ଖୋଲିବ କିଡ୍ନୀ ର୍ୟାକେଟ୍ ଗୁମର: ଦଲାଲ୍ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୁଲିସ୍, ୩ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଚାଲିଛି ଜେରା

ଭୁବନେଶ୍ୱର,୧୭/୦୧: କିଡ୍ନୀ ବିକ୍ରି ର୍ୟାକେଟ୍ର ମୁଖ୍ୟ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦକୁ କମିଶନରେଟ୍ ପୁଲିସ୍ ୩ ଦିନିଆ ରିମାଣ୍ଡରେ ନେଇଛି। ନୂଆପଲ୍ଲୀ ଥାନା ପୁଲିସ୍ ପକ୍ଷରୁ ହିମାଂଶୁକୁ ରିମାଣ୍ଡରେ ନେବା ପାଇଁ ଗତକାଲି ଏସ୍ଡିଜେଏମ୍ଙ୍କ କୋର୍ଟରେ ଆବେଦନ କରାଯାଇଥିଲା । କୋର୍ଟଙ୍କ ଅନୁମତି ପରେ ପୁଲିସ୍ ହିମାଂଶୁକୁ ରିମାଣ୍ଡରେ ନେଇଛି । କିଡ୍ନୀ ବିକ୍ରି ର୍ୟାକେଟ୍ର ଗୁମର ଖୋଲିବା ପାଇଁ ପୁଲିସ ହିମାଂଶୁକୁ ମାରାଥନ୍ ଜେରା ଚଳାଇଛି ।
ହିମାଂଶୁକୁ ଜେରା ବେଳେ ବିଶେଷକରି ୩ଟି ଦିଗକୁ ଫୋକସ୍ ଦିଆଯାଉଛି । ପ୍ରଥମଟି ହେଲା, ସେ କେତେ ଜଣଙ୍କୁ ଠକିଛି? କେତେ ଟଙ୍କାର ଚୂନ ଲଗାଇଛି? ବର୍ତ୍ତମାନ ସୁଦ୍ଧା ମୋଟ ୪ଟି ମାମଲା ତା ବିରୋଧରେ ଆସିଛି । ନୂଆପଲ୍ଲୀ ବ୍ୟତୀତ ଲକ୍ଷ୍ମୀସାଗର ଓ ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ କୁମାର ନାୟକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ସେହିପରି ଆଜି ଠକେଇର ଶିକାର ଆଉ ଜଣେ ବ୍ୟକ୍ତି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ନାମ ଆଲୋକ ରଞ୍ଜନ ଚଇନି । ହିମାଂଶୁ ତାଙ୍କୁ କିଡ୍ନୀ ଯୋଗାଇ ଦେବାକୁ କହି ୮ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଛନ୍ତି ।
ଜେରାର ଦ୍ୱିତୀୟ ଦିଗ ହେଉଛି, ଠକେଇରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି? ସେମାନଙ୍କ ସମ୍ପର୍କରେ ପୁଲିସ ଖୋଳତାଡ଼ କରୁଛି । ପୁଲିସ ସନ୍ଦେହ କରୁଛି, କିଛି ଘରୋଇ ହସ୍ପିଟାଲର କର୍ମଚାରୀ ଏହି ର୍ୟାକେଟ୍ରେ ସାମିଲ ଅଛନ୍ତି । ସେମାନଙ୍କ ଠାରୁ ହିମାଂଶୁ କିଡ୍ନୀ ରୋଗରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଡାଟା ବେସ୍ ଆଣୁଥିଲା । ପ୍ରତିବଦଳରେ ସେମାନଙ୍କୁ ପୁଳାପୁଳା ଟଙ୍କା ଦେଉଥିଲା । ଏହାବାଦ୍ ଠକେଇ ଜାଲରେ ଫସାଇବା ପ୍ରକ୍ରିୟାରେ ହିମାଂଶୁକୁ ଅନ୍ୟ କେହି ସାହାଯ୍ୟ କରୁଥିଲେ କି? ସେ ଦିଗରେ ମଧ୍ୟ ପୁଲିସ ଖୋଳତାଡ଼ ଚଳାଇଛି ।
ଶେଷ ଦିଗଟି ହେଉଛି, ର୍ୟାକେଟ୍ର ଚେର କେତେ ବାଟ ଲମ୍ବିଛି? ଖାଲି ରାଜଧାନୀ ନା ଅନ୍ୟ କେଉଁ ସହରରେ ମଧ୍ୟ ଠକେଇ ହୋଇଛି? ରାଜ୍ୟ ବାହାରେ କାହାରିକୁ ଠକାଯାଇନି ତ? ଏହାବାଦ୍ ର୍ୟାକେଟ୍ର ମାଷ୍ଟରମାଇଣ୍ଡ ହିମାଂଶୁ ନା ଅନ୍ୟ କେହି ବଡ଼ ମୁଣ୍ଡ ର୍ୟାକେଟ୍କୁ ସମ୍ଭାଳୁଥିଲା । ସେନେଇ ମଧ୍ୟ ହିମାଂଶୁକୁ ଜେରା ଚାଲଛି । ଏଥିସହ ହିମାଂଶୁ ଠକେଇ ଟଙ୍କାରେ କିଭଳି ନିଜର ସମ୍ପତ୍ତି ବଢ଼ାଇଛି, କେତୋଟି ଆକାଉଣ୍ଟରେ ଟଙ୍କା ରଖିଛି ତାହା ମଧ୍ୟ ଖୋଳତାଡ଼ କରୁଛି ପୁଲିସ ।
ସୂଚନା ଥାଉ କି, ବାଲେଶ୍ୱର ରୁପସାର ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଠାରୁ କିଡ୍ନୀ ପ୍ରତିରୋପଣ ପାଇଁ ହିମାଂଶୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲା । ଏନେଇ ଶ୍ରୀ ମିଶ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ହିମାଂଶୁକୁ ଗିରଫ କରି ଜେଲ୍ ପଠାଇଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହିମାଂଶୁ ବିରୋଧରେ ଠକେଇର ଅଭିଯୋଗ ବଢ଼ି ଚାଲିଛି ।