ଜେଟ୍‌ ପାଇଲଟ୍‌ଙ୍କ ଆର୍ଥିକ ସ୍ଥିତି ଶୋଚନୀୟ, ଘର ଚଳାଇବାକୁ ବନ୍ଧା ରଖୁଛନ୍ତି ଗହଣା

ନୂଆଦିଲ୍ଲୀ,୨୩ା୩(ଏଜେନ୍ସି):ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଜେଟ୍‌ ଏୟାର୍‌ୱେଜ୍‌ ଏହାର ପାଇଲଟ୍‌ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଦରମା ଦେଇପାରୁନାହିଁ । ଏଭଳି ସ୍ଥିତିରେ ଅତ୍ୟନ୍ତ ସଙ୍କଟଜନକ ପରିସ୍ଥିତିରେ ଗତି କରୁଛନ୍ତି ଜେଟ୍‌ କର୍ମଚାରୀ । ଏପରିକି ଘର ଚଳାଇବାକୁ ଗହଣା ବନ୍ଧା ପକାଇବାକୁ ବାଧ୍ୟ ହେଉଛନ୍ତି ଏମାନେ । ପାଇଲଟ୍‌ମାନଙ୍କ କହିବାନୁଯାୟୀ ଗତ ୩ ମାସ ହେଲା ଏମାନେ ଦରମା ପାଇନାହାନ୍ତି । ଘର ଚଳାଇବା ଏମାନଙ୍କ ପାଇଁ କଷ୍ଟକର ହେଉଛି । ଗହଣା ବନ୍ଧା ପକାଇ ଏମାନେ ଋଣ କରିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କାର ଏବଂ ଘର ଋଣ ଇଏମ୍‌ଆଇ ଶୁଝିବା କଷ୍ଟକର ପାଲଟିଛି । ଜେଟ୍‌ ଏୟାର୍‌ୱେଜ୍‌ର ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଜାନୁଆରୀରୁ ଦରମା ମିଳି ନ ଥିବା ଏମାନେ ପ୍ରକାଶ କରିଛନ୍ତି ।

ପାଇଲଟ୍‌ମାନେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ଆମ୍ଭମାନଙ୍କ ନିଜ ନିଜର ଆର୍ଥିକ ଦାୟିତ୍ୱମାନ ରହିଛି । ଜେଟ୍‌ ଏୟାର୍‌ୱେଜ୍‌ ଅଚାନକ ଠପ ହୋଇଯିବା ନେଇ ଆମେ ଆଶଙ୍କା କରୁଛୁ । ମାର୍ଚ୍ଚ ୩୧ ସୁଦ୍ଧା ଦରମା ନ ମିଳିଲେ ବିମାନ ଉଡାଣ ବନ୍ଦ କରିଦେବୁ ବୋଲି ଏମାନେ ଚେତାବନୀ ଦେଇଛନ୍ତି । ସହ-କମାଣ୍ଡର ର‌୍ୟାଙ୍କର ଜଣେ ପାଇଲଟ୍‌ଙ୍କ କହିବାନୁଯାୟୀ, ଏପ୍ରିଲରେ ତାଙ୍କୁ ପିଲାର ସ୍କୁଲ ଫି’ ଦାଖଲ କରିବାକୁ ପଡିବ । ଏଭଳି କ୍ଷେତ୍ରରେ ଗହଣା ଏବଂ ଗାଡ଼ି ବନ୍ଧା ନ ରଖିଲେ ପିଲାର ସ୍କୁଲ ଫି’ ଦାଖଲ କରିବା ସମ୍ଭବ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି । ପାଇଲଟ୍‌ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ କମ୍ପାନିରେ ସେ ଆବେଦନ କରିଛନ୍ତି । କିନ୍ତୁ ଶିଳ୍ପର ଅବସ୍ଥାକୁ ଦେଖିଲେ ସୁରକ୍ଷିତ ଚାକିରିଟିଏ ପାଇବାକୁ ସମୟ ଲାଗିପାରେ । ଏଭଳି କ୍ଷେତ୍ରରେ କ’ଣ କରିବେ ବୁଦ୍ଧି ବାଟ ଦେଖାଯାଉନାହିଁ ବୋଲି ସେ କହିଛନ୍ତି ।

ଏହି ମାମଲାରେ ନିଜେ ପ୍ରଧାନମନ୍ତ୍ରୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ହସ୍ତକ୍ଷେପ କରନ୍ତୁ ବୋଲି ପାଇଲଟ୍‌ ସଂଘ ନ୍ୟାସ୍‌ନାଲ ଆଭିଏଟର୍ସ ଗିଲ୍‌ଡ ପକ୍ଷରୁ କୁହାଯାଇଛି । ପୂର୍ବରୁ ପାଇଲଟ୍‌ମାନେ ଶ୍ରମ ମନ୍ତ୍ରାଳୟ ନିକଟକୁ ଏ ନେଇ ଚିଠି ପଠାଇସାରିଛନ୍ତି । ସୂଚନାଯୋଗ୍ୟ, ଜେଟ୍‌ ଏୟାର୍‌ୱେଜ୍‌ରେ ବର୍ତ୍ତମାନ ୧୯୦୦ ପାଇଲଟ୍‌ କାର୍ଯ୍ୟ କରୁଛନ୍ତି । ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ଜେଟ୍‌ର ୨୬୦ ଜଣ ପାଇଲଟ୍‌ ସ୍ପାଇସ୍‌ଜେଟ୍‌ରେ ଆବେଦନ କରିଛନ୍ତି । ଏଥିମଧ୍ୟରୁ ୧୫୦ ଜଣ ହେଉଛନ୍ତି ବରିଷ୍ଠ କମାଣ୍ଡର ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ଦେଖନ୍ତୁ- ନୁସରତ୍‌ ଜାହାନ୍‌ ନୃତ୍ୟ କରିବା ସହ ଢାକ ବଜାଇବାର ଦୃଶ୍ୟ ଭାଇରାଲ୍‌