ଦ୍ୱିତୀୟ ଦିନରେ ଝାଡ଼ଖଣ୍ଡରେ ଧର୍ମେନ୍ଦ୍ରଙ୍କ ନିର୍ବାଚନ ପ୍ରଚାର; ହାରିବା ଭୟରେ ବନ୍ଧୁକ ଧରି ଜନଜାତିଙ୍କ ହକ୍‌କୁ ଛଡ଼ାଇବା ପାଇଁ ଚାହୁଁଛି କଂଗ୍ରେସ

ରାଞ୍ଚି, ୦୨/୧୨: ହାରିବା ଭୟରେ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। ବନ୍ଧୁକ ଧରି ଜନଜାତିଙ୍କ ଅଧିକାରକୁ ଛଡାଇବା ପାଇଁ ଚାହୁଁଛନ୍ତି । ଏମାନେ ଜନଜାତିଙ୍କ ସେବା କରିବା ପାଇଁ କ୍ଷମତାକୁ ଆସିବାକୁ ଚାହୁଁନାହାନ୍ତି ବରଂ ଗୋଟିଏ ପରିବାରର ସେବା କରିବା ପାଇଁ ଚାହୁଁଛନ୍ତି । କଂଗ୍ରେସ ସରକାର ଦୁର୍ନୀତି କରି ରାଜ୍ୟବାସୀଙ୍କୁ ଲୁଟ୍‌ କରିବା ସହ କିଛି ଦେଇନାହିଁ ବୋଲି ରବିବାର ଝାଡଖଣ୍ଡର ଓଡିଆ ଭାଷାଭାଷୀ ଅଂଚଳ ମୋନହରପୁର, ଖରସୁଆଁ ଏବଂ ମଜଗାଓଁରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେବା ସହ ପୃଥକ ଏକ ପ୍ରେସମିଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ପାଇଁ ବୁଲେଟ୍‌ ନୁହଁ, ବାଲଟର ଲଢେଇ । ନକ୍ସଲଙ୍କ ବିରୋଧ ସତ୍ତେ୍ୱ ମଧ୍ୟ ଝାଡଖଣ୍ଡରେ ଭୋଟଦାନ ଉତ୍ସାହ ଜନକ ରହିଛି । ଗରିବ ଜନଜାତି, ଦଳିତ, ମହିଳା, ଯୁବ ସମୂହ ମାନଙ୍କର ବିଜେପି ପ୍ରତି ଅତୁଟ ଭରସା ରହିଛି । ଅସ୍ଥିର ସରକାର ହେବା ଦ୍ୱାରା ଗରିବଙ୍କ କ୍ଷତି ହୁଏ ।

ଦେଶକୁ ସ୍ଥିର ସରକାରର ଆବଶ୍ୟକତା ରହିଛି। ମୋଦି ସରକାର ଜନଜାତିଙ୍କ ବିକାଶକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗତ ୫ ବର୍ଷରେ କଂଗ୍ରେସ ସରକାର ଓ ମୋଦି ସରକାରରେ ଝାଡଖଣ୍ଡରେ ହୋଇଥିବା ବିକାଶର ସୂଚନା ପ୍ରଦାନ କରିଥିଲେ ଶ୍ରୀ ପ୍ରଧାନ । କହିଥିଲେ କଂଗ୍ରେସ ଶାସନ ସମୟରେ ଅର୍ଥ କମିଶନରେ ରାଜ୍ୟକୁ ଅନୁଦାନ ଆକାରରେ ମୋଟ ୫୫ ହଜାର ୨୫୩ କୋଟି ଟଙ୍କା ମିଳିଥିଲା । ମାତ୍ର ଦେଶରେ ମୋଦି ସରକାର ହେବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ଝାଡଖଣ୍ଡ ରାଜ୍ୟକୁ ୧ ଲକ୍ଷ ୪୩ ହଜାର ୩୪୫ କୋଟି ଟଙ୍କା ଦିଆଯାଇଛି ।

ଗତ ୫ ବର୍ଷରେ ଝାଡଖଣ୍ଡରେ ମୁଦ୍ରା ଯୋଜନାରେ ୩୧ ଲକ୍ଷ ଲାଭାର୍ଥୀଙ୍କୁ ୧୨ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧ କୋଟି ୨୬ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି । ସେହିପରି ୧୫ ଲକ୍ଷ ଘରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି, ୪୦ ଲକ୍ଷ ଶୋଚାଳୟ ନିର୍ମାଣ ହୋଇଛି, ଉଜ୍ଜାଲା ଯୋଜନାରେ ୧ କୋଟି ୩୫ ଲକ୍ଷ ଏଲଇଡି ବଲ୍‌ ବଂଟାଯାଇଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୩୨ ଲକ୍ଷ ଗରିବ ମା ଭଉଣୀଙ୍କ ଘରେ ମାଗଣା ଏଲପିଜି ସଂଯୋଗ ଦିଆଯାଇଛି ବୋଲି ସେ କହିଥିଲେ ।