ଆଉ ୧୮ ଲକ୍ଷଙ୍କୁ ‘କାଳିଆ’ ସହାୟତା

ଭୁବନେଶ୍ୱର,୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ବହୁଚର୍ଚ୍ଚିତ ‘କାଳିଆ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୮ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଶନିବାର ଏହି ସୂଚନା ଦେଇଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି, ‘କାଳିଆ’ର ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ୫ ଲକ୍ଷ ଅର୍ଥାତ୍‌ ୧୮ ଲକ୍ଷ ଚାଷୀ ‘କାଳିଆ’ ସହାୟତା ପାଇଁ ଚିହ୍ନଟ ହୋଇଛନ୍ତି । ‘ଜୀବନ ଜୀବିକା’ ବର୍ଗରେ ଏହି ହିତାଧିକାରୀ ୧୨,୫୦୦ ଟଙ୍କାର ସହାୟତା ପାଇଁ ଯୋଗ୍ୟ ହୋଇଛନ୍ତି । ଖୁବ୍‌ଶୀଘ୍ର ସେମାନଙ୍କୁ ପ୍ରଥମ କିସ୍ତିରେ ୫,୦୦୦ ଟଙ୍କା ପ୍ରଦାନ କରାଯିବ ।
ପୁରୀରେ ‘କାଳିଆ’ ଯୋଜନା କାର୍ଯ୍ୟକାରିତାର ଶୁଭାରମ୍ଭ ହେବାପରେ ଚାଷୀ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ସ୍ଥାନାନ୍ତରଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରିତା ପାଇଁ ତାରିଖ ଓ ସ୍ଥାନ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବ ବୋଲି ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ସେମାନେ ମୋଟ୍‌ ୫ଟି କିସ୍ତିରେ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ପାଇବେ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର କୃଷକମାନଙ୍କ ମଧ୍ୟରେ କାଳିଆ ଯୋଜନାକୁ ନେଇ ଆଶାତୀତ ଉତ୍ସୁକତା ପ୍ରକାଶ ପାଇଛି । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତ ଅର୍ଥ ସ୍ଥାନାନ୍ତରଣ ହେଉଥିବାରୁ ଯୋଜନାରେ ଦୁର୍ନୀତି ଓ ଅନିୟମିତତାର ପ୍ରଶ୍ନ ଉଠୁନାହିଁ । ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ ସମୟରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାର ଯାଞ୍ଚ ଚାଲିଛି ଓ ଶୀଘ୍ର ସମାଧାନ ହୋଇଯିବ । ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ସ୍ଥାନାନ୍ତରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କାଳିଆ ହେଉଛି ସରକାରଙ୍କ ସ୍ୱତନ୍ତ୍ର ଯୋଜନା । ତେଣୁ ଏହାକୁ ପ୍ରାଥମିକତା ଦିଆଯାଉଛି ।
ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ରାଜ୍ୟ ସରକାର କୃଷକଙ୍କ ପାଇଁ ଋଣ ଛାଡ଼ କରୁଥିବା ସମୟରେ ଓଡ଼ିଶା ସରକାର କାଳିଆ ଯୋଜନା ପ୍ରଣୟନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଯୋଜନା କିପରି ଶୀଘ୍ର କୃଷକଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଧ୍ୟମ, କ୍ଷୁଦ୍ର ଚାଷୀ ଓ ଭୂମିହୀନଙ୍କ ପାଇଁ କାଳିଆ ବରଦାନ ସଦୃଶ ହୋଇଥିଲା । ଚାଷ ପାଇଁ ଚାଷୀ ଆଉ ଗାଁ ମହାଜନ କିମ୍ବା ସାହୁକାର ପାଖେ ଋଣ ପାଇଁ ଠିଆ ହେବନାହିଁ । ଏହି ଯୋଜନାକୁ ଜାତୀୟ ସ୍ତରରେ ବିଭିନ୍ନ ଅର୍ଥନୀତିଜ୍ଞମାନେ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ ।