ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ : ଜାମିନରେ ଆସି ତିନି ଜଣଙ୍କୁ କଲା ରକ୍ତାକ୍ତ, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌

ନୀଳଗିରି ୩୧।୧୦: ଜାମିନରେ ଆସି ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ। ତିନିଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡିଛି। ଏବେ ସାରା ଅଞ୍ଚଳରେ ଖେଳି ଯାଇଛି ଆତଙ୍କ। ଘଟଣାସ୍ଥଳରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ନୀଳଗିରି ଥାନା ମିରିଗିଣି ନିକଟ ନିଶଙ୍ଖପୁର ଅଞ୍ଚଳରେ ଆତଙ୍କ ଚଳାଇବା ସହ ଜଣେ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଆଭିଯୋଗରେ ତୁମ୍ବିତୋଫାନ ଉଠିଥିଲା। ତାଙ୍କ ବିରୋଧରେ କଠୋର  କାର୍ଯ୍ୟାନୁଷ୍ଠାନ ଦାବିରେ ଅଞ୍ଚଳବାସୀ ନୀଳଗିରି ବଉଳଗଡ଼ିଆ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଯାହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ପୁଣି କିଛି ଦିନ ପରେ ସେ ଜାମିନ ପାଇ ଆସି  ପ୍ରତିହିଂସା ପରାୟଣ ହୋଇପଡିଥିବା ଅଭିଯୋଗ ଆସିଛି। ନୀଳଗିରି ବଉଳଗଡ଼ିଆ ରାସ୍ତା ଗୋପ ଛକ ଠାରେ ଏକ ଟ୍ରକ ସମ୍ମୁଖରେ ଆଡ୍ଡା ପକାଇ ଗାଡି ଚାଳକ ସାନପାଟପୁର ଅଂଚଳର ପିତାମ୍ବର ମଣ୍ଡଳ (୪୦)ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା।

ସେହିରାସ୍ତା ଦେଇ ଯାଉଥିବା ଲୋକମାନଙ୍କୁ ଭୟଭୀତ ମଧ୍ୟ କରିବା ସହ ଅଳସୁଆ ଗ୍ରାମର ସୁମନ୍ତ ବେହେରା (୪୨) ଓ ବାଉଁଶବଣିଆ ଅଂଚଳର ଲମ୍ବୋଧର ପଣ୍ଡିତ (୨୭) ପ୍ରତିବାଦ କରିଥିଲେ। ରାଜା ଦୁଇ ଜଣକୁ ଆକ୍ରମଣ କରିଥିବା ଜଣାପଡିଛି। ଘଟଣାସଂପର୍କରେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ରାଜାକୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ବାରମ୍ବାର ଅଞ୍ଚଳର ରାଜା ଅରାଜକତା ନେଇ ଉତ୍ତେଜନା ବୃଦ୍ଧି ପାଇଛି।