କାବେରୀ ଜଳ ବିବାଦ ସ୍ଥିତି ଓଡ଼ିଶାରେ ନାହିଁ

ଜଗତସିିଂହପୁର,୧୧ା୨(ଆପ୍ର): କାବେରୀ ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡ଼ୁ ରାଜ୍ୟରେ ଯେଉଁଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେଭଳି ଅବସ୍ଥା ଓଡ଼ିଶାରେ ଦେଖା ଦେଇନାହିଁ । ଶସ୍ତା ରାଜନୀତି କରିବାକୁ ଯାଇ ବିଜେଡି ସରକାର ମହାନଦୀ ଜଳ ପ୍ରସଙ୍ଗରେ ଓଡ଼ିଶାର ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଛନ୍ତି । ଏହାଛଡ଼ା ଛତିଶଗଡ଼ର ତତ୍‌କାଳୀନ ସରକାର ଜବରଦସ୍ତ ମହାନଦୀର ଜଳକୁ ଅବରୋଧ କରି ଯେଉଁ ଡ୍ୟାମ୍‌ ସବୁ ନିର୍ମାଣ କରିଥିବା ଅଭିଯୋଗ ଅଣାଯାଉଛି, ସେ ସଂକ୍ରାନ୍ତରେ ଟିକିନିଖି ଚିଠି ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କୁ ଡ୍ୟାମ୍‌ ନିର୍ମାଣ ସମୟରେ ଅବଗତ କରାଯାଇଥିଲା । ହେଲେ କୌଣସି ଗୋଟିଏ ଚିଠିର ଉତ୍ତର ସେତେବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଛତିଶଗଡ଼ ସରକାରଙ୍କୁ ପ୍ରଦାନ କରାଯାଇନଥିଲା । ଏବେ ତ ଛତିଶଗଡ଼ରେ କଂଗ୍ରେସ ସରକାର ଆସିଛି । ଆମେ ବି ଆହ୍ୱାନ କରୁଛୁ, ଯଦି କିଛି ମତାନ୍ତର ମନାନ୍ତର ରହିଛି ତାହା ଉଭୟ ସରକାର ବସି ଆଲୋଚନା କରିପାରିବେ । କିନ୍ତୁ ନିଦରେ ଶୋଇଥିବା ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଆଲୋଚନା ମାଧ୍ୟମରେ ସମାଧାନ କରିବାର ରାସ୍ତା ବାହାର କରିବା ବଦଳରେ ଭୋଟ ବ୍ୟାଙ୍କ ହାତେଇବା ଲକ୍ଷ୍ୟ ରଖି କୁହେଳିକା ରଚୁଥିବା ଛତିଶଗଡ଼ ମନ୍ତ୍ରୀ ଟି.ଏସ୍‌ ସିଂହଦେଓ ଯୁକ୍ତି ବାଢ଼ିଛନ୍ତି ।
ସାଧାରଣ ନିର୍ବାଚନ ପୂର୍ବରୁ ଜନବାଦୀ ଇସ୍ତାହାର ପ୍ରସ୍ତୁତି ଉପଲକ୍ଷେ ଜଗତସିଂହପୁର ଗସ୍ତରେ ଆସିଥିବା ଛତିଶଗଡ଼ ମନ୍ତ୍ରୀ ଶ୍ରୀ ସିଂହଦେଓ ନିଜ ଦଳର ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ କରିବା ସହ ଓଡ଼ିଶା ସରକାରଙ୍କ ବିଫଳତା ସୂଚିତ କରିଥିଲେ । ବିଶେଷକରି ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନ କାର୍ଯ୍ୟକୁ ସମାଲୋଚନା କରିବାକୁ ପଛେଇ ନ ଥିଲେ । ଓଡ଼ିଶାରେ ଶାସନ କରୁଥିବା ବିଜେଡି ସରକାର ସମୂହ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟ କରିବା ବଦଳରେ ନିଜର ସ୍ୱାର୍ଥ ପୂରଣ ହେଉଥିବା କାର୍ଯ୍ୟକୁ ଅଗ୍ରାଧିକାର ଦେଉଛି । ଏଣେ ନିଜର ବିଫଳତାକୁ ଘୋଡ଼ାଇବା ପାଇଁ କଂଗ୍ରେସ ମୁଣ୍ଡରେ ଅଠା ବୋଳୁଛି । ଏତିକି କହିବି, ପୂର୍ବରୁ ଛତିଶଗଡ଼ରେ ମଧ୍ୟ ଓଡ଼ିଶା ଭଳି ସମସ୍ୟା ଭରି ରହିଥିଲା । ମାତ୍ର ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଛତିଶଗଡ଼ରେ ଜନତାଙ୍କ ମତାମତ ସଂଗ୍ରହ କରାଯାଇ ଜନବାଦୀ ଇସ୍ତାହାର ପ୍ରସ୍ତୁତ କରାଯାଇ ଲୋକଙ୍କୁ ଭୋଟ ଭିକ୍ଷା କରାଯାଇଥିଲା । ଏହା ମଧ୍ୟ ସଫଳ ହୋଇଥିଲା । କେବଳ ସେତିକି ନୁହେଁ ସରକାର ଗଠନ ପରେ ପରେ ପ୍ରତିଶ୍ରୁତି ମୁତାବକ ଛତିଶଗଡ଼ର ଚାଷୀଙ୍କୁ ଋଣ ଛାଡ଼ କରାଯାଇଥିଲା । ଓଡ଼ିଶାରେ ନିର୍ବାଚନୀ ହାୱା ବହିବା ଆରମ୍ଭ କରିଛି । ସେଦୃଷ୍ଟିରୁ ଟେବୁଲରେ ବସି ଇସ୍ତାହାର ପ୍ରସ୍ତୁତ କରିବା ପରିବର୍ତ୍ତେ ଜନତାଙ୍କ ମତାମତ ସଂଗ୍ରହ କରାଯାଇଛି । ଏହି ମତାମତକୁ ଗୁରୁତ୍ୱ ଦିଆଯାଇ କଂଗ୍ରେସ ତାହାର ଇସ୍ତାହାର ପ୍ରସ୍ତୁତ କରିବ । ଉକ୍ତ ଇସ୍ତାହାରରେ ଆମେ ଯାହା ବି କହିବୁ ତାହା ସରକାର ଆସିଲେ ଶତ ପ୍ରତିଶତ ପୂରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ଘୋଷଣା କରିଥିଲେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, କାମରେ କରି ଦେଖାଇବା ଦଳ ହେଉଛି କଂଗ୍ରେସ । ଏହା ଭିତରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସଫଳତା ହାସଲ କରିଛି । ଏଥିସହ ଯେଉଁ ରାଜ୍ୟରେ କଂଗ୍ରେସ ସରକାର ରହିଛି ସେଠାରେ ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତିକୁ ତୁରନ୍ତ ପାଳନ କରାଯାଉଛି । କିନ୍ତୁ ଶାସନ ଗାଦି ଦଖଲ କରିଥିବା ବିଜେଡି ସରକାର ସାଧାରଣଙ୍କ ଲୋକଙ୍କ ସ୍ୱାର୍ଥକୁ ଧ୍ୟାନ ନ ଦେଇ ଭୋଟ ଭେଳିକି କରି ମହାନଦୀ ଜଳ ବିବାଦ ଭଳି ଅନେକ ମିଛୁଆ ରାଧୁଆ ଗପ ତିଆରି କରି ଡ୍ରାମା କରୁଥିବା ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ । ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଜନବାଦୀ ଇସ୍ତାହାର କେବଳ ପ୍ରସ୍ତୁତ କରାଯିବନି, ସରକାର ଆସିଲେ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରାଯିବ ବୋଲି କହିଥିଲେ । ଅନ୍ୟପଟେ ଭୋଟ ପୂର୍ବରୁ ଜନତାଙ୍କ ଦରବାରରେ ରାଜ୍ୟର ହେଭିୱେଟ୍‌ କଂଗ୍ରେସ ନେତାମାନେ ପହଞ୍ଚିବା ଜିଲ୍ଲା ରାଜନୀତିକୁ ସରଗରମ କରିଦେଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା, ସଂଯୋଜକ ବିସ୍ମୟ କୁମାର ମହାପାତ୍ର, ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ ପ୍ରମୁଖ ।

   ସମ୍ବନ୍ଧିତ ଖବର


ଦୋକାନ ନିକଟରୁ ମିଳିଲା ବୃଦ୍ଧଙ୍କ ମୃତଦେହ, ପୋଲିସର ଛାନ୍‌ଭିନ୍‌ ଜାରି

ପୁଣି କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍‌

ସେକ୍ସ ରାକେଟ୍ ଚଢ଼ାଉ ବେଳେ ଧରା ପଡ଼ିଲେ କନେଷ୍ଟବଳ, ଲଜ୍‌ରୁ ଗିରଫ କଲା ପୋଲିସ

ବେଆଇନ ପଥର ଖାଦାନରେ ଚଢ଼ାଉ, ୫ଟି ସ୍ପଲ ବୋଝେଇ ଟିପ୍ପର ଜବତ

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

ବାପା ଶଯ୍ୟାଶାୟୀ, ମାନସିକ ବିକାରଗ୍ରସ୍ତ ମା’: ୮ବର୍ଷର କଅଁଳ ଶିଶୁକନ୍ୟାର କାନ୍ଧରେ ୫ ପ୍ରାଣୀ କୁଟୁମ୍ବର ବୋଝ