ରେଳ କର୍ମଚାରୀଙ୍କ ପାଇଁ ‘କାଇଜାଲା’ ଆପ୍ ଶୁଭାରମ୍ଭ

ଭୁବନେଶ୍ୱର,୪ା୪(ବ୍ୟୁରୋ): ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ସମଗ୍ର ଭାରତ ବର୍ଷରେ ଏବେ ଭାରତୀୟ ରେଳବାଇର କର୍ମଚାରୀମାନେ ମାଇକ୍ରୋସଫ୍ଟ ‘କାଇଜାଲା’ ମୋବାଇଲ ଆପ୍ ସହିତ ଯୋଡ଼ି ହେବେ । ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଆଜି ସିକନ୍ଦରାବାଦଠାରେ ଏହି ଆପ୍ର ଶୁଭାରମ୍ଭ କରିଛନ୍ତି । ରେଳବାଇର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ରେଳବାଇର ୧୩୩ଟି ଓ ରେଳବାଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧୨୫ଟି ବେସରକାରୀ ସ୍ୱସ୍ଥ୍ୟକେନ୍ଦ୍ରମାନଙ୍କରେ ଉତ୍ତମ ସ୍ୱାସ୍ଥ୍ୟସେବା ଏହି ଆପ୍ ଦ୍ୱାରା ମିଳିପାରିବ । ଏହି ଆପ୍ କେତେକ ଡାକ୍ତର ମଣ୍ଡଳୀ, ପାରାମେଡିକାଲ ଷ୍ଟାଫ୍ ଓ ନର୍ସମାନଙ୍କ ଦ୍ୱାରା ପରିଚାଳିତ ହେବ ।
ଏହି ସୁବିଧା ପାଇବା ପାଇଁ କର୍ମଚାରୀମାନେ ସ୍ମାର୍ଟ ଫୋନ୍ରେ ‘କାଇଜାଲା’ ମୋବାଇଲ ଆପ୍ ଡାଉନ୍ଲୋଡ କରିବାକୁ ହେବ । ଫଳରେ କର୍ମଚାରୀମାନେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର, ଡାକ୍ତର, ସ୍ୱୀକୃତିପ୍ରାପ୍ତ ଡାଇଗ୍ନୋସିସ୍ କେନ୍ଦ୍ରଗୁଡିକୁ ସହଜରେ ପାଇ ପାରିବେ । କର୍ମଚାରୀମାନେ ମଧ୍ୟ ଡାକ୍ତରଙ୍କ ସହିତ ଆପଏଣ୍ଟମେଣ୍ଟ ନେଇ ପାରିବା ସହିତ ଡାଇଗ୍ନୋସିସ୍ କେନ୍ଦ୍ର ସହିତ ସିଧାସଳଖ କାଇଜାଲା ମି ଚାର୍ଟ ରିପୋର୍ଟର ସ୍କ୍ରିନ୍ ସର୍ଟ ନେଇ ପାରିବେ । କର୍ମଚାରୀମାନେ ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଘୋଷଣା ପାଇପାରିବା ସହ ସେମାନଙ୍କ ମତାମତ ଦେଇ ପାରିବେ । ଯାହାଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିପାରିବ ।
ଏହି ମୋବାଇଲ୍ ଆପ୍ ଦ୍ୱାରା କର୍ମଚାରୀମାନେ ସଫଳତାର ବାର୍ତ୍ତା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବୁଲେଟିନ୍, ସୂଚନା, ସଚେତନତା ବାର୍ତ୍ତା, ଫାଷ୍ଟଏଡ, ଟିକାକରଣ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସୂଚନା ପାଇପାରିବେ । ଏହା ଏକ ସରଳୀକରଣ ବ୍ୟବସ୍ଥା ଯେଉଁଥିରେ ରେଳବାଇ ତାହାର କର୍ମଚାରୀମାନଙ୍କ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଗୋଟିଏ ପ୍ଲାଟଫର୍ମରେ ଯୋଗାଇ ଦେବ । ଏ ବାବଦରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ ଭାରତୀୟ ରେଳବାଇ ବିଶ୍ୱରେ ଏକ ବୃହତ କର୍ମ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା । କର୍ମଚାରୀମାନଙ୍କୁ ବୃହତ ସେବା ପ୍ରଦାନ କରିବା ସହିତ ଏହାର ସମୃଦ୍ଧିକୁ ଅନୁଭବ କରାଇବା ଭାରତୀୟ ରେଳବାଇର ପ୍ରତିଶ୍ରୁତି । ଭାରତର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ରେଳବାଇ କର୍ମଚାରୀଙ୍କୁ ସୁନିଶ୍ଚିତ ଗୁଣବତ୍ତାସମ୍ପନ୍ନ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ପାଇଁ ରେଳବାଇର ଏହା ଏକ କେନ୍ଦ୍ରୀଭୂତ କାର୍ଯ୍ୟଧାରା । ଭିଡିଓ କନ୍ଫରେନ୍ସିଂ ଦ୍ୱାରା ଆୟୋଜିତ ଏହି ଉଦ୍ଘାଟନ ଉତ୍ସବରେ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ମହାପ୍ରବନ୍ଧକ ବିଦ୍ୟାଭୂଷଣଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।’