ଇତିହାସ ପୃଷ୍ଠାର ଗୌରବମୟ ଗାଥା: ପାରାଦୀପରୁ ବାଲି ଦୁଃସାହସିକ ନୌଯାତ୍ରାରେ କଳିଙ୍ଗ କନ୍ୟା

ଭୁବନେଶ୍ୱର, ୨୭/୪: ଓଡ଼ିଆ ସାଧବ ପୁଅମାନେ ସମୁଦ୍ର ବକ୍ଷରେ ଦୁଃସାହସିକ ନୌଯାତ୍ରା କରି ଜାଭା, ସୁମାତ୍ରା ଓ ବାଲି ସହ ବାଣିଜ୍ୟିକ ସଂପର୍କ ଯୋଡ଼ିଥିଲେ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ଆମେ ଅତୀତର ସେହି ଗୌରବକୁ ମନେ ପକାଇ ଥାଉ । ୧୯୯୨ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଅତୀତର ସେହି ଗୌରବମୟ ମୁହୂର୍ତ୍ତକୁ ପୁନର୍ଜୀବିତ କରିବା ପାଇଁ ଏକ ସ୍ୱତନ୍ତ୍ର ଦୁଃସାହସିକ ନୌଯାତ୍ରାର ଆୟୋଜନ କରିଥିଲେ । ଏହି ଯାତ୍ରା ସେହିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାରଦୀପରୁ ବାଲି ଅଭିମୁଖେ ଆରମ୍ଭ ହୋଇଥିଲା ।

ଦୁଃସାହସିକ ନୌଯାତ୍ରା ପାଇଁ ଭାରତୀୟ ନୌସେନାର ସହଯୋଗରେ ପୂର୍ବରୁ ବ୍ୟାପକ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା । ବିଜ୍ଞାପନ ମାଧ୍ୟମରେ ଦଳ ଚୟନ ହୋଇଥିଲା । କ୍ରୀଡ଼ା ସହ ଜଡ଼ିତ ଏକାଧିକ ପ୍ରତିଯୋଗୀ ଏଥିପାଇଁ ଆଶାୟୀ ଥିଲେ । ମାତ୍ର ବିଭିନ୍ନ ପର୍ଯ୍ୟାୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶେଷରେ ୮ ଜଣିଆ ଦଳରେ ଏକମାତ୍ର ମହିଳା ଭାବେ ସୁଯୋଗ ପାଇଥିଲେ ଓଡ଼ିଆ ଝିଅ ନିବେଦିତା ଆଚାର୍ଯ୍ୟ । ପାଖାପାଖି ଦୀର୍ଘ ୩ ମାସର ସମୁଦ୍ର ଯାତ୍ରା ପରେ ଶେଷରେ ବାଲିରେ ପହଞ୍ଚିଥିଲା କଳିଙ୍ଗର ନୌଦଳ । ଏହି ଦୁଃସାହସିକ ଯାତ୍ରା ଏବେବି ନିବେଦିତାଙ୍କୁ ଆନ୍ଦୋଳିତ କରେ । ବହୁ ସ୍ମୃତି ଏହି ଯାତ୍ରାକୁ ନେଇ ରହିଛି । ଯାହାକୁ ମନେ ପକାଇ ସେ ବେଶ୍‌ ଭାବବିହ୍ୱଳ ହୋଇ ପଡ଼ନ୍ତି ।
ଜଣେ କ୍ରୀଡ଼ାବିତ୍‌ରୁ କିଭଳି ନିବେଦିତା ଦୁଃସାହସିକ ନୌଯାତ୍ରାରେ ସାମିଲ ହୋଇପାରିଥିଲେ ଏବଂ ଯାତ୍ରା ସମୟରେ କ’ଣ ସବୁ ଘଟଣା ଓ ଦୁର୍ଘଟଣା ଘଟିଥିଲା ତାହା ତାଙ୍କ ଠାରୁ ଜାଣିବା ।
ନିବେଦିତା କହନ୍ତି, ପ୍ରଥମରୁ କହିରଖେ ଦୁଃସାହସିକ କ୍ରୀଡ଼ାରେ ବିଭିନ୍ନ ଇଭେଣ୍ଟ ରହିଛି । ଯେମିତି କି ପର୍ବତାରୋହଣ, ଦୁଃସାହସିକ ନୌ କ୍ରୀଡ଼ା, ସ୍ପୋର୍ଟ୍ସ କ୍ଲାଇମ୍ବିଂ, ପାରା ସେଲିଂ ଭଳି ବହୁ ଇଭେଣ୍ଟ ।

କବାଡ଼ି, ଥ୍ରୋ ବଲ୍‌ ଖେଳାଳି ଥିଲି
ପିଲା ଦିନରୁ ମୋର ବିଭିନ୍ନ କ୍ରୀଡ଼ାରେ ରୁଚି ଥିଲା । ଏମିତି କି ସୁଇମିଂ ଶିଖିଥିଲି । କାନୋଇଂ ଓ କାୟାକିଂ ମଧ୍ୟ କରୁଥିଲି । ବିଶ୍ୱବିଦ୍ୟାଳୟ ସ୍ତରରେ କବାଡ଼ି ଓ ଥ୍ରୋ ବଲ୍‌ ଖେଳୁଥିଲି । ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବହୁ ସଫଳତା ପାଇଛି । ୧୯୯୨ ମସିହାରେ ରାଜ୍ୟ ସରକାର ପାରାଦୀପରୁ ବାଲି ଦୁଃସାହସିକ ନୌଯାତ୍ରା ପାଇଁ ଏକ ବିଜ୍ଞାପନ ଦେଇଥିଲେ । ଯେହେତୁ ବିଭିନ୍ନ ଜଳ କ୍ରୀଡ଼ାରେ ମୋର ଅଭିଜ୍ଞତା ଥିଲା ତେଣୁ ଏଥିପାଇଁ ଆବେଦନ କରିଥିଲି । ବହୁ ପିଲା ଏଥିପାଇଁ ଆବେଦନ କରିଥିଲେ । ବହୁ ପର୍ଯ୍ୟାୟର ପରୀକ୍ଷା ପରେ ଶେଷରେ ମୁଁ ଚୟନ ହୋଇଥିଲି ।

କାର୍ତ୍ତିକ ପୂର୍ଣ୍ଣିମାରୁ ନୌ ଯାତ୍ରା
୮ ଜଣିଆ ଦଳ ଚୟନ ହେବା ପରେ ଆମକୁ ଭାରତୀୟ ନୌସେନା ପକ୍ଷରୁ ଦୀର୍ଘ ଏକ ମାସ ଟ୍ରେନିଂ ଦିଆଯାଇଥିଲା । ଓଡ଼ିଆ ଭାବେ ମୁଁ ଏବଂ ମନମୋହନ ମିଶ୍ର ଏହି ଦଳରେ ସାମିଲ ଥିଲୁ । କେବଳ ଆମ ଦୁଇ ଜଣଙ୍କୁ ଛାଡ଼ି ଅନ୍ୟମାନେ ନୌସେନାରେ କାର୍ଯ୍ୟ କରୁଥିଲେ । ଶେଷରେ ୧୯୯୨ ମସିହା ନଭେମ୍ବର ୧୦ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏକ ଛୋଟ ପାଲଟଣା ଡଙ୍ଗାରେ ପାରାଦୀପରୁ ବାଲି ଅଭିମୁଖେ ଆମର ଯାତ୍ରା ଆରମ୍ଭ ହୋଇଥିଲା । ସମୁଦ୍ର ବକ୍ଷରେ ଗୋପାଳପୁର, ବିଶାଖାପାଟନମ, ମାଡ୍ରାସ, ଗ୍ରେଟ୍‌ ନିକୋବର ଦ୍ୱୀପ ଅତିକ୍ରମ କରିବା ମଧ୍ୟରେ ବହୁ ବାଧା ବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା । ଶେଷରେ ପାଖା ପାଖି ୩ ମାସ ଯାତ୍ରା ପରେ ସୁମାତ୍ରା, ଜାଭା ଦେଇ ବାଲି ଦ୍ୱୀପରେ ପହଞ୍ଚି ଥିଲୁ ।

ଜୀବନ ପ୍ରତି ଆଶା ନଥିଲା
ସମୁଦ୍ର ଯାତ୍ରାର ସେହି ମୁହୂର୍ତ୍ତ ଗୁଡ଼ିକ ମନେ ପଡ଼ିଲେ ଏବେବି ଦେହରେ ଶିହରଣ ଖେଳିଯାଏ । କାରଣ ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ବିପଦର ସାମ୍ନା କରୁଥିଲୁ । ଜୀବନ ପ୍ରତି ପୂରା ଆଶା ଛାଡ଼ି ଦେଇଥିଲି । କାରଣ ଜାହାଜରେ ଯାତ୍ରା ଆଉ ଡଙ୍ଗାରେ ଆହୁଲା ମାରି ଯାତ୍ରା ସଂପୂର୍ଣ୍ଣ ଭିନ୍ନ କଥା । ଗୋଟେ ଛୋଟ ପାଲଟଣା ଡଙ୍ଗା, ସେଥିରେ ଦିନରାତି ଆମେ ଆହୁଲା ମାରି ଯାତ୍ରା କରୁଥିଲୁ । ବିଶେଷ ବିଶ୍ରାମ ନେବାକୁ ସମୟ ନଥିଲା । କାରଣ ଆମକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପହଞ୍ଚିବାର ଥିଲା । ଝଡ଼ ତୋଫାନ, ବର୍ଷାରେ ଡଙ୍ଗାକୁ ନିୟନ୍ତ୍ରଣ କରିବା ଏତେ ସହଜ ନଥିଲା । ତଥାପି ଆମେ ଆଗକୁ ବଢ଼ି ଚାଲିଥିଲୁ ।

ସମୁଦ୍ର ଦ୍ୱିଭାଗ ହେବାର ଦୃଶ୍ୟ ଦେଖିଛି
ଆମେ ଆଣ୍ଡାମାନରୁ ସୁମାତ୍ରା ଯାତ୍ରା ଆରମ୍ଭ କରିଥାଉ । ଦିନକୁ ୯ ନଟିକାଲ ମାଇଲ ଆମକୁ ଯିବାକୁ ପଡ଼େ । ସମୁଦ୍ରରେ ନର୍ଥ-ଇଷ୍ଟ୍‌ (ଉତ୍ତର-ପୂର୍ବ)କୁ ଯାତ୍ରା କରି ଆମେ ବଙ୍ଗୋପସାଗରରୁ ଭାରତ ମହାସାଗର ପ୍ରବେଶ କରିବା ମାତ୍ରେ ଆମ ଡଙ୍ଗାର ଷ୍ଟିୟରିଂ ଭାଙ୍ଗିଗଲା । ଏକ ସମୟରେ ଆମେ ୩ଟି ବଡ଼ ସମସ୍ୟାର ସାମ୍ନା କଲୁ । ପ୍ରଥମଟି ଥିଲା ପ୍ରବଳ ଝଡ଼ ତୋଫାନ । ଏମିତି ସମୟରେ ସମୁଦ୍ର ଦ୍ୱିଭାଗ ହେଲା ଭଳି ପରିସ୍ଥିତିର ସାମ୍ନା କରିଥିଲୁ । ଦ୍ୱିତୀୟଟି ଥିଲା ଷ୍ଟିୟରିଂ ଭାଙ୍ଗି ଯିବା । ଯେଉଁ ଷ୍ଟିୟରିଂ ମାଧ୍ୟମରେ ଡଙ୍ଗାକୁ ନିୟନ୍ତ୍ରଣ କରାଯିବା ସହ ଦିଗ ମଧ୍ୟ ନିର୍ଣ୍ଣୟ କରାଯାଇଥାଏ । ଡଙ୍ଗା ଆମର ସଂପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ସେତିକିବେଳେ ଆମେ ଆଉ ଏକ ସମସ୍ୟାରେ ଫସି ଯାଇଥିଲୁ । ଜଳ ଦସ୍ୟୁମାନେ ବିଛାଇଥିବା ଜାଲରେ ଆମ ଡଙ୍ଗା ଛନ୍ଦି ଯାଇଥିଲା । ଯାହା ହେଉ, ଆମ ଦଳରେ ଥିବା ଏକ୍ସପର୍ଟମାନଙ୍କ ସାହସିକତା ଯୋଗୁ ଏହି ସବୁ ବିପଦରୁ ବଞ୍ଚି ଯାଇଥିଲୁ । ଆମର ଜଣେ ଏକ୍ସପର୍ଟ ପାଣି ଭିତରେ ବୁଡ଼ି ଡଙ୍ଗାକୁ ଛନ୍ଦି ଥିବା ଜାଲରୁ ଅଲଗା କରିଥିଲେ । ଯାହା ହେଉ ଆମେ ସେଠାରୁ ରକ୍ଷା ପାଇ ଯାଇଥିଲୁ । ପୁଣି ଜାଭା ଓ ସୁମାତ୍ରା ମଝିରେ ମଧ୍ୟ ଆଉ ଏକ ସମସ୍ୟାର ସାମ୍ନା କରିଥିଲୁ । ଯାତ୍ରାର ବାମ ପାଶ୍ୱର୍ରେ ଜୀବନ୍ତ ଆଗ୍ନେୟଗିରି । ଆମ ନୌକା ସମୁଦ୍ର ସ୍ରୋତରେ ସେହି ଆଗ୍ନେୟଗିରି ଆଡ଼କୁ ଚାଲି ଯାଉଥାଏ । ମାତ୍ର ଆମ କ୍ୟାପଟେନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏଥିରୁ ମଧ୍ୟ ରକ୍ଷା ପାଇ ଯାଇଥିଲୁ ।

   ସମ୍ବନ୍ଧିତ ଖବର


ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ

କପିଲ ଦେବଙ୍କୁ ହାର୍ଟ ଆଟାକ୍, ଦିଲ୍ଲୀର ଏକ ହସ୍ପିଟାଲରେ ହେଲେ ଭର୍ତ୍ତି

ନଭେମ୍ବର ୨୦ରୁ ଆରମ୍ଭ ହେବ ଆଇଏସ୍‌ଏଲ୍‌, ଏଥର ସିଜନରେ ୧୧ ଟିମ୍ ଖେଳିବେ

IPL-2020: ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ମଧ୍ୟରେ କଡ଼ା ମୁକାବିଲା