କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍‌ ଯୌନ କେଳେଙ୍କାରୀ: ସଭାପତି ପଦରୁ ବିଦା ହେଲେ ପ୍ରମୋଦ

କେନ୍ଦ୍ରାପଡ଼ା ୨୭/୧୧: ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିବା କେନ୍ଦ୍ରାପଡ଼ା କ୍ରେଡିଟ୍‍ କୋ-ଅପରେଟିଭ୍‌ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ କୁମାର ସାହୁ ଶେଷରେ ସୋସାଇଟିରୁ ବିଦା ହୋଇଛନ୍ତି । ବିଧିବଦ୍ଧ ଭାବେ ଆଜି ସଭାପତି ପଦରୁ ତାଙ୍କୁ ହଟାଇ ଦିଆଯାଇଛି । ସୋସାଇଟିର ଭାବମୂର୍ତ୍ତି, ସଦସ୍ୟମାନଙ୍କ ସ୍ୱାର୍ଥ ଓ ସୁବିଧାକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ସେ ସୋସାଇଟିର ସଭାପତି ତଥା ସଦସ୍ୟ ଭାବେ ରହିିବା ସୋସାଇଟି ଲାଗି କୌଣସି ପରିସ୍ଥିତିରେ ଅନୁକୂଳ ନୁହେଁ ବୋଲି ହୃଦ୍‌ବୋଧ ହେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧକ (ଆର୍‌ସିଏସ୍‌) ବିଭୂତି ଭୂଷଣ ପଟ୍ଟନାୟକ ।

ଗଲା ୪ ତାରିଖରେ ପ୍ରମୋଦ ଗିରଫ ହେବା ପରେ ତାଙ୍କୁ ସେହିଦିନ ବସ୍ତୁତଃ ସଭାପତି ପଦରୁ ହଟାଇ ଦିଆଯାଇଥିଲା । ଶ୍ରୀ ସାହୁଙ୍କ ଅଫିସ୍‌ ଆସିବା, କାର୍ଯ୍ୟ କରିବା ଉପରେ ରୋକ୍‌ ଲଗାଯାଇଥିଲା । ଆର୍‌ସିଏସ୍‌ ତାଙ୍କୁ ସପ୍ତାହେ ମହଲତ ଦେଇଥିଲେ ନିଜ ପକ୍ଷ ରଖିବାକୁ, କାହିଁକି ତାଙ୍କୁ ବରଖାସ୍ତ କରାନଯିବ ଜଣାଇବାକୁ । ସମବାୟ ଆଇନ ୧୯୬୨ର ଧାରା ୩୨ ଉପଧାରା ୮ ଅନୁଯାୟୀ ତାଙ୍କୁ କାହିଁକି ସୋସାଇଟିର ପରିଚାଳନା କମିଟି ସଭାପତି ତଥା ସଦସ୍ୟ ପଦରୁ ସମ୍ପୂର୍ଣ୍ଣ ଭାବେ ବିଦା କରାନଯିବ ସେନେଇ ଉତ୍ତର ରଖିବାକୁ ତାଙ୍କୁ କୁହାଯାଇଥିଲା । ଅନ୍ୟଥା ଆଇନତଃ ନିଷ୍ପତ୍ତି ନିଆଯିବ ବୋଲି ଚେତାଇ ଦେଇଥିଲେ ଆର୍‌ସିଏସ୍‍ । ସେହିଦିନ ହିଁ ଉତ୍ତର ରଖି ତାଙ୍କ ନାଁରେ ଥିବା ଯୌନ ଶୋଷଣ ଅଭିଯୋଗକୁ ଅସ୍ୱୀକାର କରିଥିଲେ ପ୍ରମୋଦ । ଯାହା ସରକାରଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଏଣୁ ଆଜି ତାଙ୍କୁ ସୋସାଇଟିର ସଭାପତି ଓ ସଦସ୍ୟ ପଦରୁ ସଂପୂର୍ଣ୍ଣ ବରଖାସ୍ତ କରାଯାଇଛି । ପରବର୍ତ୍ତୀ ସଭାପତି ନିର୍ବାଚନ ନହେବା ପର୍ଯ୍ୟନ୍ତ ସୋସାଇଟି ପରିଚାଳନା ବୋର୍ଡର ଉପସଭାନେତ୍ରୀ ତଥା ବର୍ତ୍ତମାନର ଇନ୍‌ଚାର୍ଜ ସଭାନେତ୍ରୀ ଅନସୂୟା ସାମଲ ଦାୟିତ୍ୱରେ ରହିବେ ବୋଲି ଆଜି ପ୍ରକାଶିତ ବିଭାଗୀୟ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ସୋସାଇଟିରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ପୂର୍ବତନ ସଭାପତି ଶ୍ରୀ ସାହୁଙ୍କ ନାମରେ ଯୌନ ଶୋଷଣ, ହତ୍ୟା ଉଦ୍ୟମ ଭଳି ଗୁରୁତର ଅଭିଯୋଗ ଆଣିବା ପରେ ଓ ଏ ନେଇ ଲଗାତାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାର ପରେ ସୋସାଇଟିର ଭାବମୂର୍ତ୍ତି, ବିଶ୍ୱସନୀୟତାରେ ଆଞ୍ଚ ଆସିଥିଲା । ଏଥିସହ ପ୍ରମୋଦଙ୍କ ଗିରଫଦାରି ପରେ ଜମାକାରୀ, ଋଣଦାତା, ସଦସ୍ୟ, କର୍ମଚାରୀଙ୍କ ପାଖରେ ସୋସାଇଟି ଭରସା ଓ ବିଶ୍ୱାସ ହରାଇବାକୁ ବସିଥିଲା । ତେଣୁ ଏଭଳି ସ୍ଥିତିରେ ପ୍ରମୋଦଙ୍କୁ ସୋସାଇଟିରୁ ପୂରା ବିଦା କରିବାକୁ ଉଚିତ ମନେ କରିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ଯେ ଯଦିଓ ଶ୍ରୀ ସାହୁଙ୍କ ନାଁରେ ଉଠିଥିବା ଯୌନଶୋଷଣ ଅଭିଯୋଗ କୋର୍ଟରେ ପ୍ରମାଣିତ ହୋଇନି ତଥାପି ତାଙ୍କ ଯୋଗୁଁ ସୋସାଇଟିର ସମ୍ମାନ ଗୁରୁତର ଭାବେ ପ୍ରଭାବିତ, ଭୂଲୁଣ୍ଠିତ ହୋଇଛି ।

ଉଲ୍ଲେଖନୀୟ, ଯୌନ ଶୋଷଣ ଅଭିଯୋଗରେ ଛନ୍ଦି ହେବା ପରେ ନଭେମ୍ୱର ୩ ତାରିଖ ମଧ୍ୟରାତିରେ ପ୍ରମୋଦଙ୍କୁ ପୁଲିସ ବଣିଆମାଳସ୍ଥିତ ତାଙ୍କ ଘରୁ ଉଠାଇନେଇ ୪ ତାରିଖରେ କୋର୍ଟ ଚାଲାଣ କରିଥିଲା । କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟ ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍‍ଙ୍କ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ସେ ଏବେ ସହର ଉପକଣ୍ଠ ବାରିମୂଳ ଉପକାରାଗାରରେ ବନ୍ଦୀ ଅଛନ୍ତି । ହାଇକୋର୍ଟରେ ତାଙ୍କ ଜାମିନ୍‌ ଆବେଦନ ବିଚାରାଧୀନ ରହିଛି ।

   ସମ୍ବନ୍ଧିତ ଖବର


ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ