ଝାରସୁଗୁଡ଼ା ଦେଇ ବିମାନ ଯାତ୍ରୀ ସଂଖ୍ୟାରେ ଅଭିବୃଦ୍ଧି ଉତ୍ସାହଜନକ, ମାସକରେ ୯ ହଜାର ୮୫୦ ଯାତ୍ରୀଙ୍କ ଯାତ୍ରା

ଝାରସୁଗୁଡ଼ା,୨୮ା୪(ଆପ୍ର): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡ଼ାନ-୩ ଯୋଜନାରେ ନିୟମିତ ବିମାନସେବା ଆରମ୍ଭ ହେବାକୁ ମାସେ ପୂରିବାକୁ ଯାଉଛି । ଝାରସୁଗୁଡ଼ାରୁ ଦିଲ୍ଲୀ, କୋଲକାତା ଏବଂ ହାଇଦ୍ରାବାଦକୁ ସ୍ପାଇସ୍‌ଜେଟ୍‌ ଏୟାରଲାଇନ୍ସ ପକ୍ଷରୁ ବିମାନସେବା ଯୋଗାଇ ଦିଆଯାଉଛି । ହେଲେ ଗତ ମାର୍ଚ୍ଚ ୩୧ ଠାରୁ ଅଦ୍ୟାବଧି ୯ ହଜାର ୮୫୦ ଜଣ ଯାତ୍ରୀ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଯାତାୟାତ କରିଛନ୍ତି । ଯାହାକି ଏକ ବଡ଼ ଉପଲବ୍ଧି । ବିମାନସେବା ଆରମ୍ଭ ସମୟରେ ଏଭଳି ଯାତ୍ରୀ ସଂଖ୍ୟାରେ ଅଭିବୃଦ୍ଧି ବେଶ ଉତ୍ସାହଜନକ । ଆଗକୁ ଦେଶର ପ୍ରମୁଖ ସହର ଗୁଡ଼ିକ ସହ ଝାରସୁଗୁଡ଼ା ବିମାନସେବା କ୍ଷେତ୍ରରେ ଯୋଡ଼ି ହେବା ଦିଗରେ ଏହା ଖୋରାକ ଯୋଗାଇଛି ବୋଲି ଆଜି ଝାରସୁଗୁଡ଼ା ବିମାନବନ୍ଦର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ କହିଛନ୍ତି ।

ଝାରସୁଗୁଡ଼ାରୁ ବିମାନସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ସଂଖ୍ୟା ଏବଂ ବିମାନସେବାକୁ ନେଇ ସାମ୍ବାଦିକଙ୍କୁ ସୂଚନା ଦେବାକୁ ଯାଇ ନିର୍ଦ୍ଦେଶକ କହିଥିଲେ, ଝାରସୁଗୁଡ଼ା ଏବଂ ଦିଲ୍ଲୀ ମଧ୍ୟରେ ବିମାନ ଚଳାଚଳ ସବୁଠାରୁ ସଫଳ ରହିଛି । ଝାରସୁଗୁଡ଼ାରୁ ଦିଲ୍ଲୀକୁ ସର୍ବାଧିକ ୯୫ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ବେଳେ ଦିଲ୍ଲୀରୁ ଝାରସୁଗୁଡ଼ାକୁ ୯୦ ପ୍ରତିଶତ ଯାତ୍ରୀ ଯାତ୍ରା କରିଛନ୍ତି । ସେହିପରି ଦିଲ୍ଲୀ-ଝାରସୁଗୁଡ଼ା ହାରାହାରୀ ଯାତ୍ରୀ ସଂଖ୍ୟା ୯୩ ପ୍ରତିଶତ ରହିଛି । କୋଲକାତାରୁ ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ାରୁ କୋଲକାତା ମଧ୍ୟରେ ହାରାହାରୀ ୬୦ ପ୍ରତିଶତ ଯାତ୍ରୀ ଯାତ୍ରା କରିଥିବା ବେଳେ ହାଇଦ୍ରାବାଦରୁ ଝାରସୁଗୁଡ଼ା ଏବଂ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଯାତ୍ରୀଙ୍କ ସଂଖ୍ୟା ହାରାହାରି ୭୦ ପ୍ରତିଶତ ରହିଛି । ତିନିଟିଯାକ ରୁଟ୍‌ରେ ଯାତ୍ରୀ ସଂଖ୍ୟା ୭୫ ପ୍ରତିଶତ ରହିଛି । ଯାହାକି କୌଣସି ବି ବିମାନବନ୍ଦର କ୍ଷେତ୍ରରେ ପ୍ରାରମ୍ଭିକ ବିମାନସେବା ସମୟରେ ବେଶ ଉତ୍ସାହପ୍ରଦ । ପ୍ରତିଦିନ ହାରାହାରୀ ୩୫୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଝାରସୁଗୁଡ଼ାକୁ ମାସକ ମଧ୍ୟରେ ୪୬୯୨ ଜଣ ଯାତ୍ରୀ ଅର୍ଥାତ ଦୈନିକ ୧୭୦ ଜଣଙ୍କ ଆଗମନ ହୋଇଛି ଏବଂ ଝାରସୁଗୁଡ଼ାରୁ ବାହାରକୁ ୫୧୬୦ ଜଣ ଯାତ୍ରୀ ଅର୍ଥାତ ଦୈନିକ ୧୮୫ ଜଣ ଯାତ୍ରୀ ବାହାରକୁ ଯାତ୍ରା କରିଛନ୍ତି ।

ଝାରସୁଗୁଡ଼ାରୁ ଅନ୍ୟ ସବୁ ରୁଟ ଅର୍ଥାତ ଭୁବନେଶ୍ୱର, ମୁମ୍ବାଇ, ରାୟପୁର ଆଦିକୁ ବିମାନସେବା ଆରମ୍ଭ ନେଇ ଯୋଜନା ରହିଛି । ଜେଟ ଏୟାରୱେଜକୁ ଝାରସୁଗୁଡ଼ାରୁ ମୁମ୍ବାଇକୁ ବିମାନସେବା ଯୋଗାଇବା ଲାଗି ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସଂପ୍ରତି ଜେଟ୍‌ ଏୟାରୱେଜ୍‌ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ଏହି ରୁଟ୍‌ରେ ବିମାନସେବା ବିଳମ୍ବିତ ହୋଇପାରେ । ସେହିପରି ଝାରସୁଗୁଡ଼ାରୁ କୋଲକାତା, ଝାରସୁଗୁଡ଼ାରୁ ରାୟପୁର ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଏଲାୟନ୍ସ ଏୟାରକୁ ବିମାନସେବା ଲାଗି ଦାୟିତ୍ୱ ଦିଆଯାଇଛି । ମାତ୍ର ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ଥିବାରୁ ଏହି ସବୁ ରୁଟ୍‌ରେ ବିମାନସେବା ଦିଗରେ ସମସ୍ୟା ରହିଛି । ଆଚରଣ ବିଧି ଉଠିବା ପରେ ବିମାନସେବା ଚାଲୁ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ନିର୍ଦ୍ଦେଶକ କହିଥିଲେ ।

ସେହିପରି ଝାରସୁଗୁଡ଼ାରୁ ରାୟପୁର ଏବଂ ଝାରସୁଗୁଡ଼ାରୁ ଭୁବନେଶ୍ୱର ମଧ୍ୟରେ ଟର୍ବୋ ଏଭିଏସନ ପକ୍ଷରୁ ବିମାନ ଚଳାଚଳ ନେଇ ପ୍ରସ୍ତୁତିର କୌଣସି ସୂଚନା ନାହିଁ । ଖାସକରି ଝାରସୁଗୁଡ଼ାରୁ ବେଙ୍ଗାଲୁରୁକୁ ବିମାନସେବା ନେଇ ବିଭିନ୍ନ ମହଲରୁ ଦାବି ଜୋର୍‌ ଧରିଥିବାରୁ ଏ ଦିଗରେ ଏୟାରଲାଇନ୍ସ ଗୁଡ଼ିକ ସହ ଯୋଗାଯୋଗ କରାଯାଇଛି ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଯାତ୍ରୀଙ୍କ ଲାଗି ବିମାନବନ୍ଦରରେ ରହିଥିବା ବ୍ୟବସ୍ଥା ଏବଂ ସେବାକୁ ନେଇ କୌଣସି ଆପତ୍ତି ଅଭିଯୋଗ ନଥିବା ବେଳେ ଆଗକୁ ସେବା କ୍ଷେତ୍ରରେ ଆହୁରି ଉନ୍ନତି ଘଟିବ । ବିମାନବନ୍ଦରକୁ ଯାତ୍ରୀଙ୍କ ଆସିବା ଏବଂ ଏଠାରୁ ଓହ୍ଲାଇବା ପରେ ବାହାରକୁ ଯିବା ଲାଗି ପ୍ରିପେଡ୍‌ ଟ୍ୟାକ୍ସି ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଥିବାର ସୂଚନା ଦେଇଥିଲେ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ରୁ ଯାତ୍ରୀମାନେ ଏଠାରୁ ବିମାନସେବାର ସୁବିଧା ନେଉଥିବା ବେଳେ ଆଗକୁ ଯାତ୍ରୀ ସଂଖ୍ୟାରେ ଅଭିବୃଦ୍ଧିର ସମସ୍ତ ସମ୍ଭାବନା ରହିଛି ଏବଂ ବିମାନବନ୍ଦରର ଭବିଷ୍ୟତ ବେଶ ଉଜ୍ୱଳ ଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଆଶାବାଦୀ ବୋଲି ଶ୍ରୀ ଚୌହାନ କହିଥିଲେ ।

   ସମ୍ବନ୍ଧିତ ଖବର


ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ

ମୃତ୍ୟୁର ତାଣ୍ଡବ ରଚିଲା ଇଣ୍ଟରସିଟି ଏକ୍ସପ୍ରେସ୍, ଚାଲିଗଲା ୩୧ ମଇଁଷିଙ୍କ ଜୀବନ

୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, ଆରମ୍ଭ ହେବ କୁମ୍ଭୀର ଗଣନା

କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହିରୋ ସୋରୁମ୍‌ ଦମ୍ପତି

ଫ୍ୟାନ୍‌ରେ ଝୁଲିପଡିଲେ ନାବାଳିକା, ମୃତ୍ୟୁର କ’ଣ ରହିଛି କାରଣ…