ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ଭୁବନେଶ୍ବର,୨୪/ ୧୦: ଆଜିର ଦୁନିଆରେ ବି ବଞ୍ଚିଛି ମଣିଷ ପଣିଆ। ଯେଉଁଠି ସାମାନ୍ୟ କିଛି ଟଙ୍କା ପାଇଁ ମର୍ଡର, ଚୋରି, ତସ୍କରୀ ଭଳି ଖବର ନିତି ପ୍ରକାଶ ପାଉଛି। ସେହି ସମୟରେ ମାନବିକତାର ପରିଚୟ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୈଳାଶ ଚନ୍ଦ୍ର ରଥ। ଯଦି ସେ ପାରିଥାଆନ୍ତେ ଟଙ୍କା ନିଜ ପକେଟରେ ପୁରାଇ ପଳାଇ ପାରିଥାଆନ୍ତେ। ହେଲେ ଏହାକୁ ପଛରେ ପକାଇ ମହାନ୍‌ କାମ କରିଛନ୍ତି ସେ। ସେ ସୋସିଆଲ ମିଡିଆର ସାହାଯ୍ୟରେ ପାଇଥିବା ଟଙ୍କା କାହାର ବୋଲି ପୋଷ୍ଟ କରିବା ସହିତ ସହଯୋଗର ହାତ ବଢ଼ାଇଛନ୍ତି।

ମିଳିଥିବା ସୂଚନା ମୁତାବିକ, ଶନିବାର ଦିନ ଭୁବନେଶ୍ବର ସ୍ଥିତ ୟୁନିଟ୍-୪ ହାଟ ନିକଟରେ ଥିବା ଏସବିଆଇ ଏଟିଏମରେ କେହି ବ୍ୟକ୍ତି ଟଙ୍କା ଉଠାଇବା ପରେ ୫ ହଜାର ଟଙ୍କା ଏଟିଏମ ମେସିନରେ ଛାଡି ଚାଲିଯାଇଥିଲେ । ତାପରେ ସେହି ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ କୈଳାଶ ରଥ ନାମକ ଜଣେ ବ୍ୟକ୍ତି । ଏଟିଏମ ଭିତରେ ୫ଜହାର ଟଙ୍କାକୁ ଦେଖିଥିଲେ କୈଳାଶ । ତେବେ ସେ ଏହି ଟଙ୍କା ପ୍ରତି ଲୋଭ ନକରି କାହାର ଟଙ୍କା ଜାଣିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଏଟିଏମ ନିକଟରେ କାହାରିକୁ ପାଇ ନଥିଲେ । ଫଳରେ ଟଙ୍କା କାହାର ସେ ଜାଣିପାରିନଥିଲେ । ତେବେ ଏଟିଏମ ମେସିନରୁ ସଂଗ୍ରହ କରିଥିବା ଟଙ୍କାକୁ ସେ ଫେରାଇବାକୁ ଚାହୁଁଛନ୍ତି । ଏ ନେଇ ସେ ଗଣମାଧ୍ୟମର ସାହାଯ୍ୟ ମଧ୍ୟ ଲୋଡିଛନ୍ତି।

ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାକୁ ନେଇ ଏକ ପୋଷ୍ଟ କରିଛନ୍ତି । ପୋଷ୍ଟରେ ନିଜ ମୋବାଇଲ ନମ୍ବର ୯୯୩୭୦୭୧୧୦୯ ଉଲ୍ଲେଖ କରିଛନ୍ତି । ତେବେ ଏହି ନମ୍ବରରେ ସିଧାସଳଖ ତାଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି । ଏହାସହ ଉପଯୁକ୍ତ ପ୍ରମାଣ ଦେଇ ଯାହାର ଟଙ୍କା ସେ ଫେରସ୍ତ ପାଇପାରିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।