‘କାଳିଆ’, ‘କିଷାନ’, ‘ନ୍ୟାୟ’ର ଲୋଭ; ଏଥର କିଏ ହେବ ଗେମ୍‌ ଚେଞ୍ଜର ଜାଣନ୍ତୁ…

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ଭୋଟ ପୂର୍ବରୁ ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବେଶ୍‌ ଲୋଭନୀୟ ଯୋଜନା ଫିଙ୍ଗିଛନ୍ତି । ଆମର ‘କାଳିଆ’ ଯୋଜନା । ତା’ ସାଂଗକୁ ବିଜୁ ସ୍ୱାସ୍ଥ୍ୟ ଯୋଜନା, ମିଶନ ଶକ୍ତି ଏମିତି ଅନେକ ରହିଛି । ଆମକୁ ଭୋଟ ଦେଲେ ଲାଭରେ ରହିବ । ବିଜେଡି ଏମିତି ଯୋଜନା ଦ୍ୱାରା ଲୋଭ ଦେଖାଉଛି ଭୋଟରଙ୍କୁ । ବିଜେପି ବି ପଛରେ ପଡ଼ିନାହିଁ । ବିଜେପି କହିଛି, ଆମର ‘ପିଏମ୍‌ କିଷାନ୍‌’ ଯୋଜନା, ‘ଉଜ୍ଜ୍ୱଳା’ ସାଙ୍ଗକୁ ‘ଆୟୁଷ୍ମାନ ଭାରତ’ ଯୋଜନା ଲୋକଙ୍କୁ ସବୁଠୁ ଅଧିକା ଲାଭରେ ରଖିବ । ଏମାନଙ୍କଠାରୁ କଂଗ୍ରେସ ଆହୁରି ଆଗେଇଯାଇ ‘ନ୍ୟାୟ’ ଯୋଜନା ନିର୍ବାଚନ ମାର୍କେଟକୁ ଛାଡ଼ିଛି । କଂଗ୍ରେସ କହିଛି, ‘ନ୍ୟାୟ’ ଯୋଜନା ଦେଶରେ ନୂଆ ଇତିହାସ ସୃଷ୍ଟି କରିବ ।

ବିଜୁ ଜନତା ଦଳ ସହ ବିଜେପି ଓ କଂଗ୍ରେସର ପୂର୍ଣ୍ଣ ଭରସା ଯେ ଆମର ଏସବୁ ଅଭିନବ ଯୋଜନା ଓ କାର୍ଯ୍ୟକ୍ରମ ଭୋଟ ମଇଦାନରେ ‘ଗେମ୍‌ଚେଞ୍ଜର’ ଭଳି କାମ କରିବ । ଜନତା ଜନାର୍ଦ୍ଦନ ଏହି ଯୋଜନାରୁ ହିଁ ଦଳକୁ ଭରସା କରିବେ, ଭୋଟ ଦେବେ । ଏସବୁ ଯୋଜନା ଡଙ୍ଗାରେ ଆମେ ନିର୍ବାଚନ ବୈତରିଣୀ ପାର୍‌ ହୋଇଯିବୁ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ପୂର୍ବରୁ ତାଙ୍କ ପ୍ରସୂତ ଏସବୁ ଯୋଜନାର ମାର୍କେଟିଂ କରିବା ପାଇଁ ସାରା ଓଡ଼ିଶା ଖେଦିସାରିଛନ୍ତି । ସୁନ୍ଦରଗଡ଼ରୁ ଗଜପତି, ଖୋର୍ଦ୍ଧାରୁ ମୟୂରଭଞ୍ଜ ଭୋଟ ବିଜ୍ଞପ୍ତି ପୂର୍ବରୁ ସବୁଠି ପ୍ରଚାର କରିଛନ୍ତି । ସେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ଆଗରେ ରଖୁଛନ୍ତି, କେନ୍ଦ୍ରର ବିଫଳତାକୁ ମଧ୍ୟ ଟାର୍ଗେଟ୍‌ କରୁଛନ୍ତି । ‘କାଳିଆ’ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ଆଉ ୨୫ ଲକ୍ଷ ଚାଷୀଙ୍କ ତାଲିକା ତିଆରି ହୋଇଛି । ମୋ ସରକାରର ପ୍ରଥମ ଦିନ ଦି କିସ୍ତି କାଳିଆ ଟଙ୍କା ମିଳିବ । ବିଜେଡି ଭୋଟବ୍ୟାଙ୍କ ପାଇଁ ‘କାଳିଆ’ ଅମୋଘ ଅସ୍ତ୍ର ପାଲଟିବ ବୋଲି ଦଳ ଅନୁମାନ କରୁଛି । ତା’ଛଡ଼ା ମିଶନ ଶକ୍ତି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କାର ସିଡ୍‌ ମନି, ସ୍ମାର୍ଟ ଫୋନ ସହ ବିନା ସୁଧରେ ଋଣ । ବିଜୁ ବାହିନୀ ଯୁବକଙ୍କୁ ବିଦେଶ ଭ୍ରମଣ, ଲୋକସଭାରେ ମହିଳାଙ୍କୁ ୩୩% ପ୍ରାର୍ଥୀତ୍ୱ ଆଦି ଭୋଟ ଭିଡ଼ିବାରେ ବେଶ୍‌ ସହାୟକ ହେବ ।

ବିଜେପି ମଧ୍ୟ ନିଜର ଅଭିନବ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚୁଛି । ଦଳ ପକ୍ଷରୁ ‘ପ୍ରଧାନମନ୍ତ୍ରୀ କିଷାନ ଯୋଜନା’କୁ ଢେର ଫୋକସ୍‌ କରାଯାଉଛି । ଏହି ଯୋଜନାରେ ୨ ହେକ୍ଟର ପର୍ଯ୍ୟନ୍ତ ଚାଷଜମି ଥିବା ଦେଶର ପ୍ରତିଟି ଚାଷୀ ବାର୍ଷିକ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇବେ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୩ଟି କିସ୍ତିରେ ୨,୦୦୦ ଟଙ୍କା ଲେଖାଏଁ ପାଣ୍ଠି ସ୍ଥାନାନ୍ତର କରାଯିବ । ଏହି ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଠେଲା ପେଲା ଚାଲିଛି । ମାତ୍ର ଏ ଯୋଜନା ବିଜେପି ପାଇଁ ଫାଇଦା ଆଣିବ ବୋଲି ଦଳ ଆଶା ବାନ୍ଧିଛି । ଓଡ଼ିଶା ବିଜେପି ପାଇଁ ‘ଉଜ୍ଜ୍ୱଳା’ ଯୋଜନା ଆଶ୍ଚର୍ଯ୍ୟଜନକ ଫଳ ଆଣିପାରେ ବୋଲି ଦଳ ଆଶା ବାନ୍ଧିଛି । ଏହି ଯୋଜନାରେ ରାଜ୍ୟରେ ୪୦ ଲକ୍ଷ ପରିବାରକୁ ମାଗଣାରେ ରନ୍ଧନ ଗ୍ୟାସ୍‌ ଯୋଗାଇ ଦିଆଯାଇଛି । ଏହି ଯୋଜନା ବିଜେପିର ହାଣ୍ଡିଶାଳ ଭୋଟକୁ ବେଶ ସୁରକ୍ଷିତ କରି ରଖିବାରେ ସହାୟକ ହେବ ବୋଲି ଦଳ ଆଶା ବାନ୍ଧିଛି । ସେହିଭଳି ‘ଆୟୁଷ୍ମାନ ଭାରତ ଯୋଜନା’ ଓ ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ (ପିଏମ୍‌-ଏସ୍‌ୱାଇଏମ୍‌) ଯୋଜନା’ରେ ଶ୍ରମିକଙ୍କୁ ମାସକୁ ୩ହଜାର ଟଙ୍କାର ପେନ୍‌ସନ ବଣ୍ଟନ ମଧ୍ୟ ବିଜେପି ପାଇଁ ଭୋଟ ଭିଡ଼ିବ ବୋଲି ପଦ୍ମ ଶିବିର ଆଶାବାଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବାରମ୍ବାର ଓଡ଼ିଶା ଆସି ଏସବୁ ଯୋଜନାକୁ ଭୋଟରଙ୍କ ମୁଣ୍ଡରେ ପୂରାଇବାକୁ ଚେଷ୍ଟା କରୁଛନ୍ତି ।

କଂଗ୍ରେସ ବି ନିଜ ମଡେଲ ଯୋଜନାକୁ ଭୋଟରଙ୍କ ପାଖରେ ରଖିଛି । ଯେଉଁ ଯୋଜନା ବଳରେ ଦଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦଖଲ କରିଛି ସେହି ଯୋଜନାକୁ ଅସ୍ତ୍ର କରି ଦେଶ ଦଖଲ କରିବାକୁ କଂଗ୍ରେସ ଟାର୍ଗେଟ କରିଛି । ଓଡ଼ିଶାକୁ ପ୍ରଚାରରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଡ଼ୋଶୀ ଛତିଶଗଡ଼ ମଡେଲକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଧାନ ଏମ୍‌ଏସ୍‌ପିରେ କୁଇଣ୍ଟାଲ ପିଛା ୨୬୦୦ ଟଙ୍କା ମିଳିବ । ଚାଷୀଙ୍କ କୃଷିଋଣ ଛାଡ଼ କରାଯିବ । ଏ ପ୍ରଚାରର ପ୍ରଭାବ ମଧ୍ୟ ଚାଷୀକୁଳ ଉପରେ ପଡୁଥିବା କଂଗ୍ରେସ କହୁଛି । ସେହିଭଳି ରାହୁଲଙ୍କ ବାର୍ଷିକ ନ୍ୟୁନତମ ନୂଆ ଯୋଜନା ‘ନ୍ୟାୟ’କୁ ମଧ୍ୟ ଦଳ ଜୋରଦାର ପ୍ରଚାର କରୁଛି । ଏଥିରେ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବାକୁ ଦଳ ପ୍ରତିଶ୍ରୁତି ଦେଉଛି ।
ଭୋଟର କେଉଁ ଯୋଜନା ଲୋଭରେ କାହାକୁ ଭୋଟ ଦେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର