ଖୋଲିବ ବଲିଉଡ୍‌-ଓଡ଼ିଶା ଲିଙ୍କ୍‌ -ସୁଶାନ୍ତ ମୃତ୍ୟୁ ଓ ଡ୍ରଗ୍‌ସ ମାମଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍‌ସ ଲିଙ୍କ୍‌ ନେଇ ପର୍ଦ୍ଦାଫାସ ହେବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏ ନେଇ ତନାଘନା ଜାରି ରଖିଛି । ଏ ବାବଦରେ ଅଧିକ ତଥ୍ୟ ହାସଲ ନିମନ୍ତେ ଏହା ଓଡ଼ିଶା ପୁଲିସର ମଧ୍ୟ ସହଯୋଗ ଲୋଡ଼ିବ ବୋଲି ଜାଣିବାକୁ ମିଳିଛି । ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ରେ ଭୁବନେଶ୍ୱର କଥା ଉଲ୍ଲେଖ ରହିଥିଲା । ତେଣୁ ଭୁବନେଶ୍ୱରରେ ଏନ୍‌ସିବି ଡ୍ରଗ୍‌ସ ଲିଙ୍କ୍‌ର ଖିଅ ଅଣ୍ଡାଳିବ ।

ଭୁବନେଶ୍ୱର ବ୍ୟତୀତ ଗୌହାଟୀ ଏବଂ ଅହମ୍ମଦାବାଦ ଭଳି ଆଉ କେତେକ ସହରରେ ମଧ୍ୟ ଏନ୍‌ସିବି ଡେରା ପକାଇବ ବୋଲି ଏକ ସୂତ୍ରରୁ ଜାଣିବାକୁ ମିଳିଛି । ଏ ବାବଦରେ ଏନ୍‌ସିବିର ଅଧିକାରୀମାନେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପୁଲିସ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ଆବଶ୍ୟକ ସ୍ଥଳେ ଏନ୍‌ସିବି ସହଯୋଗ ଲୋଡ଼ିଲେ, ଓଡ଼ିଶା ପୁଲିସ ସହଯୋଗ କରିବ ବୋଲି ପୂର୍ବରୁ ଓଡ଼ିଶା ଡିଜିପି ଅଭୟ କହିଥିଲେ ।

ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରଥମେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଥିଲେ । ଇଡି ରିୟାଙ୍କ ହ୍ୱାଟ୍‌ସଆପ୍‌ ଚାଟ୍‌ଗୁଡ଼ିକରୁ ଡ୍ରଗ୍‌ସ ଲିଙ୍କ୍‌ ତଥ୍ୟ ହାସଲ କରିବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା । ଇଡି ଏହି ହ୍ୱାଟ୍‌ସଆପ୍‌ ତଥ୍ୟ ଏନ୍‌ସିବିକୁ ଦେଇଥିଲା । ଅଗଷ୍ଟରେ ଏହି ତଥ୍ୟର ଖୁଲାସା ହେବା ପରେ ଏଥିରେ ଭୁବନେଶ୍ୱର କଥା ଉଠିଥିଲା । ସାଇମନ୍‌ ଖମ୍ବାଟା ନାମ୍ନୀ ନିଜର ଜଣେ ବାନ୍ଧବୀଙ୍କ ସହ ରିୟା ଚାଟ୍‌ କରିଥିଲେ । ଭୁବନେଶ୍ୱରରେ ସବୁଠୁ ଭଲ ଗଞ୍ଜେଇ ରହିଥିବା ସେମାନେ କଥା ହୋଇଥିଲେ । ଏହା ସେତେବେଳେ ଓଡ଼ିଶାରେ ବେଶ୍‌ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ବଲିଉଡ୍‌ର ଡ୍ରଗ୍‌ସ ଲିଙ୍କ୍‌ ଓଡ଼ିଶାକୁ ଲମ୍ବିଛି ବୋଲି ଆଲୋଚନା ହୋଇଥିଲା ।

ହ୍ୱାଟ୍‌ସଆପ୍‌ରେ ରିୟା ସାଇମନ୍‌ ଖମ୍ବାଟାଙ୍କ ସମେତ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌, ରାକୁଲ ପ୍ରୀତ ସିଂହଙ୍କ ଭଳି ଆଗ ଧାଡ଼ିର ଅଭିନେତ୍ରୀଙ୍କ ସହ ମଧ୍ୟ ଡ୍ରଗ୍‌ସ ବାବଦରେ ଚାଟ୍‌ କରିଥିବା ଜଣାପଡ଼ିଥିଲା । ତେଣୁ ସେମାନଙ୍କୁ ଏନ୍‌ସିବି ସମନ୍‌ ଜାରି କରିପାରେ ବୋଲି ଆଶା କରାଯାଉଛି ।

ଏବେ ଏହି ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ନାମ ସାମ୍ନାକୁ ଆସିଛି । ଦୀପିକା ଏବଂ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ହ୍ୱାଟ୍‌ସଆପ୍‌ରେ ନିଶାଦ୍ରବ୍ୟ ବାବଦରେ ଚାଟ୍‌ କରିଥିବା ଜାଣିବାକୁ ମିଳିଛି । ଏହାପରେ ଏନ୍‌ସିବି କରିସ୍ମାଙ୍କୁ ସମନ୍‌ ଜାରି କରିଛି । ଏମିତି କି କରିସ୍ମା କାର୍ଯ୍ୟ କରୁଥିବା କ୍ୱାନ୍‌ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଧ୍ରୁବ ଚିତ୍‌ଗୋପେକରଙ୍କୁ ମଧ୍ୟ ସମନ୍‌ ପଠାଯାଇଛି । ସମନ୍‌ ପାଇବା ପରେ ଧ୍ରୁବ ଏନ୍‌ସିବି ନିକଟରେ ହାଜର ହୋଇଥିଲେ । କିନ୍ତୁ କରିସ୍ମା ଏଥିପାଇଁ ଅଧିକ ସମୟ ମାଗିଛନ୍ତି । ଆବଶ୍ୟକ ପଡ଼ିଲେ ଦୀପିକାଙ୍କୁ ଜେରା କରିବା ଲାଗି ଏନ୍‌ସିବି ସମନ୍‌ ଜାରି କରିବ ବୋଲି କହିଛି । ଏଥିସହ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦି ଓ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହା ମଧ୍ୟ ଆଜି ଏନ୍‌ସିବି ଅଫିସରେ ହାଜର ହୋଇଛନ୍ତି । ସୋମବାର ଜୟାଙ୍କୁ ଏନ୍‌ସିବି ଦୀର୍ଘ ୪ ଘଣ୍ଟା ଜେରା କରିଥିଲା ।

ଏହାବ୍ୟତୀତ ମାମଲାରେ ଅଭିନେତ୍ରୀ ଦିୟା ମିର୍ଜାଙ୍କ ନାମ ବି ଚର୍ଚ୍ଚାକୁ ଆସିଛି । ପୂର୍ବରୁ ଗିରଫ ଡ୍ରଗ୍ସ ମାଫିଆ ଅନୁଜ କେଶୱାନି ଜେରା ବେଳେ ଦିୟାଙ୍କ ନାମ ନେଇଥିଲେ । ସେ କହିଥିଲେ ଦିୟାଙ୍କ ମ୍ୟାନେଜର ଡ୍ରଗ୍ସ କିଣନ୍ତି । ୨୦୧୯ରେ ଦିୟାଙ୍କ ମ୍ୟାନେଜର ତାଙ୍କଠାରୁ ଡ୍ରଗ୍ସ ନେଇଥିଲେ । ଏପରିକି ତାଙ୍କୁ ଦୁଇଥର ମଧ୍ୟ ସେ ଭେଟିଥିଲେ । ତେଣୁ ଆଗାମୀ ଦିନରେ ଦିୟାଙ୍କ ମ୍ୟାନେଜରଙ୍କୁ ପଚରାଉଚୁରା କରିବା ଲାଗି ଏନ୍‌ସିବି ସମନ୍‌ ଜାରି କରିବାର ସମ୍ଭାବନା ରହିଛି । ଆବଶ୍ୟକ ପଡ଼ିଲେ ଦିୟାଙ୍କୁ ମଧ୍ୟ ସମନ୍‌ ଜାରି କରାଯିବ । ସେହିଭଳି ‘ଉଡ୍‌ତା ପଞ୍ଜାବ’ ଭଳି ଫିଲ୍ମ କରିଥିବା ପ୍ରଯୋଜକ ମଧୁ ମାଣ୍ଟେନାଙ୍କ ନାମ ମଧ୍ୟ ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଛି । ଜୟା ଶାହା ତାଙ୍କ ନାମ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ରିୟାଙ୍କୁ ଜେରା ବେଳେ ଡ୍ରଗ୍ସ ଲିଙ୍କ୍‌ରେ ବହୁ ବଡ଼ ବଡ଼ କଳାକାର ସାମିଲ ଥିବା ସେ କହିଛନ୍ତି । ସେମାନଙ୍କ ଭିତରେ ଦୀପିକା, ଦିୟାଙ୍କ ବ୍ୟତୀତ ସାରା ଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂହ, ସାଇମନ୍‌ ଖମ୍ବାଟା, ନମ୍ରତା ସିରୋଦକର ପ୍ରମୁଖଙ୍କ ନାମ ଥିବା କୁହାଯାଉଛି । ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ରିୟା ଓ ଶୌଭିକଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିଛି ।

ସେପଟେ ରିୟାଙ୍କ ହାଜତ ଅବଧି ମଙ୍ଗଳବାର ଆଉ ୧୪ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଅର୍ଥାତ ସେ ଆସନ୍ତା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ବାୟକୁଲା ଜେଲ୍‌ରେ ରହିବେ । ଆଜି ତାଙ୍କ ହାଜତ ମିଆଦ ଶେଷ ହେଉଥିବାରୁ ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା । ପୂର୍ବରୁ ଦୌରାଜଜ୍‌ଙ୍କ କୋର୍ଟରେ ତାଙ୍କର ଜାମିନ ଆବେଦନ ଦୁଇଥର ଖାରଜ ହୋଇସାରିଥିଲା ବେଳେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା କାଲି (ବୁଧବାର) ହାଇକୋର୍ଟ ରିୟା ଓ ଏହି ମାମଲାରେ ଗିରଫ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ । ରିୟାଙ୍କୁ ଲଗାତର ଭାବେ ୩ ଦିନ ଧରି ଜେରା କରିବା ପରେ ସେପ୍ଟେମ୍ବର ୮ ତାରିଖରେ ଏନ୍‌ସିବି ଗିରଫ କରିଥିଲା । ସେବେଠାରୁ ସେ ବାୟକୁଲା ଜେଲ୍‌ରେ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଗତ କେଇ ଦଶନ୍ଧି ମଧ୍ୟରେ ଦେଶର ଗଞ୍ଜେଇ କରିଡରରେ ଓଡ଼ିଶା ବେଶ୍‌ ଦୁର୍ନାମ ଅର୍ଜନ କରିଛି । ଗଞ୍ଜେଇ ଅମଳ ଋତୁ ହୋଇଗଲେ ଓଡ଼ିଶାରୁ ଦେଶର ବିଭିନ୍ନ ରାଜ୍ୟକୁ ଟନ୍‌ ଟନ୍‌ ଗଞ୍ଜେଇ ଚାଲାଣ ହେଉଛି । ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଥିଲେ ମଧ୍ୟ ଜାତୀୟ/ଆନ୍ତର୍ଜାତିକ ନିଶା ର‌୍ୟାକେଟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଗଞ୍ଜେଇ ଚାଷ ଅଞ୍ଚଳରେ ନିର୍ବିଘ୍ନରେ ଆଡ୍ଡା ଜମାଇ ନିଜ ବେପାର କରୁଛନ୍ତି । ଏଥିସହ ବ୍ରାଉନସୁଗର କାରବାର ପାଇଁ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ସହର ପେଣ୍ଠ ଭାବେ ପରିଚିତି ହାସଲ କରିଛନ୍ତି । ତେଣୁ ବଲିଉଡର ନିଶା କାରବାର ସହ ଓଡ଼ିଶାର ସମ୍ପର୍କ ଥିବା କିଛି ଅସମ୍ଭବ ନୁହେଁ ବୋଲି ଅନେକ ଅଭିଜ୍ଞ ପୁଲିସ ଅଫିସର ମତ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ନୂଆଖାଇ ଭେଟଘାଟ ବେଳେ ହତ୍ୟାକାଣ୍ଡ: ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ୨ଗିରଫ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି