ସୋପିଆନ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ, ମୃତକଙ୍କ ମଧ୍ୟରେ ରହିଛି ଜଣେ ଏମଟେକ୍ ଛାତ୍ର

ସୋପିଆନ,୬।୪: ଜମ୍ମୁ-କଶ୍ମୀରରେ ଆଜ ଆତଙ୍କବାଦୀଙ୍କ ସହିତ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବଳକୁ ବଡ ଧରଣର ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ନିକଟରୁ ଗୋଳା-ବାରୁଦ ଜବତ କରାଯାଇଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଏମଟେକ୍ ଛାତ୍ର ରାହିଲ ରଶିଦ ଶେଖ ମଧ୍ୟ ରହିଛି, ଯିଏକି ନିକଟରେ ଏକ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା। ଅନ୍ୟ ଆତଙ୍କବାଦୀର ପରିଚୟ ବିଲାଲ ଅହମ୍ମଦ ରୂପରେ ହୋଇଛି। ଯିଏକି ସୋପିଆନରେ ରୁହେ। ଦୁଇ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି।
ସୋପିଆନର ଇମାମ ସାହେବ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥବାର ଖବର ପାଇବା ପରେ ଏହି ଅପରେସନ୍ ଆରମ୍ଭ କରିଥିଲେ। ସେନାର ଅପରେସନ୍ ପୂର୍ବରୁ ଏହି ଅଞ୍ଚଳକୁ ଘେରାଉ କରି ଦିଆଯାଇଥିଲା। ସଂଘର୍ଷ ବେଳେ ଦୁଇ ପଟୁ ଗୁଳିକାଣ୍ଡ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀ ୨ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ।
ସୁରକ୍ଷାକର୍ମୀଙ୍କ ପାଖରେ ସୂଚନା ରହିଛି ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥାଇ ପାରନ୍ତି। ତେଣୁ ସମ୍ପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହା ପୂର୍ବରୁ ପୁଲଓ୍ବାମାରେ ସୁରକ୍ଷାକର୍ମୀ ଚଳିତ ସପ୍ତାହରେ ୪ ଜଣ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ତେବେ ଏହି ସମୟରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ।