ଆଜିଠୁ ବିମାନ ଉଡ଼ାଇବେ ନାହିଁ ୧୧ଶହ ପାଇଲଟ୍

ମୁମ୍ବାଇ,୧୪ା୪(ଏଜେନ୍ସି): ଆର୍ଥିକ ସଂକଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍ ପାଇଁ ଆଉ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ସୋମବାରଠାରୁ ଏହାର ୧,୧୦୦ ପାଇଲଟ୍ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିମାନ ଉଡ଼ାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ବକେୟା ଦରମା ନ ପାଇବା ପର୍ଯ୍ୟନ୍ତ ସେମାନେ ବିମାନ ଉଡ଼ାଇବେ ନାହିଁ ବୋଲି ରୋକ୍ଠୋକ୍ କହିଦେଇଛନ୍ତି ।
ଜେଟ୍ର ପାଇଲଟ୍ ଓ ଇଞ୍ଜିନିଅର୍ମାନେ ଜାନୁଆରୀ ପରଠାରୁ ସେମାନଙ୍କ ଦରମା ପାଇନାହାନ୍ତି । ଏ ନେଇ ମ୍ୟାନେଜ୍ମେଣ୍ଟ ଉପରେ ଯେତେ ପ୍ରକାର ଚାପ ପକାଇବା ସତ୍ତେ୍ୱ କୌଣସି ଫଳ ହେଉନାହିଁ । ତେଣୁ ଶେଷରେ ସେମାନେ ବାଧ୍ୟହୋଇ ବିମାନ ନ ଉଡ଼ାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ଋଣ ସଂକଟ ଦେଇ ଗତି କରୁଥିବା ଜେଟ୍ ଏୟାରେୱେଜ୍ ଏହାର ଅନ୍ୟ ବିଭାଗର କର୍ମଚାରୀଙ୍କୁ ମଧ୍ୟ ମାର୍ଚ୍ଚ ମାସର ଦରମା ଦେଇନାହିଁ । ଏହାକୁ ନେଇ ଅସନ୍ତୋଷ ତୀବ୍ର ମାତ୍ରାରେ ବଢ଼ିବାରେ ଲାଗିଛି । ନ୍ୟାସ୍ନାଲ୍ ଏଭିଏଟର୍ସ ଗିଲ୍ଡ (ଏନ୍ଏଜି)ର ଏକ ସୂତ୍ରରୁ କୁହାଯାଇଛି ଯେ ଜେଟ୍ର ପାଇଲଟ୍, ଇଞ୍ଜିନିୟରମାନେ ସାଢ଼େ ୩ ମାସ ହେବ ଦରମା ପାଇନାହାନ୍ତି । ବିନା ଦରମାରେ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ମଧ୍ୟ ଏବେ କଷ୍ଟକର ହୋଇପଡ଼ିଲାଣି । ଏତେ ସମସ୍ୟା ଥାଇ ସୁଦ୍ଧା ଆମେ ବିମାନ ଉଡ଼ାଉଥିଲୁ । ତା’ସତ୍ତେ୍ୱ ଆମ ବକେୟା ଦରମା ଦିଆଯାଉ ନାହିଁ । ତେଣୁ ଏପ୍ରିଲ ୧୫ରୁ ପାଇଲଟ୍ମାନେ ବିମାନ ଉଡ଼ାଇବେ ନାହିଁ । ପାଖାପାଖି ୧,୧୦୦ ପାଇଲଟ୍ ବିମାନ ନ ଉଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।