ପ୍ରେମ ଜାଲରେ ଫସାଇ କଲେଜ୍ ଛାତ୍ରୀଙ୍କୁ ଧୋକା: ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଫସିଲେ ପ୍ରେମିକ, ଗିରଫ କଲା ପୁଲିସ

ଦେବଗଡ ୨୪/୦୧: ଗାଁରେ ଜହ୍ନିଓଷା କରୁଥିବା ବେଳେ ଦେବଗଡ଼ ଥାନାଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲ ହ୍ୱାଟସ୍ଆପ୍ରେ ଭାଇରାଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଅନ୍ୟପକ୍ଷରେ ମୋବାଇଲ ଫେସବୁକ୍ ଭାଇରାଲ ଘଟଣା ଗତ ୨୧ ତାରିଖରୁ ଘଟିଥିବା ବେଳେ ଛାତ୍ରୀ ଜଣକ ଲୋକଲଜ୍ଜାରୁ ୨ ଦିନ ଚୁପ୍ ରହିବା ପରେ ଗତକାଲି ଦେବଗଡ଼ ଥାନାରେ ତଥାକଥିତ ପ୍ରେମିକ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି । ଏନେଇ ମଡେଲ ଥାନା ଆଇଆଇସି ସୁରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ମୋବାଇଲ ଟ୍ରାକିଂ କରି ଫେରାର୍ ଅଭିଯୁକ୍ତ ଦେବଗଡ଼ ଥାନା ତଥା ବାରକୋଟ ବ୍ଲକ କାଲକାଠ ଗାଁର ସିକି ପାତ୍ର(୧୯)କୁ ଅଟକ ରଖିଛି । ଏଥିସହ ସଂପୃକ୍ତ ଛାତ୍ରୀଙ୍କୁ ସ୍ଥାନୀୟ ପ୍ରଧାନପାଟ ସ୍ଥିତ ସଖୀ ମହିଳା ଗୃହରେ ଆଶ୍ରୟ ଦେବା ସହ ପୁଲିସ୍ ସୋମବାର କୋର୍ଟରେ ତାଙ୍କ ବୟାନ ରେକର୍ଡ କରିବ ବୋଲି ସୂଚନା ଦେଇଛି ।
ଅଭିଯୋଗ ଅନୁସାରେ ଉକ୍ତ ଛାତ୍ରୀ ଜଣକ ଏକ ମହିଳା କଲେଜରେ ପଢୁଥିବା ବେଳେ ଗତବର୍ଷ ଅକ୍ଟୋବରରେ ସାଙ୍ଗସାଥୀଙ୍କ ସହ ଜହ୍ନି ଓଷା କରୁଥିଲେ । ସେଦିନ ତାଙ୍କ ଗାଁକୁ ଆସିଥିବା ସିକି ତାଙ୍କୁ ବିବାହ କରିବ କହି ପ୍ରେମ ନିବେଦନ କରିଥିଲା । ଏପରିକି ଛାତ୍ରୀ ଜଣକ କଲେଜ ଯିବା ରାସ୍ତାରେ ଅଟକାଇ ତାଙ୍କୁ ବିବାହ ନକଲେ କିମ୍ବା ଏକଥା କାହାକୁ କହିଲେ ଆତ୍ମହତ୍ୟା କରିବି କହି ଅଭିଯୁକ୍ତ ଜଣକ ବ୍ଲାକ୍ମେଲିଂ କରିବାରୁ ଛାତ୍ରୀ ଜଣକ ଭୟରେ କାହାକୁ କିଛି କହିନଥିଲେ । ସେହିକ୍ରମରେ ଛାତ୍ରୀ ଜଣକ ଗତ ନଭେମ୍ବର ୨୫ ତାରିଖ କଲେଜ ଯାଇଥିବା ବେଳେ ସିକି ଫୋନରେ ତାଙ୍କୁ କୁରଡକୋଟ ପ୍ରପାତ ବୁଲିଯିବା କହି ଡାକି ନେଇଥିଲା । ଏପରିକି କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇବା ସହ ନିଜ ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲା । ଏପରିକି ପୁଲିସ୍କୁ ଗଲେ କିମ୍ବା ଏକଥା ପ୍ରଘଟ୍ଟ କଲେ ହତ୍ୟା କରିବାକୁ ଧମକ୍ ଦେଇଥିଲା ବୋଲି ଛାତ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷରେ କଲେଜ ବନ୍ଦ ହେବା ସହ ଛାତ୍ରୀ ଜଣକ ଘରେ ରହିଥିବା ବେଳେ ତଥାକଥିତ ପ୍ରେମିକ ସିକି ତାଙ୍କୁ ବାରମ୍ବାର ବ୍ଲାକ୍ ମେଲିଂ କରିଚାଲିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଛାତ୍ରୀ ଜଣକ ଏଭଳି ଆଚରଣକୁ ବିରୋଧ କରିବାରୁ ସିକି ଗତ ଶୁକ୍ରବାର ପୁରୁଣା ଫଟୋ ଗୁଡିକୁ ନିଜ ଫେସବୁକ୍ରେ ଭାଇରାଲ୍ କରିଥିଲା । ଏକଥା ଜଣା ପଡିବାପରେ ଛାତ୍ରୀ ଜଣକ ନିଜ ପରିବାର ଲୋକଙ୍କ ସହ ଗତକାଲି ସନ୍ଧ୍ୟାରେ ମଡେଲ ଥାନା ପହଞ୍ଚି ଅଭିଯୋଗ କରିଥିଲେ