୧୧ ବର୍ଷ ପରେ ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ : ବିଜେଡ଼ି ଏବଂ ବିଜେପି ଟିକେଟରେ ବିଧାନସଭାକୁ ହୋଇଛନ୍ତି ୩ଥର ନିର୍ବାଚିତ

ବାଲେଶ୍ବର ୧୪।୧: ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପ୍ରଦୀପ ଦାସ ବିଜେପିରେ ଯୋଗଦେଇଛନ୍ତି । ବାଲେଶ୍ବର ସହରର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ମିଶିଛନ୍ତି ।

ନଭେମ୍ବର ୬ ତାରିଖରେ ଜୀବନ ପ୍ରଦୀପ ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ । ଉପନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ନଭେମ୍ବର ୫ ତାରିଖରେ ଦଳରୁ ନିଲମ୍ବିତ କରିଥିଲେ । ଜୀବନ ପ୍ରଦୀପ ଦାସ ବାଲେଶ୍ବର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ ।

ତେବେ ଜୀବନ ପ୍ରଦୀପ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ବର ସଦର ଆସନରେ ବିଜୟୀ ହୋଇଥିଲେ । ତେବେ ଏହା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି । ସେପଟେ ଆଗାମୀ ମ୍ୟୁନିସିପାଲିଟି ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଜୀବନ ପ୍ରଦୀପଙ୍କୁ ଦଳରେ ସାମିଲ କରିଥିବା କୁହାଯାଉଛି ।