ଆକ୍ରମଣ, ସଂକ୍ରମଣ ଭୟରେ ଝାରପଡ଼ାବାସୀ: ରାସ୍ତା ମଝିରେ କଏଦୀଙ୍କ କୁଢ଼ କୁଢ଼ ଅଇଁଠା ପତ୍ର

ଉତ୍ତର ଭୁବନେଶ୍ୱର,୧୩ା୨(ଆପ୍ର): ସାରା ରାଜଧାନୀ ଏବେ ବୁଲା ଷଣ୍ଢଙ୍କ ପ୍ରାଦୁର୍ଭାବ ଯୋଗୁଁ ଆତଙ୍କିତ । ଇତି ମଧ୍ୟରେ ବୁଲା ଷଣ୍ଢଙ୍କ ଆକ୍ରମଣରେ ରାଜଧାନୀରେ ମୁଣ୍ଡ ଗଡ଼ିଲାଣି । ଅନେକ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ତଥାପି କେହି କିଛି ଶିଖିଲେ ନାହିଁ । ସବୁଠାରୁ ଦୁଃଖର ବିଷୟ ହେଲା ଯେ ବାଡ଼ ଏଠି ଫସଲ ଖାଉଛି । ଖୋଦ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନଭାବ ଯୋଗୁଁ ଏବେ ଝାରପଡ଼ାବାସୀ ନର୍କଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି । ସଂକ୍ରମଣ ଓ ଆକ୍ରମଣର ଚକ୍ରବ୍ୟୁହରେ ଫସିଛନ୍ତି ଏଠିକାର ଲୋକେ ।

କଏଦୀଙ୍କ କୁଢ଼ କୁଢ଼ ଅଇଁଠା ପତ୍ର ଓ ପଚାସଢ଼ା ବଳକା ଖାଦ୍ୟ ରାସ୍ତା ମଝିରେ ପଡିରହୁଛି । ଆଉ ଏହି ଅଇଁଠା ସବୁ ଖାଇବା ପାଇଁ ଆସିଥିବା ଉକ୍ତ ଅଞ୍ଚଳର ବୁଲା ଷଣ୍ଢ ଓ କୁକୁର ଏବେ ପୁରା ଜେଲ ଛକରୁ ଲକ୍ଷ୍ମୀସାଗର ଥାନା ଯାଏଁ କବ୍‌ଜା କଲେଣି । ଏହି ରାସ୍ତା ଦେଇ ଯାଆସ କରୁଥିବା ଲୋକମାନେ ଅନେକ ସମୟରେ କୁକୁର ଓ ଷଣ୍ଢଙ୍କ ଆକ୍ରମଣର ଶିକାର ହେଉଛନ୍ତି । ତେଣୁ ଏମାନେ ଏକ ପ୍ରକାର ଆତଙ୍କିତ ସ୍ଥିତିରେ ।

ଆପଣମାନେ ଦେଖୁଥିବା ଫଟୋଚିତ୍ରରେ ଜଣେ ବୃଦ୍ଧା ରାସ୍ତା ମଝିରେ ଏତେ ସଂଖ୍ୟକ ଷଣ୍ଢ ଦେଖି ଜୀବନ ବଞ୍ଚାଇବା ପାଇଁ ଅତି ତରବର ହୋଇ ସେତକ ରାସ୍ତା ଅତିକ୍ରମ କରୁଛନ୍ତି । ସେଇଭଳି ଜେଲର ନର୍ଦ୍ଦମା ଓ ପଚା ସଢ଼ା ଖାଦ୍ୟର ର୍ଦୁଗନ୍ଧ ଲାଗି ଆଉ ଜଣେ ମହିଳା ନାକରେ ଲୁଗା ଦେଇ ଯାଉଛନ୍ତି । ଏହି ଚିତ୍ର କେବଳ ଏହି ଦୁଇ ମହିଳାଙ୍କ କ୍ଷେତ୍ରରେ ନୁହେଁ । ବରଂ ନିତିଦିନ ଏହି ରାସ୍ତାରେ ଯାଉଥିବା ହଜାର ହଜାର ଲୋକଙ୍କ କ୍ଷେତ୍ରରେ ଘଟୁଛି । ଏପରି ଦୂଷିତ ପରିବେଶରୁ ଏଠିକାର ଅଞ୍ଚଳରେ ଯେ ସଂକ୍ରମଣ ନବ୍ୟାପିବ ତାହା କହିବା ମୁସ୍କିଲ ।

ଏଇଭଳି ସ୍ଥିତି ଏଠାରେ ଅନେକ ଦିନ ଧରି ଦେଖା ଦେଇଥିଲେ ବି କେହି ବି ମୁହଁ ଖୋଲୁ ନାହାନ୍ତି । ବିଶେଷ କରି ଉକ୍ତ ଅଞ୍ଚଳର ଉଠା ବ୍ୟବସାୟୀ ମାନେ ବେଶି ପ୍ରଭାବିତ ହେଉଥିଲେ ବି ସୁଦ୍ଧା ଆଜି ଯାଏଁ ବାଧ୍ୟ ହୋଇ ଚୁପ ରହିଛନ୍ତି । କିନ୍ତୁ ଏବେ ଏଠାକାର ସ୍ଥିତି ଏକ ପ୍ରକାର ଅଣାୟତ ହେବାକୁ ବସିଲାଣି । ସମସ୍ତେ ଏବେ ଆକ୍ରମଣ ଓ ସଂକ୍ରମଣର ଆତଙ୍କରେ । ତେଣୁ ଉଭୟ ବିଏମସି ଓ ଜେଲ କର୍ତ୍ତୃପକ୍ଷ ଏହି ସବୁ ସମାସ୍ୟା ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ ସ୍ଥାନୀୟ ଜନ ସାଧାରଣ ଦାବି କରୁଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ସିପିଙ୍କୁ ଟ୍ୱିଟ୍‌ କରିବା ପଡିଲା ମହଙ୍ଗା, ‘ମିଛୁଆ ରାଧୁଆ’ ଆଖ୍ୟା ପାଇଲେ ଯୁବକ

ରାଜ୍ୟ ସରକାରଙ୍କୁ ବିରେଧୀ ଦଳ ନେତାଙ୍କ ପ୍ରସ୍ତାବ: ବିଧାୟକ ହାତ ପାଣ୍ଠି ୨ ବର୍ଷ ପାଇଁ ବନ୍ଦ କର