୧୫ରେ ଭୂମିହୀନଙ୍କୁ ‘କାଳିଆ’ ସହାୟତା

source:www.livemint.com
ଭୁବନେଶ୍ୱର,୧୨ା୨(ବ୍ୟୁରୋ): ଭୂମିହୀନ କୃଷି ଶ୍ରମିକଙ୍କୁ ମିଳିବ ‘କାଳିଆ’ ସହାୟତା ରାଶି । ୩ଟି କିସ୍ତିରେ ଭୂମିହୀନ କୃଷି ଶ୍ରମିକଙ୍କୁ ୧୨ ହଜାର ୫ଶହ ଟଙ୍କା ଦିଆଯିବ । ପ୍ରଥମ କିସ୍ତ ସହାୟତା ପ୍ରଦାନ ପାଇଁ ଆସନ୍ତା ୧୫ ତାରିଖରେ କେନ୍ଦ୍ରାପଡ଼ାଠାରେ ଏକ ସମାବେଶ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ସହାୟତା ବାଣ୍ଟିବେ । ପ୍ରଥମ କିସ୍ତିରେ ୫ ହଜାର ଟଙ୍କାର ସହାୟତା ରାଶି ‘କାଳିଆ’ ଯୋଜନା ଅନ୍ତର୍ଭୁକ୍ତ ଭୂମିହୀନ କୃଷି ଶ୍ରମିକଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସହାୟତା ରାଶି ଯୋଗାଇ ଦିଆଯିବ ।
ଭୂମିହୀନ କୃଷି ଶ୍ରମିକଙ୍କୁ ଜୀବିକା ନିର୍ବାହ ପାଇଁ ସରକାର ତାଲିମ ଯୋଗାଇ ଦେବେ । ଯେଉଁମାନେ ଭୂମିହୀନ କୃଷି ଶ୍ରମିକମାନଙ୍କୁ ତାଲିମ ଦେବେ, ପ୍ରଥମେ ସେମାନଙ୍କୁ ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେବେ । ଏଥିପାଇଁ ଆସନ୍ତା ୧୪ ତାରିଖରେ କୃଷି ଭବନରେ ଦକ୍ଷ ତାଲିମଦାତାଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ବିଶେଷଜ୍ଞମାନେ ଏଥିରେ ପ୍ରଶିକ୍ଷଣ ଦେବେ । ତାଲିମ ଗ୍ରହଣ କରିବା ପରେ ଦକ୍ଷ ତାଲିମଦାତାମାନେ ନିଜ ନିଜ ଜିଲ୍ଲାକୁ ଯାଇ ମଣ୍ଡଳ ଓ ପଞ୍ଚାୟତସ୍ତରରେ ହିତାଧିକାରୀଙ୍କୁ ତାଲିମ ଯୋଗାଇଦେବେ । ମାର୍ଚ୍ଚ ୩୧ ପୂର୍ବରୁ ପଞ୍ଚାୟତସ୍ତରୀୟ ତାଲିମ ସରିବ । ମେ’ ୧୫ରୁ ଅଗଷ୍ଟ ୩୧ ତାରିଖ ଭିତରେ ମଣ୍ଡଳୀସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଶେଷ କରାଯିବ । “କାଳିଆ’ ଯୋଜନାରେ ସାମିଲ ଭୂମିହୀନ କୃଷି ଶ୍ରମିକଙ୍କୁ ୩ଟି କିସ୍ତିରେ ଜୀବିକା ନିର୍ବାହ ପାଇଁ ୧୨,୫୦୦ ଟଙ୍କାର ସହାୟତା ରାଶି ଦିଆଯିବ । ଛେଳି ପାଳନ ୟୁନିଟ୍, ଛୋଟ କୁକୁଡ଼ା ପାଳନ ୟୁନିଟ୍ , ମହୁ ଚାଷ, ଛତୁ ଚାଷ, ବତକ ପାଳନ ତଥା ମାଛ ଧରା ସରଞ୍ଜାମ ଇତ୍ୟାଦି ପ୍ରତିଷ୍ଠା ପାଇଁ ଏହି ସହାୟତା ଯୋଗାଇ ଦିଆଯିବ । ଏହି ସହାୟତା ରାଶି ୩ଟି କିସ୍ତିରେ ପ୍ରଦାନ କରାଯିବ । ପ୍ରଥମ କିସ୍ତିରେ ୫ହଜାର ଟଙ୍କା, ଦ୍ୱିତୀୟ ତଥା ତୃତୀୟ କିସ୍ତିରେ ଯଥାକ୍ରମେ ୩ହଜାର ଟଙ୍କା ଓ ୪୫୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ । ପ୍ରଥମ କିସ୍ତି ୧୫ ତାରିଖରେ ଦିଆଯିବ ।
ପଞ୍ଚାୟତ ଓ ମଣ୍ଡଳସ୍ତରୀୟ ତାଲିମ କାର୍ଯ୍ୟକ୍ରମ ସରିବା ପରେ ଦ୍ୱିତୀୟ କିସ୍ତି ସହାୟତା ଦିଆଯିବ । ସହାୟତା ଉପାଦାନକୁ ପଞ୍ଚାୟତସ୍ତରୀୟ ନୋଡାଲ ଅଧିକାରୀ ଆକଳନ କରିବା ପରେ ଶେଷ କିସ୍ତି ସହାୟତା ଦିଆଯିବ । ପଞ୍ଚାୟତସ୍ତରୀୟ ନୋଡାଲ ଅଧିକାରୀ ହିତାଧିକାରୀ ଯୋଜନାଗୁଡିକର ଜିଓ-ଟ୍ୟାଗ ଫଟୋ ଉଦ୍ଦିଷ୍ଟ ସାଇଟ୍ରେ ପୋଷ୍ଟ କରିବେ ।