PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

୧୮୨ ହସ୍ପିଟାଲକୁ ‘କାୟାକଳ୍ପ’ ପୁରସ୍କାର

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ସ୍ୱଚ୍ଛତା ଓ ଗୁଣାତ୍ମକ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳିଛି ‘କାୟାକଳ୍ପ’ର ପ୍ରଥମ ପୁରସ୍କାର । ହସ୍ପିଟାଲକୁ ଟ୍ରଫି ସହ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଦିଆଯାଇଛି । ଆଜି ଜୟଦେବ ଭବନଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘କାୟାକଳ୍ପ’ର ବିଜେତା ୧୮୨ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ପୁରସ୍କୃତ କରିଛନ୍ତି ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଯେଉଁ ହସ୍ପିଟାଲ ଆଜି ପୁରସ୍କୃତ ହେଉଛନ୍ତି, ସେମାନଙ୍କ କର୍ମଚାରୀଙ୍କୁ ହିଁ ଏହାର ଶ୍ରେୟ ଯାଉଛି । ଏବେ ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ବଢ଼ିବାରେ ଲାଗିଛି । ସହରାଞ୍ଚଳକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ସରକାରୀ ହସ୍ପିଟାଲକୁ ହିଁ ଆସୁଛନ୍ତି । ତେଣୁ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ସ୍ୱଚ୍ଛ ପରିବେଶରେ ଆଉ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ।
ମନ୍ତ୍ରୀ କହିଛନ୍ତି, ପୂର୍ବ ବର୍ଷର ରେକର୍ଡ଼ ଦେଖିଲେ ପ୍ରଥମ ବର୍ଷ ମାତ୍ର ୩ଟି ହସ୍ପିଟାଲ ‘କାୟାକଳ୍ପ’ ପୁରସ୍କାର ପାଇଥିଲା । ୨୦୧୬-୧୭ ବର୍ଷ ପାଇଁ ୨୦ଟି, ୨୦୧୭-୧୮ରେ ୯୧ଟି ଆଉ ଚଳିତ ବର୍ଷ ୧୮୨ଟି ହସ୍ପିଟାଲ ‘କାୟାକଳ୍ପ’ ପୁରସ୍କାର ପାଉଛନ୍ତି । ଖୁସିର କଥା ହେଉଛି ଦେଶରେ ‘କାୟାକଳ୍ପ’ ପୁରସ୍କାର ପାଉଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଓଡ଼ିଶା ସବୁଠୁ ଆଗରେ ରହିଛି । ସବୁଠୁ ଅଧିକ ହସ୍ପିଟାଲ ଆମ ରାଜ୍ୟରୁ ହିଁ ପୁରସ୍କୃତ ହେଉଛନ୍ତି । ଏହାବାଦ୍‌ ଜାତୀୟସ୍ତରରେ ଜଗତସିଂହପୁର ଜିଲ୍ଲାର ମଣ୍ଡାସାହି ସିଏଚ୍‌ସି ଏବଂ କେନ୍ଦୁଝର ଜିଲ୍ଲାର ଘଟଗାଁ ସିଏଚ୍‌ସିକୁ ପୁରସ୍କାର ମିଳିଛି । କାୟାକଳ୍ପ ପାଇବାକୁ ଏକ ରକମର ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଯାଇଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଶଂସା କରି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ସାରା ଦେଶରେ ଏଭଳି ଯୋଜନା କେଉଁଠି ବି ନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଏବେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ରୋଗୀଙ୍କୁ ଚିକିତ୍ସା ପହଞ୍ଚାଇବା ଆମ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ଶ୍ରୀ ଜେନା କହିଛନ୍ତି ।
ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା କହିଛନ୍ତି, ଆଜି କାୟାକଳ୍ପରେ ପୁରସ୍କୃତ ହେଉଥିବା ହସ୍ପିଟାଲ ଆଗକୁ ମଧ୍ୟ ଭଲ କାମ କରନ୍ତୁ । ସେମାନଙ୍କ ଭିତରେ ଅଧିକ ଆଗ୍ରହ ଆସିଲେ ଯାଇ ସବୁଦିନ ପାଇଁ ହସ୍ପିଟାଲ ସ୍ୱଚ୍ଛ ରହିପାରିବ ।
ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ୱତନ୍ତ୍ର ସଚିବ ଡାକ୍ତର ବି. କେ. ବ୍ରହ୍ମା, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ସୁଶୀଲ କର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ହର ପଟ୍ଟନାୟକ ଉପସ୍ଥିତ ଥିଲେ ।
ଜିଲ୍ଲାସ୍ତରୀୟ ହସ୍ପିଟାଲସ୍ତରରେ ରନର୍ସଅପ ହୋଇଥିଲା କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର । ହସ୍ପିଟାଲକୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ସେହିଭଳି ୪ ଜିଲ୍ଲା ହସ୍ପିଟାଲକୁ ପ୍ରୋତ୍ସାହନମୂଳକ ସମ୍ମାନ ବାବଦକୁ ୩ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ସବ୍‌ଡିଭିଜିନାଲ/ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଥମ ପୁରସ୍କାର ମିଳିଥିଲା । ପୁରସ୍କାର ବାବଦକୁ ହସ୍ପିଟାଲକୁ ୧୫ ଲକ୍ଷ ଟଙ୍କା ମିଳିଛି । ରନର୍ସ ଅପ ହୋଇଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସବ୍‌ଡିଭିଜିନାଲ ହସ୍ପିଟାଲ । ଏହାବାଦ୍‌ ପ୍ରୋତ୍ସାହନମୂଳକ ସମ୍ମାନରେ ୪୬ ହସ୍ପିଟାଲକୁ ପୁରସ୍କୃତ କରାଯାଇଛି । ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ବ୍ରହ୍ମପୁର ଆସ୍କାରୋଡ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରଥମ ପୁରସ୍କାର ମିଳିଛି । ବ୍ରହ୍ମପୁରର ଆଗାସାହି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମ ରନର୍ସ ଅପ୍‌ ହୋଇଥିବାବେଳେ କଟକ ବିଡ଼ାନାସୀ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱିତୀୟ ରନର୍ସ ଅପ୍‌ ହୋଇଛି ।