
ରାଞ୍ଚି,୨।୧୨: ଏନଆରସି ବିବାଦ ନେଇ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ କରିଛନ୍ତି ଟାର୍ଗେଟ। ସେ କହିଛନ୍ତି, ରାହୁଲ ବାବା(ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି) କହୁଛନ୍ତି, ଏନଆରସି ( ଜାତୀୟ ନାଗରିକ ରେଜିଷ୍ଟର) କ’ଣ ପାଇଁ ଆଣୁଛ(ମୋଦି ସରକାର)? ଅନୁପ୍ରବେଶକାରୀଙ୍କୁ କାହିଁକି ବାହାର କରୁଛନ୍ତି? ସେମାନେ କୁଆଡେ ଯିବେ? କ’ଣ ଖାଇବେ? ରାହୁଲଙ୍କୁ ମୋର ପ୍ରଶ୍ନ ସେମାନେ କ’ଣ ସମ୍ପର୍କରେ ଆପଣଙ୍କ ଦାଦା ପୁଅ ଭାଇ ଲାଗନ୍ତି। ଆସନ୍ତା ୨୦୨୪ ପୂର୍ବରୁ ଦେଶରେ ବାସକରୁଥିବା ସବୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଗୋଟି ଗୋଟି କରି ବିଦା କରାଯିବ, ବୋଲି ଗୃହମନ୍ତ୍ରୀ ଅମିତ ଶାହା ଚରମବାଣୀ ଶୁଣାଇଛନ୍ତି ଏହି ନିର୍ବାଚନୀ ସଭାରେ। ଆଜି ଝାଡ଼ଖଣ୍ଡର ପଶ୍ଚିମ-ସିଂହଭୂମି ଜିଲ୍ଲାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ କହିଛନ୍ତି ଶାହ।
ଏହା ସହିତ ଶାହ କହିଛନ୍ତି, ଦେଶରେ କଂଗ୍ରେସ ଦୀର୍ଘବର୍ଷ ଶାସନ କରିଛି। ଏଥିରେ ଦେଶବାସୀଙ୍କୁ କଣ ମିଳିଛି? ଏହା ସହିତ ଶାହ ବିକାଶର ହିସାବ ମାଗିଛନ୍ତି କଂଗ୍ରେସକୁ। ଏହା ସହିତ ସେ କହିଛନ୍ତି, ବିଜେପି ୫ ବର୍ଷର ବିକାଶର ଚିଠା ଲୋକଙ୍କୁ ଦେଇପାରିବ। ଏହି ସମୟରେ ଏନଆରସି ପ୍ରସଙ୍ଗ ନେଇ ଶାହ କହିଥିଲେ, ବେଆଇନ ଅନୁପ୍ରବେଶକାରୀଙ୍କୁ ଆମ ଦେଶରୁ ବିଦା କରିଦିଆଯିବ। ଆମ ଦେଶର ପ୍ରକୃତ ନାଗରିକ ଯେ କୌଣସି ଧର୍ମର ହୋଇଥିଲେ ମଧ୍ୟ ଏନଆରସି ତାଲିକାରେ ସ୍ଥାନ ପାଇବେ। ଉଲ୍ଲେଖନୀୟ ଯେ, କିଛି ଦିନପୂର୍ବେ ଶାହା ରାଜ୍ୟସଭାରେ କହିଥିଲେ, ସାରା ଦେଶରେ ଏନଆରସି ଲାଗୁ କରାଯିବ।ଏହାର ଜବାବରେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶାହା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଅନୁପ୍ରବେଶକାରୀ ବୋଲି କହିଥିଲେ। ସେ କହିଥିଲେ ଦୁହେଁ ସେମାନେ ଗୁଜୁରାଟରୁ ଦିଲ୍ଲୀକୁ ଆସିଛନ୍ତି, ତେଣୁ ସେମାନେ ଦେଶାନ୍ତରୀ।