କାଳିଘଡ଼ି ସେତୁ ନିର୍ମାଣରେ ଦୁର୍ନୀତି, ନିମ୍ନମାନର ସାମଗ୍ରୀରେ ଚାଲିଛି କାମ…

କଣାସ,୧୦/୧ : କାଳିଘଡି ସେତୁ ନିର୍ମାଣ କାମ ନିମ୍ନମାନର ହେଉଛି । ପୁଣି ଖୋଦ୍‌ ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ । ନିମ୍ନମାନର ସିମେଣ୍ଟ ଓ ବାଲିରେ ଚାଲିଛି ଓଏଲ ବଟମ୍‌ ପ୍ଲଗିଙ୍ଗ୍‌ (କୂଅର ମୂଳ ଦୁଆ) କାମ । ଅଧିକ ଲାଭ ରଖିବା ଆଶାରେ ଠିକାଦାର ଏମିତି କରୁଥିଲେ ମଧ୍ୟ ହାତ ଚିକ୍କଣ ପାଇଁ ଅଧିକାରୀ ସବୁଜ ସଙ୍କେତ ଦେଉଛନ୍ତି ।
ଯେହେତୁ ମାଟି ତଳେ ପ୍ଲଗିଙ୍ଗ୍‌ ରହିଯିବ କାମ ଯେତେ ନିମ୍ନମାନର ହେଲେ ମଧ୍ୟ କେହି ଦେଖିପାରିବେନି କି କାହାର ବିରୋଧ ନଥିବ । ତେଣୁ ଏମିତି କୌଶଳ ଆପଣାଉଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ । ଲୋକେ ଯେତେ ହୋ ହାଲ୍ଲା କଲେ ମଧ୍ୟ ହଁ ହାଁରେ ମାରି ନେଉଛନ୍ତି କାମ । ପ୍ଲଗିଙ୍ଗ କାମ ପାଇଁ ୧:୩:୬ ଭାଗ ହେବାକୁ ଥିବା ବେଳେ ଭାଗ ଅନୁଯାୟୀ କାମ ହେଉନାହି । ସିମେଣ୍ଟ ଓ ଗୋଡ଼ି କମ୍‌ ଦିଆଯାଉଛି, ବାଲି ଭାଗ ଅଧିକ ରହୁଛି । ନିମ୍ନମାନର ବାଲି ମଧ୍ୟ ବ୍ୟବହାର ହେଉଛି ।

ଗୋଟେ ପ୍ଲଗିଙ୍ଗ୍‌ କାମ ପାଇଁ ୬ ଶହ ପ୍ୟାକେଟ ସିମେଣ୍ଟ ଲାଗିବାକୁ ଥିବା ବେଳେ ଠିକାଦାର ୩ ଶହ ପ୍ୟାକେଟ ସିମେଣ୍ଟ ଲଗାଇଥିବା ଅଭିଯୋଗ ହେଉଛି । ଗୁରୁବାର, ଶୁକ୍ରବାର କାମ ଚାଲିଥିବା ବେଳେ ଗ୍ରାମର କିଛି ଲୋକ ଯାଇ ସିମେଣ୍ଟ କମ୍‌ ଷ୍ଟକ ଥାଇ କେମିତି କାମ ହେଉଛି ଅଭିଯୋଗ କରିଥିଲେ ।

ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଦୟାନଦୀ ଉପରେ ନିର୍ମାଣ ହେଉଥିବା ଏହି ସେତୁ ନିର୍ମାଣରେ ବାରମ୍ବାର ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଚୁପ ରହୁଛନ୍ତି । ନିମ୍ନମାନର କାମ ଯୋଗୁ କିଛି ଦିନ ତଳେ ୨/୩ ଟି ଷ୍ଟେନିଙ୍ଗ (ମାଟି ତଳକୁ ଯାଉଥିବା କୂଅର କାନ୍ଥ)ର ୨ ମିଟର ଲେଖାଏ ଲିପ୍‌ଟ ଭଙ୍ଗା ଯାଇଥିଲା । ଏବେ ପୁଣି ନିମ୍ନମାନର କାମ ହେଉଥିବା ନେଇ ପୁଣି ଉଠିଛି ଅଭିଯୋଗ । ସେତୁଟିର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଲେ ଭବିଷ୍ୟତରେ ଏହା ଶୀଘ୍ର ଭୁଷୁଡିବା ସମ୍ଭାବନା ରହିଛି । ଫଳରେ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ ହେଇଥିବା ସରକାରୀ ଅର୍ଥ ବେକାର ଯିବ । କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୁରୁବାର ଉପସ୍ଥିତ ଥିଲେ ମଧ୍ୟ ନିମ୍ନମାନର ସିମେଣ୍ଟ ଓ ମାଟି ମିଶା ଥିବା ବାଲିରେ କାମ ଚାଲିଥିଲା ।

ଶୁକ୍ରବାର ପ୍ଲଗିଙ୍ଗ କାମ ନିମ୍ନମାନର ଥିବା ଅଭିଯୋଗ ହେବା ପରେ ତରବରିଆ ଭାବେ ବିଭାଗୀୟ ଅଧିକାରୀ ସନ୍ଧ୍ୟାରେ ଯାଇ ବୁଲିଆସିଥିଲେ । ଲୋକମାନେ ତାଙ୍କୁ ଏତେ କମ୍‌ ସିମେଣ୍ଟରେ କାମ କାହିଁକି ହୋଇଛି ବୋଲି ପଚାରିଥିଲେ । ତେବେ ସିମେଣ୍ଟ ଢଳାଯିବ କହି ଆଉ ଢାଳିନଥିଲେ । କାମ ନିମ୍ନମାନର ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଠିକାଦରଙ୍କୁ କାମରୁ ନିବୃତ୍ତ କରାଯାଉନି କି ବିଭାଗୀୟ ଅଧିକାରୀମାନେ ଉନ୍ନତ ମାନର କାମ କରାଯିବା ଉପରେ ଗୁରୁତ୍ୱ ଦେଉନାହାନ୍ତି ।

ଏ ସମ୍ପର୍କରେ ଉପଖଣ୍ଡ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଆଚାର୍ଯ୍ୟ କହନ୍ତି ଜେଏସ୍‌ଡବ୍ଲ୍ୟ ସିମେଣ୍ଟ ଆପ୍ରୁଭ୍‌ ଅଛି । ଆମେ ସନ୍ଧ୍ୟାରେ ଯାଇଥିଲୁ । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ବଟମ୍‌ ପ୍ଲଗିଙ୍ଗ୍‌ କାମ ପାଞ୍ଚ ଶହ ଏମ୍‌.ଏମ୍‌ ହେବା କଥା ଯାହା ସରିଯାଇଛି । କିନ୍ତୁ ସିମେଣ୍ଟ ୬୦୦ ବସ୍ତା ପରିବର୍ତ୍ତେ ୩୦୦ ବସ୍ତା ଲାଗିଛି । କାମ ନିମ୍ନମାନର ହେଉଥିବାରୁ ଏହା ବିରୋଧରେ କାଳିଘଡି ଓ ପାହିଲୁଣ୍ଡି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।