ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା; ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ତେଜିଲା ଅନ୍ଲାଇନ୍ ପିଟିସନ୍

ରାଇଚୁର ୧୯।୪: କର୍ଣ୍ଣାଟକର ରାଇଚୁରସ୍ଥିତ ନବୋଦୟ ଇଞ୍ଜିନିୟରିଙ୍ଗ୍ କଲେଜରେ ସିଭିଲ୍ ଇଞ୍ଜିନିୟରିଙ୍ଗ୍ ପଢୁଥିବା ଜଣେ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ଶବ କଲେଜ ଠାରୁ ୫/୬ କିଲୋମିଟର୍ ଦୂରରେ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।
ଶବ ମିଳିଥିବା ସ୍ଥାନରୁ ଗୋଟାଏ ସ୍ୟୁସାଇଡ୍ ନୋଟ୍ ମଧ୍ୟ ମିଳିଥିଲା। ପୂର୍ବ ପରୀକ୍ଷାଗୁଡ଼ିକରେ ବ୍ୟାକ୍ ପେପର୍ ରହି ଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା କଥା କୁହାଯାଇଥିଲା। ଏପ୍ରିଲ୍ ୧୩ ତାରିଖ ଦିନ ମଧୁ ନାମ୍ନା ସେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି।
କିନ୍ତୁ ଦୁଷ୍କର୍ମ ପରେ ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ପରେ ଗଛରେ ଟାଙ୍ଗି ଦିଆ ଯାଇଥିବା କଥା ସାଧାରଣରେ ଆଲୋଚନା ହେଉଛି। ମୃତକ ଝିଅର ପରିବାରକୁ ନ୍ୟାୟ ଦାବି କରି ଶହ ଶହ ସ୍ଥାନୀୟ ଲୋକ ମହମବତି ପଟୁଆରରେ ବାହରିଥିଲେ।
ଲୋକେ ସନ୍ଦେହ କରୁଛନ୍ତି ଯଦି ସେ ରଶି ଦେଇ ଯଦି ମରିଛି ତା ଦେହ ପୋଡ଼ିଲା କେମିତି? ତା’ଛଡ଼ା ପୂର୍ବର କୌଣସି ପରୀକ୍ଷାରେ ତାଙ୍କର ବ୍ୟାକ୍ ପେପର୍ ରହି ନ ଥିଲା। ସେ ସ୍ୟୁସାଇଡ୍ ନୋଟ୍ କାହିଁକି ଲେଖିଲେ? ନା, ତାଙ୍କୁ ଲେଖିବାକୁ ବାଧ୍ୟ କରାଯାଇଥିଲା?
ଏ ସବୁ ପ୍ରଶ୍ନ ସ୍ଥାନୀୟ ବାସିନ୍ଦାଙ୍କୁ ସନ୍ଦେହ ଘେରରେ ପକାଇ ଦେଇଛି । ମଧୁ ଲାଗି ନ୍ୟାୟ ଦାବି କରି ରାଇଚୁରବାସୀ ରାସ୍ତାକୁ ବାହାରି ଆସିଛନ୍ତି। ସେମାନଙ୍କର ବିଶ୍ୱାସ ଏହା ଗୋଟାଏ ହତ୍ୟାକାଣ୍ଡ ଓ ଜାଣିଶୁଣି ତଦନ୍ତ ବନ୍ଦ କରି ଦିଆଯାଇଛି।
ଏ ଘଟଣା ପାଇଁ କେତେକ ବ୍ୟକ୍ତି ଟୁଇଟର୍ରେ ‘ଜଷ୍ଟିସ୍ ଫର୍ ମଧୁ’ ବୋଲି ଅନ୍ଲାଇନ୍ ପିଟିସନ୍ ଆରମ୍ଭ କରି ଏହାକୁ ସମର୍ଥନ କରିବାକୁ ‘ସାଇନ୍ ଇନ୍’ କରିବାକୁ ଅନୁରୋଧ କରିଛନ୍ତି।