କେନ୍ଦ୍ରାପଡ଼ା ଜମ୍ୱୁ ସାମୁଦ୍ରିକ ପୁଲିସ ବାରାକ୍‌ରେ ଅଗ୍ନିକାଣ୍ଡ: ଜଳିଗଲେ ୨ ବୋଟ୍‌ମ୍ୟାନ୍‍

କେନ୍ଦ୍ରାପଡ଼ା ୨/୯ : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଜମ୍ବୁ ସାମୁଦ୍ରିକ ଥାନାର ଖରିନାସୀସ୍ଥିତ ପୁଲିସ ବାରାକ୍‌ରେ ଘଟିଛି ଅଭାବନୀୟ ଘଟଣା । ରବିବାର ସକାଳେ ବାରାକ୍‌ରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଜଳି ଯାଇଛନ୍ତି ଦୁଇ ବୋଟ୍‌ମ୍ୟାନ । ବାରାକ୍‌ ରୋଷେଇ ଘରେ ସକାଳ ଜଳଖିଆ ପ୍ରସ୍ତୁତି ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିବାରୁ ଚାଲିଯାଇଛି ଦୁଇ ଅମୂଲ୍ୟ ଜୀବନ ।
 

ମୃତକ ଦୁହେଁ ହେଲେ ସାମୁଦ୍ରିକ ଥାନାର ବୋଟ୍‌ ଚାଳକ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ସୁଶାନ୍ତ କୁମାର ସାହୁ(୪୫) ଏବଂ ନୟାଗଡ଼ ରଣପୁରର ପ୍ରକାଶ ଚନ୍ଦ୍ର ସାମନ୍ତରାୟ (୪୦) । ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଶାନ୍ତଙ୍କ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ସୁଶାନ୍ତ ଏବଂ ପ୍ରକାଶ ଅବସରପ୍ରାପ୍ତ ସେନା କର୍ମଚାରୀ । ସେନାରୁ ଅବସର ନେବା ପରେ ଦୁହେଁ ରାଜ୍ୟ ପୁଲିସ ବିଭାଗରେ କାମ କରୁଥିଲେ । ୧୦୮ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଗୁରୁତର ଆହତ ସୁଶାନ୍ତଙ୍କ ଜୀବନ ଚାଲିଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ପ୍ରାପ୍ତ ସୂଚନା ଅନୁସାରେ, ଖରିନାସୀଠାରେ ଥିବା ଜମ୍ୱୁ ସାମୁଦ୍ରିକ ଥାନା ପୁଲିସ ବାରାକ୍‍ରେ ଏକାଠି ମିଳିମିଶି ରହୁଥିଲେ ୧୩ ଜଣ ନାବିକ କର୍ମଚାରୀ ।

ଏଠାରେ ୨ଟି ସ୍ପିଡ୍‍ ବୋଟ୍‌ ରହିଛି । ସେଥିରୁ ଗୋଟିଏ ବୋଟ୍‍ ପେଟ୍ରୋଲ ଏବଂ ଆରଟି ଡିଜେଲ୍‌ରେ ଚାଲୁଥିଲା । ଆଉ ଏଥିଲାଗି ଆବଶ୍ୟକ ପେଟ୍ରୋଲ ଏବଂ ଡିଜେଲ ଉକ୍ତ ବାରାକ୍‌ର ରୋଷେଇ ଘରେ ଗଚ୍ଛିତ ହୋଇ ରହୁଥିଲା ବୋଲି ଖବର ମିଳିଛି । ଏଥିସହ ସେମାନେ ରୋଷେଇ କରିବାକୁ ଗ୍ୟାସ୍‍ ସିଲିଣ୍ଡର, କେବେ କେମିତି ଷ୍ଟୋଭ୍‍ ବି ବ୍ୟବହାର କରୁଥିଲେ । ୨୦୧୧ ମସିହାରୁ ଏଠାରେ ରହିଆସୁଛନ୍ତି କର୍ମଚାରୀମାନେ । ସେମାନେ ବାରାକର ଗୋଟିଏ ଘରେ ରହୁଥିବା ବେଳେ ଅନ୍ୟ ଘରେ ରୋଷେଇ କରୁଥିଲେ । ପ୍ରତ୍ୟହ ରୋଷେଇ କରିବା ଭଳି ଆଜି ବି କରିଥିଲେ । ରବିବାର ଥିବାରୁ ମାଛ ବରାଦ ହୋଇ ଆସିଥିଲା ସଭିଏଁ ଖାଇବାକୁ । ସକାଳେ ସେମାନଙ୍କ ମଧ୍ୟରୁ କେତେଜଣ ଜଳଖିଆ ପ୍ରସ୍ତୁତ କରୁଥିଲେ । ସେତିକିବେଳେ ରୋଷେଇ ଘରେ ପ୍ରକାଶ ଓ ସୁଶାନ୍ତ ଥିଲେ । ଅନ୍ୟମାନେ ବାହାରେ ଥିଲେ ।

ସେମାନେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ସମ୍ଭବତଃ ଷ୍ଟୋଭ୍‌ ଫାଟିଯାଇଥିଲା ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ତେବେ ଆଉ କିଛି ସ୍ଥାନୀୟ ଲୋକଙ୍କ କହିବା କଥା, ପୂର୍ବ ରାତିରୁ ଗ୍ୟାସ୍‍ ଲିକ୍‍ ହୋଇଯାଇଥିଲା । ସେମାନେ ରୋଷେଇ ଲାଗି ଚୁଲାରେ ଅଗ୍ନି ସଂଯୋଗ କରିବା ମାତ୍ରେ ବିସ୍ଫୋରଣ ହୋଇ ନିମିଷକ ମଧ୍ୟରେ ସବୁଆଡ଼କୁ ନିଆଁ ବ୍ୟାପି ଯାଇଥିଲା । ନିଆଁକୁ ଅଧିକ ତେଜି ଦେଇଥିଲା ଘର ଭିତରେ ବୋଟ୍‌ରେ ବ୍ୟବହାର ଲାଗି ରହିଥିବା ଡିଜେଲ୍‌ ଓ ପେଟ୍ରୋଲ ଭର୍ତ୍ତି ଜାର୍‌କିନ୍‍ ।   

ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଗ୍ୟାସ୍‍ ଲିକ୍‍ ଯୋଗୁଁ ହୋଇଥାଉ ଅବା ଷ୍ଟୋଭ ଫାଟିବାରୁ ହୋଇଥାଉ, ଘରେ ଅଗ୍ନି ସଂଯୋଗ ହେବା ପରେ ପ୍ରକାଶ ଓ ସୁଶାନ୍ତ ଦୁହେଁ ଘରୁ ବାହାରକୁ ଆସିନପାରି ଭିତରେ ରହିଯାଇଥିଲେ । ଉଭୟ ରୋଷେଇ ଘର ଭିତରେ ପଡ଼ିଥିବା ଏକ ଖଟ ଉପରକୁ ଚଢ଼ି ଯାଇଥିବା କହିଛନ୍ତି ସେହିବାଟ ଦେଇ ଯାଉଥିବା ଶୁକଦେବ ପାଲ, ଶିବାକା ଦାସ ଓ ଟି. ମଣ୍ଡଳ ପ୍ରମୁଖ । ସେମାନେ ଘର ଭିତରେ ଜଳିଯାଉଥିବା ଦେଖି ବାହାରେ ଥିବା ସାଥୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେମାନଙ୍କୁ ଘରୁ ଉଦ୍ଧାର କରିଥିଲେ । ଆମ୍ବୁଲାନ୍ସ ଡେରି କରିବାରୁ ଚିକିତ୍ସା ସୁବିଧା ମିଳିପାରିନଥିଲା ବୋଲି ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

   ସମ୍ବନ୍ଧିତ ଖବର


ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ

ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ

ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଇଁ ପ୍ରଶାସନର କଟକଣା : ପୁରୋହିତ, କର୍ମକର୍ତ୍ତାଙ୍କ ସମେତ ୭ଜଣରୁ ଉର୍ଦ୍ଧ୍ବ ଲୋକ ରହିପାରିବେନି, କୋଭିଡ଼ ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ବଡ଼ ଅଘଟଣ: ବୋମା ଭିଡୁଥିବା ବେଳେ ବିସ୍ପୋରଣ, ଜଣେ ମୃତ, ଦୁଇ ଗୁରୁତର

ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ