ଜେଟ୍‌ ପାଇଲଟ୍‌, ଇଞ୍ଜିନିୟରଙ୍କ ଦୁର୍ଭାଗ୍ୟ;୫୦% କମ୍‌ ଦରମାରେ ସ୍ପାଇସ୍‌ଜେଟ୍‌ ଯାଉଛନ୍ତି

ନୂଆଦିଲ୍ଲୀ,୧୪ା୪(ଏଜେନ୍ସି): ଜେଟ୍‌ ଏୟାରୱେଜ୍‌ରେ ଦେଖାଦେଇଥିବା ସଂକଟର ଫାଇଦା ଉଠାଉଛି ସ୍ପାଇସ୍‌ଜେଟ୍‌ । ଜେଟ୍‌ରେ ଦରମା ନ ପାଇ ହଇରାଣ ହେଉଥିବା ପାଇଲଟ୍‌ ଓ ଇଞ୍ଜିନିୟରଙ୍କୁ କମ୍ପାନି ନିଯୁକ୍ତି ଦେଉଛି । କିନ୍ତୁ ସେମାନଙ୍କୁ ସେହି ପରିମାଣର ଦରମା କିମ୍ବା ଅନ୍ୟ ପାରିଶ୍ରମିକ ଦିଆଯାଉ ନାହିଁ । ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ପାଇଲଟ୍‌ ଓ ଅନ୍ୟ କର୍ମଚାରୀଙ୍କୁ ଯେତିକି ପରିମାଣର ଦରମା ଦିଆଯାଉଛି, ତାହାର ୩୦-୫୦% କମ୍‌ ଦରମା ଦେଉଛି ସ୍ପାଇସ୍‌ଜେଟ୍‌ ।
ନାହିଁ ମାମୁଠାରୁ କଣା ମାମୁ ଭଲ ଭାବି ଜେଟ୍‌ ଏୟାରୱେଜ୍‌ର ପାଇଲଟ୍‌ ଓ ଇଞ୍ଜିନିୟରମାନେ ଅନନ୍ୟୋପାୟ ହୋଇ ସ୍ପାଇସ୍‌ଜେଟ୍‌ରେ ସାମିଲ ହେଉଛନ୍ତି । ଏହା ସେମାନଙ୍କ ପାଇଁ ଦୁର୍ଭାଗ୍ୟ ବୋଲି ମଧ୍ୟ କିଛି ପାଇଲଟ୍‌ କହୁଛନ୍ତି । ତେବେ ପାଇଲଟ୍‌ମାନଙ୍କୁ ୩୦% କମ୍‌ ଦରମାରେ ଚାକିରି କରିବାକୁ ପଡ଼ୁଥିବା ବେଳେ ଇଞ୍ଜିନିୟରଙ୍କୁ ୫୦% କମ୍‌ ବେତନରେ କାମ କରିବାକୁ ପଡୁଛି ।
ସ୍ପାଇସ୍‌ଜେଟ୍‌ ଓ ଅନ୍ୟ ବିମାନ ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ କିଛି ଦିନ ତଳେ ପାଇଲଟ୍‌ ଓ ଇଞ୍ଜିନିୟରମାନଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରୁଥିଲେ । ମୋଟା ଦରମା ସାଙ୍ଗକୁ ଯୋଗଦାନ ବୋନସ୍‌ ଏବଂ ଅନ୍ୟ ସୁବିଧା ସୁଯୋଗ ଯୋଗାଇବା ଲାଗି ମଧ୍ୟ ସେମାନେ ଘୋଷଣା କରୁଥିଲେ । ବେସାମରିକ କ୍ଷେତ୍ରରେ ନୂଆ ନୂଆ କ୍ୟାରିଅର କରୁଥିବା ପାଇଲଟ୍‌ ଓ ଇଞ୍ଜିନିୟରମାନଙ୍କୁ ଏହା ବେଶ୍‌ ଉତ୍ସାହିତ କରୁଥିଲା । ଏହାକୁ ଦେଖି ଅନ୍ୟ ଯୁବପିଢ଼ି ମଧ୍ୟ ଏଥିରେ କ୍ୟାରିଅର୍‌ କରିବାକୁ ଆଗେଇ ଆସିଥିଲେ । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଓଲଟା ପଡ଼ିଯାଇଛି ।
ବର୍ତ୍ତମାନ ସ୍ୱତନ୍ତ୍ର ବୋନସ୍‌ ତ ଦୂର କଥା ମୂଳ ବେତନରେ ମଧ୍ୟ ଜେଟ୍‌ ପାଇଲଟ୍‌ମାନଙ୍କୁ ନଇଁବାକୁ ପଡୁଛି । ଜେଟ୍‌ ଏୟାରୱେଜ୍‌ର ଜଣେ କର୍ମଚାରୀ କହିଛନ୍ତି, ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ ମୋତେ ଦରମା ସହ ସାଲିସ କରିବାକୁ ପଡୁଛି । ମୁଁ ଜେଟ୍‌ ଏୟାରୱେଜ୍‌ରେ ମାସକୁ ୪ ଲକ୍ଷ ଟଙ୍କା ଦରମା ପାଉଥିବା ବେଳେ ସ୍ପାଇସ୍‌ଜେଟ୍‌ରୁ ଦେଢ଼ଲକ୍ଷରୁ ୨ ଲକ୍ଷ ଟଙ୍କା ଦରମା ଦେବା ପାଇଁ ଅଫର ଆସିଛି । ଏହାକୁ ଗ୍ରହଣ କରିବା ମୁସ୍କିଲ୍‌ ହୋଇଥିବା ସତ୍ତେ୍ୱ ଆଉ କିଛି ବିକଳ୍ପ ମୋ ନିକଟରେ ନାହିଁ । ଘରେ ବସିବା ଅପେକ୍ଷା ଏହି ଅଫର ଗ୍ରହଣ କରିବାକୁ ବାଧ୍ୟ ହେଉଛି ।
ଅନ୍ୟପକ୍ଷରେ ଏ ବାବଦରେ ସଫେଇ ଦେଇ ସ୍ପାଇସ୍‌ଜେଟ୍‌ର ଜଣେ କାର୍ଯ୍ୟନିର୍ବାହୀ କହିଛନ୍ତି, ଜେଟ୍‌ ଏୟାରୱେଜ୍‌ର ବେତନ ଢାଞ୍ଚା ଆମଠାରୁ ଭିନ୍ନ । ସେମାନେ ଯେଉଁ ପରିମାଣର ଦରମା ଦେଉଛନ୍ତି, ଆମେ ତାହା ଦେଉନାହୁଁ । ତେଣୁ ଜେଟ୍‌ ପାଇଲଟ୍‌ ଓ ଇଞ୍ଜିନିଅର୍‌ ଯେଉଁ ହାରରେ ବେତନ ବା ଅନ୍ୟ ପାରିଶ୍ରମିକ ପାଉଛନ୍ତି, ସେତିକି ଦେବା ପାଇଁ ଆମେ ସମର୍ଥ ନୁହଁ । ତେଣୁ ଆମେ ସେତିକି ଦରମା ଦେବାକୁ ଅଫର ଦେଉଛୁ, ଯାହା ଆମ ଢାଞ୍ଚାକୁ ଖାପ ଖୁଆଉଛି ।

   ସମ୍ବନ୍ଧିତ ଖବର


କରୋନା: ସକ୍ରିୟ ମାମଲାରେ ୭ମ ସ୍ଥାନରେ ଭାରତ, ସୁସ୍ଥ ହେଲେଣି ୯୩.୭୪% ରୋଗୀ

ଆମେରିକାରେ ଅଣାୟତ୍ତ କରୋନା, ସପ୍ତାହକେ ମଧ୍ୟରୁ ଗଲାଣି ୧୦ ହଜାରରୁ ଅଧିକ ଜୀବନ

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା

ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ