ଆଜି ଜେଇଇ ମେନ୍ ପରୀକ୍ଷା, ୧୩ଟି ଭାରତୀୟ ଭାଷାରେ ପରୀକ୍ଷା ଦେବେ ୬,୬୧,୭୬୧ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୨୩/୦୨ : ପ୍ରବେଶିକ ପରୀକ୍ଷା ଜେଇଇ ମେନ୍ ୨୦୨୧ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ନ୍ୟାସନାଲ ଟେଷ୍ଟିଂ ସଂସ୍ଥା ଏଥିପାଇଁ ୮୫୨ଟି ପରୀକ୍ଷା କେନ୍ଦ୍ର କରିଛି। ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ହେବ। ଏହି ପରୀକ୍ଷାରେ ସାରା ଦେଶରୁ ୬,୬୧,୭୬୧ ପରୀକ୍ଷାର୍ଥୀ ସାମିଲ ହେବେ। ତେବେ ପ୍ରଥମ ଥର ପାଇଁ ଜେଇଇ ମେନ ପରୀକ୍ଷା ୧୩ଟି ଭାରତୀୟ ଭାଷାରେ ଅନୁଷ୍ଠିତ ହେବାକୁ ଯାଉଛି। ଗତ ବର୍ଷ କରୋନା କାରଣରୁ ସେପ୍ଟେମ୍ବରରେ ଆୟୋଜିତ ହୋଇଥିବା ପରୀକ୍ଷା ପାଇଁ ୬୬୦ ପରୀକ୍ଷା କେନ୍ଦ୍ର କରାଯାଇଥିଲା।
ଆଜି ଠାରୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ଅନୁଷ୍ଠିତ ହେବ । ଯାହା ୨୬ ତାରିଖରେ ସରିବ । ତେବେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଆରମ୍ଭ ହେବାର ଅତି କମରେ ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡିବ । ନିଜ ସହିତ ଜେଇଇ ମେନ୍ ଆଡମିଟ୍ କାର୍ଡ ପରୀକ୍ଷା କେନ୍ଦ୍ରକୁ ନେବା ଜରୁରୀ । ସେହିପରି ପ୍ରାର୍ଥୀମାନେ ପରିଚୟ ପ୍ରମାଣ(ଭୋଟର୍ ଆଇ କାର୍ଡ/ଆଧାର କାର୍ଡ/ଡ୍ରାଇଭିଂ ଲାଇସେନ୍ସ/ପାସପୋର୍ଟ) ସମେତ ସେଲ୍ଫ ଡିକ୍ଲାରେସନ୍ ଫର୍ମ ମଧ୍ୟ ନେଇ ଆସିବେ । ଏଥି ମଧ୍ୟରୁ କୌଣସି ଡକ୍ୟୁମେଣ୍ଟ୍ ବାଦ ପଡିଲେ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ ।
ସେହିପରି କରୋନା କଟକଣା କଡ଼ାକଡ଼ି ଭାବେ ମାନିବାକୁ ପଡିବ । କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବ । ଭିଡ଼ ନହେବା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍ରେ ପ୍ରବେଶ କରିବା ପରେ ତୁରନ୍ତ ବସିବାକୁ ପଡିବ ।ପରୀକ୍ଷାର୍ଥୀମାନେ ସେମାନଙ୍କ ସହିତ ୫୦ ମିଲି ସାନିଟାଇଜର୍ ବୋତଲ ନେବା ଜରୁରୀ । ସଂକ୍ରମଣକୁ ରୋକିବା ପାଇଁ ପ୍ରାର୍ଥୀ ସବୁବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ନିଶ୍ଚିତ ଭାବେ ପାଳନ କରିବେ ବୋଲି ଏନଟିଏ ନିର୍ଦ୍ଦେଶ ଦେଇଛି । ଚଳିତବର୍ଷ ଜେଇଇ ମେନ୍ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପରୀକ୍ଷା ଫେବ୍ରୁଆରୀରେ ସରିବା ପରେ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮ ତାରିଖ, ତୃତୀୟ ଏପ୍ରିଲ ୨୭ରୁ ୩୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୮ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ୧୨ଟା ମଧ୍ୟରେ ସରିବ । ଅନ୍ୟଟି ଅପରାହ୍ଣ ୩ଟାରୁ୬ଟା ମଧ୍ୟରେ ଅନୁଷ୍ଠିତ ହେବ।
ସୂଚନାନୁଯାୟୀ, ଜେଇଇ ମେନ ପରୀକ୍ଷା ଦେବା ପାଇଁ ଆସାମୀ ଭାଷାରେ ୭୦୦, ବେଙ୍ଗଲୀରେ ୨୪,୮୪୧, ଓଡିଆରେ ୪୭୧, ପଞ୍ଜାବୀରେ ୧୦୭, ତାମିଲରେ ୧୨୬୪, ତେଲୁଗୁରେ ୩୭୧, ଉର୍ଦ୍ଦୁରେ ୨୪, ମଲାୟଲମରେ ୩୯୮, କନ୍ନଡରେ ୨୩୪, ହିନ୍ଦୀରେ ୭୬, ୪୫୯ ଛାତ୍ରଛାତ୍ରୀ ପଞ୍ଜିକୃତ କରିଛନ୍ତି।