‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ରେ ମିଶିବ ‘କାଳିଆ’ !

ଭୁବନେଶ୍ୱର ୪/୧୨: ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ରେ ମିଶିବ ‘ କାଳିଆ’ ଯୋଜନା । ଏଥିପାଇଁ ରାଜ୍ୟ ସରକାର ମନ ସ୍ଥିର କରିବା ସହ କେନ୍ଦ୍ର କୃଷି ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି । ରାଜ୍ୟ ସରକାର ଏନେଇ କ୍ୟାବିନେଟରେ ନିଷ୍ପତ୍ତି ନେଇ ସାରିଥିବା ମଧ୍ୟ ସୂଚନା ମିଳୁଛି । ଅନ୍ୟପଟେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

କେନ୍ଦ୍ର ସରକାରଙ୍କ ପିଏମ କିଶାନ ସମ୍ମାନ ନିଧି ଯୋଜନାକୁ ଓଡିଶାରେ ଲାଗୁ କରିବେ ରାଜ୍ୟସରକାର । ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ରେ ମିଶିବ ‘କାଳିଆ’ ଯୋଜନା । ୨ଟି ଯୋଜନାର ମିଶ୍ରଣ ଫଳରେ ନୂଆ ନାଁ ‘ପ୍ରଧାନମନ୍ତ୍ରୀ କିଶାନ କାଳିଆ’ ହେବା ନେଇ ସ୍ଥିର ହୋଇଥିବା କୁହାଯାଉଛି । ତେବେ ଏହା ପରେ କେନ୍ଦ୍ର ଓ ରାଜ୍ୟରେ ଥିବା କୃଷକଙ୍କ ଲାଗି ଦୁଇଟି ଅଲଗା ଅଲଗା ଯୋଜନା ମିଶି ଗୋଟିଏ ଯୋଜନା ହେବ । ଏନେଇ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ସାରିଥିବା ସୂଚନା ମିଳିଛି । ଏହି ଦୁଇ ଯୋଜନା କିପରି ଗୋଟିଏ ସ୍କିମ ହୋଇ କାମ କରିବ ଓ ଏଥିରେ କାହାର କେତେ ଭାଗ ରହିବ ଓ ମୋଡାଲିଟ କଣ ହେବ ସେନେଇ ରାଜ୍ୟ ସରକାର ଓ କେନ୍ଦ୍ର କୃଷି ମନ୍ତ୍ରାଳୟର ଆଲୋଚନା ଚାଲିଛି । କିଷାନ ଯୋଜନାରେ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳୁଥିଲାବେଳେ କାଳିଆରେ ସରକାର ଦୁଇଟି ଫସଲ ପାଇଁ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । କିଷାନ ଯୋଜନାରେ ବିଲୟ ହେବା ପରେ କେନ୍ଦ୍ର ୬ ହଜାର ଟଙ୍କା ଦେବ ଏବଂ ୪ ହଜାର ଟଙ୍କାର ବୋଝ ରାଜ୍ୟ ବହନ କରିବାକୁ ସମ୍ମତ ହୋଇଛି ।

ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବା ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ଦୁଇଟି ଯୋଜନା ମିଶିବା ଫଳରେ ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆସିବ । ଦୁଇଟି ଯୋଜନା ମିଶିଲେ ରାଜ୍ୟ ଉପରୁ ଆର୍ଥିକ ବୋଝ କମିବା ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି । କାଳିଆ ଯୋଜନା ପ୍ରବର୍ତ୍ତନ ପରେ ପିଏମ କିଷାନ ଯୋଜନା ଆସିଥିଲା ବୋଲି ପ୍ରଶାନ୍ତ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଚାଷୀଙ୍କ ଉନ୍ନତିରେ ଏହି ଦ୍ୱିତୀୟ ଯୋଜନା ସହାୟକ ହେବା ସହ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢିବ ।

ଅନ୍ୟପଟେ ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ କହିଛି ଅର୍ଥ ବରାଦ ନକରି କେବଳ ଭୋଟ ପାଇଁ ଚାଷୀଙ୍କ ନାଁରେ ଟଙ୍କା ବାଣ୍ଟିଲେ ରାଜ୍ୟ ସରକାର । ଏଥିରେ ଅନେକ ଅଯୋଗ୍ୟ ହିତାଧିକାରୀ ମଧ୍ୟ ମାଳ ମାଳ ଟଙ୍କା ହାତେଇଲେ । ଏବେ ଦ୍ବିତୀୟ ପାଇଁ ଘୋଷଣା କରାହୋଇଛି କିନ୍ତୁ ଟଙ୍କା ଦିଆହୋଇପାରୁନି । ଦ୍ୱିତୀୟ କିସ୍ତି ନଦେଇ ପାରିବାରୁ ଏବେ କେନ୍ଦ୍ର ସହ ମିଶୁଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ । ସେ ଏହା ମଧ୍ୟ କହିଛନ୍ତି ଯେ ଆଗକୁ ଦ୍ବନ୍ଦ ଆହୁରି ବଢିବ ଏବଂ ଚାଷୀ ଏଥିରୁ କିଛି ଲାଭ ପାଇବେନି । ଅନ୍ୟପଟେ ବିଜେପି କହିଛି କି କେବଳ ଭୋଟ ପାଇଁ ସରକାର ଏମିତି କରିଥିଲେ । କାଳିଆକୁ ଗୋଳିଆ ଯୋଜନା କଲେ ଏବେ ଟଙ୍କା ଅଭାବ ପଡିବାରୁ କେନ୍ଦ୍ର ସହ ନମିଶିବା ବ୍ୟତୀତ ଏମାନଙ୍କ ପାଖରେ ଅନ୍ୟ ଚାରା ନାହିଁ । ବରଂ ଆଗରୁ ଏହା କରିଥିଲେ ଚାଷୀ ଅଧିକ ଫାଇଦା ପାଇଥାନ୍ତେ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

   ସମ୍ବନ୍ଧିତ ଖବର


ବଦଳିଲା ସଚ୍ଚିବାଳୟ ମାର୍ଗର ନାମ

ରାଜନଗର ପେଣ୍ଠରୁ ୨ ମୃତ ଡଲଫିନ୍ ଉଦ୍ଧାର

ବିଏମସିର ନୂଆ ପଦକ୍ଷେପ, ଏଣିକି ଅଧ କେଜି ପ୍ଲାଷ୍ଟିକ ବଦଳରେ ମିଳିବ ଆହାର

ପଶ୍ଚିମବଙ୍ଗରେ ଆନ୍ଦୋଳନର ପ୍ରଭାବ, ଓଡିଶାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ