ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଇସଲମାବାଦ,୨୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିପଙ୍କ ଜ୍ବାଇଁ ମହମ୍ମଦ ସଫଦରଙ୍କୁ କରାଚୀରୁ ଗିରଫ କରାଯାଇଥିଲା। ସଫଦରଙ୍କୁ ଗିରଫ କରାଯିବା ପରେ  ଏବେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହେବାର ଆଶଙ୍କା କରାଯାଉଛି। ଏହାଭିତରେ ସିନ୍ଧ ପୋଲିସ ଟୁଇଟ୍ କରି ଅଭିଯୋଗ କରିଛି ଯେ, ସଫଦରଙ୍କୁ ଗିରଫ କରିବା ନିର୍ଦେଶ ଜାରି କରିବା ପାଇଁ ପାକିସ୍ତାନ ରେଞ୍ଜର୍ସଙ୍କ ଯବାନ ସିନ୍ଧ ପୋଲିସ ମୁଖ୍ୟଙ୍କୁ ଅପହରଣ କରି ନେଇଛନ୍ତି। ଏହି ଅଭିଯୋଗ ପରେ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ବାଜଓ୍ବା ପୁରା ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ଏହା ଭିତରେ ଟୁଇଟରରେ ଦ ଇଣ୍ଟରନ୍ୟାସନାଲ ହେରାଲ୍ଡ ପକ୍ଷରୁ କୁହାଯାଇଛି ଯେ, ସିନ୍ଧ ପୋଲିସ ଓ ପାକିସ୍ତାନ ସେନା ଭିତରେ ଏ ସମୟରେ ଗୁଳିକାଣ୍ଡ ହୋଇଥିଲା। ଯେଉଁଥିରେ କରାଚୀ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଗୁଳିକାଣ୍ଡ ପରେ ସେଠାରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତେବେ ପାକିସ୍ତାନର ମୁଖ୍ୟ ଖବର କାଗଜ ‘ଡନ୍’ ଏଭଳି କୌଣସି ଖବର ଦେଇ ନାହିଁ। ସିନ୍ଧ ପୋଲିସ ଟୁଇଟ୍ କରି କହିଛି ୧୮/୧୯ ଅକ୍ଟୋବର ରାତିରେ ସେନାର ଯବାନ ଆଇଜି ସିନ୍ଧଙ୍କୁ ବଳପୂର୍ବକ ତାଙ୍କ ଘରୁ ଉଠାଇ ନେଇଥିଲ ଓ ତାଙ୍କୁ ମହମ୍ମଦ ସଫଦରଙ୍କୁ ଗିରଫ କରାଯିବା ନିର୍ଦେଶ ଉପରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଥିଲା।

ପୋଲିସ ଟୁଇଟ୍ କରି କହିଛି, ସିନ୍ଧ ପୋଲିସ ଏଭଳି ର୍ଦୁବ୍ୟବହାରରେ ଖୁବ୍ ଆଘାତ ପାଇଛି। ଆଇଜି ଏହାକୁ ବିରୋଧ କରି ଅନିଶ୍ଚିତକାଳ ପର୍ଯ୍ୟନ୍ତ ଛୁଟିରେ ଯିବାର ନିଷ୍ପତ୍ତି ନେଇଛନ୍ତି। ଏହି ଟୁଇଟ୍ ପରେ ପାକିସ୍ତାନ ସେନା ମୁଖ୍ୟ କମର ଜାଭେଦ ବାଜଓ୍ବା ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଜ୍ବାଇଁମହମ୍ମଦ ସଫଦରଙ୍କ ଗିରଫ ମାମଲାର ଯାଞ୍ଚ କରିବାର ନିର୍ଦେଶ ଦେଇଛନ୍ତି।