ଆଇଟିଇଆର୍ରେ ‘ଚକ୍ରବ୍ୟୂହ ଆଣ୍ଡ ଜେନେସିସ୍-୨କେ୧୯’: ଅର୍ଥ ନୁହେଁ, କାର୍ଯ୍ୟକୁ ଗୁରୁତ୍ୱ ଦିଅ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ସବୁ କ୍ଷେତ୍ରରେ ଦିନକୁ ଦିନ ପ୍ରତିଯୋଗିତା ବୃଦ୍ଧି ପାଉଛି । ଏଥିପାଇଁ ନିଜକୁ ପ୍ରସ୍ତୁତ ହେବାକୁ ପଡ଼ିବ । ଛାତ୍ରଛାତ୍ରୀମାନେ ଆରାମଦାୟକ ଜୀବନଶୈଳୀରୁ ବାହାରି କଠିନ ପରିଶ୍ରମ କରନ୍ତୁ । ଯେତେବେଳେ ଚାକିରି ସୁଯୋଗ ଆସିବ, ସେତେବେଳେ ଦରମା ପ୍ୟାକେଜ୍କୁ ଧ୍ୟାନ ଦିଅ ନାହିଁ । ଯେଉଁ କମ୍ପାନିରୁ ଅଧିକ ଶିଖିବାକୁ ଓ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ ତାକୁ ଗୁରୁତ୍ୱ ଦିଅ । ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଇସିଟି-ଆଇଓସିର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ନାରାୟଣ ଥୋରାଟ ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଆୟୋଜିତ ‘ଚକ୍ରବ୍ୟୂହ ଆଣ୍ଡ ଜେନେସିସ୍-୨କେ୧୯’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଥୋରାଟ କହେିଲ, ପୂର୍ବ ଅପେକ୍ଷା ବର୍ତ୍ତମାନ ଶକ୍ଷିାଦାନ ପ୍ରଣାଳୀରେ ବିରାଟ ପରିବର୍ତ୍ତନ ଆସିଛି । ପୂର୍ବରୁ ଶିକ୍ଷକମାନେ ଶ୍ରେଣୀକୁ ଆସିବାବେଳେ ଚକ୍ ଧରି ଆସୁଥେିଲ । ଘଣ୍ଟା ଘଣ୍ଟା ପାଠ ପଢ଼ାଉଥିଲେ । ଏବେ ଏଥିରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଶିକ୍ଷକ ଶ୍ରେଣୀକୁ ଆସିବାବେଳେ ଲାପଟପ୍ ନେଇ ଆସୁଛନ୍ତି । ପିଲାଙ୍କୁ ସଫ୍ଟୱେୟାର ମାଧ୍ୟମରେ ଶିକ୍ଷା ଦେଉଛନ୍ତି । ତେବେ ଏହି ପରିବର୍ତ୍ତନ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ଦରକାର । ଅଧ୍ୟାପକ ଓ ଅଧ୍ୟାପିକାମାନେ ବିଭିିନ୍ନ ବିଷୟବସ୍ତୁ ଉପରେ ଗବେଷଣା ଜାରି ରଖିବା ଆବଶ୍ୟକ ।
ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର ଯୋଗଦେଇ କହିଲେ, ଜୀବନରେ କର୍ମ ହିଁ ସବୁ କିଛି । ଆମକୁ କର୍ମ କରିବାକୁ ପଡିବ । ନିଜର ମାନବକିତାକୁ ସମୃଦ୍ଧି କରି ଅନ୍ୟର ବିକାଶ ପାଇଁ କାର୍ଯ୍ୟ କରିବାକୁ ହେବ । ଜୀବନରେ ଟଙ୍କା ସବୁକିଛି ନୁହେଁ । ଟଙ୍କା ଆମକୁ ଅଳ୍ପ ସମୟ ପାଇଁ ଖୁସି ଦେଇଥାଏ । ହେଲେ ସାରା ଜୀବନ ଖୁସିରେ ରହିବାକୁ ହେଲେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ । ଯୁବଗୋଷ୍ଠୀମାନେ ବିଶେଷକରି ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ସୋସିଆଲ୍ ମିଡିଆରୁ ବାହାରି ନିଜ ସ୍ୱାସ୍ଥ୍ୟବସ୍ଥାର ଯତ୍ନ ନିଅନ୍ତୁ । ଉପଯୁକ୍ତ ସମୟରେ ଖାଦ୍ୟ ଖାଇ ବିଶ୍ରାମ ନିଅନ୍ତୁ । କାରଣ ଯୁବଗୋଷ୍ଠୀ ସୁସ୍ଥ ରହିଲେ ହିଁ ଦେଶ ବିକଶିତ ହେବ । କାର୍ଯ୍ୟକ୍ରମରେ ଆଇଟିଇଆର୍ ଡିନ୍ ଡ. ପି.କେ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।