ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଜଷ୍ଟିସ୍ ଅଜିତ ସିଂହ

ଭୁବନେଶ୍ୱର,୨ା୩(ବ୍ୟୁରୋ): ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍ ଅଜିତ ସିଂହ । ଲୋକାୟୁକ୍ତ ଚୟନ କମିଟିର ସୁପାରିଶ ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଜଷ୍ଟିସ ସିଂହଙ୍କୁ ଲୋକାୟୁକ୍ତ ଭାବେ ନିଯୁକ୍ତ କରିଛନ୍ତି । ଜଷ୍ଟିସ ସିଂହ ହେଉଛନ୍ତି ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ।
ଲୋକାୟୁକ୍ତ ନିଯୁକ୍ତି ନେଇ ଦୀର୍ଘ ୫ ବର୍ଷ ଧରି ଚାଲିଥିବା କସରତ ଆଜି ଚୂଡ଼ାନ୍ତ ରୂପ ନେଇଛି । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠ ଅନୁସାରେ ଧାର୍ଯ୍ୟ ତାରିଖର ମାସକ ପୂର୍ବରୁ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ସାରିଛନ୍ତି ।
୧୯୫୬ ମସିହାରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ୍ ସିଂହ ୧୯୭୯ ମସିହାରେ ମଧ୍ୟପ୍ରଦେଶର ଜବଲପୁରରୁ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୨ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟରେ ଅତିରିକ୍ତ ବିଚାରପତି ନିଯୁକ୍ତ ହୋଇଥିଲେ । ପରେ ରାଜସ୍ଥାନ, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ହାଇକୋର୍ଟରେ କାର୍ଯ୍ୟ କରିଥିଲେ । ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଥିଲେ ।
ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୪ ଫେବ୍ରୁଆରୀ ୧୪ରେ ଓଡ଼ିଶା ବିଧାନସଭାରେ ଲୋକାୟୁକ୍ତ ବିଲ୍ ପାସ୍ ହୋଇଥିଲା । ୨୦୧୫ ଜାନୁଆରୀ ୧୬ରେ ଏହି ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ମାତ୍ର ଲୋକାୟୁକ୍ତ ନିଯୁକ୍ତି ହୋଇନଥିବାରୁ ସୁପ୍ରମିକୋର୍ଟରେ ମାମଲା ରୁଜୁ ହୋଇଥିଲା । ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ରାଜ୍ୟ ସରକାର ଲୋକାୟୁକ୍ତ ନିଯୁକ୍ତି ନେଇ ଅଣ୍ଟା ଭିଡ଼ିଥିଲେ । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ପ୍ରତିଶ୍ରୁତି ଦେଇଥିଲେ ଯେ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ଲୋକାୟୁକ୍ତ ଚୟନ ପ୍ରକ୍ରିୟା ସାରିବେ ଓ ଏପ୍ରିଲ ୮ରୁ ଲୋକାୟୁକ୍ତ କାର୍ଯ୍ୟ କରିବେ । ଏହା ପରେ ଚୟନ କମିଟି ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତି କେଏସ ଜାଭେରୀ, ବାଚସ୍ପତି ପ୍ରଦୀପ କୁମାର ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ଥିଲେ । ବୈଠକରେ ସର୍ବସମ୍ମତିକ୍ରମେ ଜଷ୍ଟିସ ସିଂହଙ୍କ ନାମରେ ହିଁ ମୋହର ଲାଗିଥିଲା । ଚୟନ କମିଟିର ପ୍ରସ୍ତାବ ରାଜଭବନ ପଠାଯାଇଥିଲା । ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।