ତେବେ ତାଙ୍କ ପ୍ରକୃତ ନାଁ ହେଉଛି ‘ଯାଦୁ’। ଜାଭେଦ୍ଙ୍କ ବାପା ଗୋଟେ କବିତା ଲେଖିଥିଲେ, ‘ଲମ୍ହା-ଲମ୍ହା କିସି ଯାଦୁ କା ଫସାନା ହୋଗା’। ଏହି କବିତାରୁ ସେ ତାଙ୍କ ପୁଅର ନାଁ ବାଛିଥିଲେ। ଏହାପରେ ସେ ତାଙ୍କ ନାଁ ଯାଦୁରୁ ବଦଳାଇ ଜାଭେଦ୍ କରି ଦେଇଥିଲେ। ତାଙ୍କ ବାପାଙ୍କ ନାଁ ଥିଲା ଜାଁ ନିସାର ଅଖତର। ସେ ମଧ୍ୟ ବଲିଉଡ୍ର ଜଣେ ଲୋକପ୍ରିୟ ଗୀତିକାର ଥିଲେ। ତାହା ସହିତ ସେ ଉର୍ଦ୍ଦୁର ଜଣେ ଲୋକପ୍ରିୟ କବି ଥିଲେ। ଜାଭେଦଙ୍କ ମା’ ସାଫିଆ ଅଖତର ଜଣେ କଣ୍ଠଶିଳ୍ପୀ ଥିଲେ। ଜାଭେଦ୍ ଦୁଇଟି ବିବାହ କରିଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ହନୀ ଇରାନୀ। ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାଁ ଶବାନା ଆଜମୀ।
