ଜୀବନ ସହ ଖେଳୁଛି ଚୀନ୍‌

ନୂଆଦିଲ୍ଲୀ: ବିଶ୍ୱକୁ କରୋନା ଭୂତାଣୁ ବାଣ୍ଟିଥିବା ଚୀନ୍‌ ଏବେ ଲୋକଙ୍କ ଜୀବନକୁ ନେଇ ଖେଳୁଛି । ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ଟିକା ଅତ୍ୟନ୍ତ ଜରୁରି ହୋଇଥିବାରୁ ଚୀନ୍‌ ଏହାକୁ ନେଇ ବିପଦପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଚୂଡ଼ାନ୍ତ ନିୟାମକ ମଞ୍ଜୁରି ପୂର୍ବରୁ ଦେଶର ସରକାର ହଜାର ହଜାର ଲୋକଙ୍କୁ ଟିକା ଡୋଜ୍‌ ଦେଇଛି । ସେମାନଙ୍କ ଶରୀର ଉପରେ ଏହାର କି ପ୍ରଭାବ ପଡ଼ିବ, ଜୀବନ ରହିବ କି ନାହିଁ, ତାହା ପରଖିବା ପୂର୍ବରୁ ଲୋକମାନଙ୍କୁ ଟିକା ଦିଆଯାଇଛି ।

କରୋନା ଟିକା ଦୌଡ଼ରେ ଆଗୁଆ ରହିବା ଲାଗି ଚୀନ୍‌ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଆମେରିକା, ଭାରତ, ବ୍ରାଜିଲ ଓ ରୁଷ ଭଳି ଦେଶ କରୋନା ସଂକ୍ରମଣରେ ଘାଣ୍ଟି ହେଉଥିବା ବେଳେ ଟିକା ବାହାର କରି ଲାଭବାନ ହେବା ଆଶାରେ ଚୀନ୍‌ ଏହି କାରସାଦି କରିଛି । ଟିକା ଡୋଜ୍‌ ନେଇଥିବା ଲୋକଙ୍କଠାରୁ ଏହା ‘ତଥ୍ୟ ପ୍ରଘଟ ନ କରିବା ଚୁକ୍ତି’ ବାବଦ ଦସ୍ତଖତ ବି ନେଇଛି । ତେଣୁ ଏମାନେ କୌଣସି ଗଣମାଧ୍ୟମକୁ ପ୍ରସଙ୍ଗ ନେଇ କହିଲେ, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚୀନ୍‌ ପ୍ରକୃତରେ କେତେଜଣଙ୍କୁ ଏହି ଅସୁରକ୍ଷିତ କରୋନା ଟିକାର ଡୋଜ୍‌ ପ୍ରଦାନ କରିଛି, ସେ ବାବଦରେ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ । କିନ୍ତୁ ଚୀନ୍‌ର ଟିକା ନିର୍ମାତାମାନେ ଏ ନେଇ କିଛି ପରୋକ୍ଷ ସୂଚନା ଦେଇଛନ୍ତି । ରାଷ୍ଟ୍ରାୟତ୍ତ ସିନୋଫାର୍ମର ସହଯୋଗୀ ସଂସ୍ଥା ସିଏନ୍‌ବିଜି କ୍ଲିନିକାଲ୍‌ ଟ୍ରାଏଲ୍‌ ବାହାରେ ୩,୫୦,୦୦୦ ଲୋକଙ୍କୁ ଟିକା ପ୍ରଦାନ କରିଛି । ତେବେ ପାଖାପାଖି ୪୦,୦୦୦ ଲୋକ ଏଥିଲାଗି ନାମାଙ୍କନ କରାଇଥିବା ଜଣାପଡ଼ିଛି । ସିଏନ୍‌ବିଜିର ଜଣେ କାର୍ଯ୍ୟନିର୍ବାହୀ ଏହି ସୂଚନା ଦେଇଛନ୍ତି ।

ଖବର ମୁତାବକ ରାଷ୍ଟ୍ରାୟତ୍ତ କମ୍ପାନି କର୍ମଚାରୀ, ସରକାରୀ ଅଧିକାରୀ, ଟିକା କମ୍ପାନିରେ କାମ କରୁଥିବା ଲୋକ, ଶିକ୍ଷକ ଆଦିଙ୍କୁ ଏହି ଅସୁରକ୍ଷିତ ଟିକାକରଣରେ ସାମିଲ କରାଯାଇଛି । ଜରୁରି ଭିତ୍ତିରେ ଏଭଳି ପଦକ୍ଷେପ ନିଆଯାଇଛି । ଚୀନ୍‌ର ଏଭଳି କାର୍ଯ୍ୟ ଉପରେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି । ଉଲ୍ଲେଖଯୋଗ୍ୟ, ଚୀନ୍‌ ଏହାର କରୋନା ଟିକା ବିକାଶ କାର୍ଯ୍ୟକ୍ରମ ବାବଦରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ସମସ୍ତ ସୂଚନା ଦେଇଥିବା ପୂର୍ବରୁ ଦାବି କରିଥିଲା । ଏମିତି କି ଚୀନ୍‌କୁ ଏଥିପାଇଁ ଡବ୍ଲ୍ୟୁଏଚ୍‌ଓ ସହଯୋଗ କରୁଥିବା ମଧ୍ୟ କହିଥିଲା ।

ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନଙ୍କ ମୁତାବକ ବର୍ତ୍ତମାନର ଜରୁରି ପରିସ୍ଥିତିରେ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ନିଜସ୍ୱ କ୍ଷେତ୍ରାଧିକାରରେ ଡାକ୍ତରୀ ଉତ୍ପାଦକୁ ମଞ୍ଜୁର କରାଇ ବ୍ୟବହାର କରିପାରିବେ । କିନ୍ତୁ ଏହାକୁ ଅସ୍ଥାୟୀ ଭାବେ ଅନୁମତି ମିଳିପାରିବ ବୋଲି ସେ କହିଥିଲେ । ଚୀନ୍‌ କିନ୍ତୁ ଏହାର ଫାଇଦା ଉଠାଇ ଅତ୍ୟନ୍ତ ଅସୁରକ୍ଷିତ ଭାବେ ଲୋକଙ୍କୁ କରୋନା ଟିକା ଦେଇ ତାହାର ପରୀକ୍ଷା କରାଉଛି । ଏହା ପୂର୍ବରୁ ଚୀନ୍‌ ଏହାର ସୈନିକଙ୍କ ଉପରେ ଟିକା ପ୍ରୟୋଗ କରିଥିଲା ।

ଚୀନ୍‌ରେ ଏ ପର୍ଯ୍ୟନ୍ତ ୧୧ଟି ଟିକାର କ୍ଲିନିକାଲ ପରୀକ୍ଷଣ ଜାରି ରହିଛି । ତନ୍ମଧ୍ୟରୁ ୪ଟି ଟିକା ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରୁ ଦୁଇଟି ଟିକା ରାଷ୍ଟ୍ରାୟତ୍ତ ଚାଇନା ନ୍ୟାସନାଲ ବାୟୋଟେକ୍‌ ଗ୍ରୁପ୍‌ ଦ୍ୱାରା ବିକଶିତ ହୋଇଥିବା ବେଳେ ସିନୋଭାକ୍‌ ବାୟୋଟେକ୍‌ ଗୋଟିଏ ବିକାଶ କରିଛି । କାନ୍‌ସିନୋ ବାୟୋଲଜିକ୍ସ ଦ୍ୱାରା ଚତୁର୍ଥ ଟିକାଟି ପ୍ରସ୍ତୁତ କରାଯାଇଛି । ଜୁନ୍‌ରେ ଏହି ଟିକାକୁ ସୈନିକମାନଙ୍କୁ ଦିଆଯାଇଥିଲା ।

   ସମ୍ବନ୍ଧିତ ଖବର


କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…