
ଭୁବନେଶ୍ୱର,୧୪/୦୧: ନୂଆପଲ୍ଲୀ ଥାନା ପୁଲିସ୍ ଧରିଥିବା କିଡ୍ନି ଚୋରି ର୍ୟାକେଟ୍ର କଳାଫର୍ଦ୍ଦ ଖୋଲିବାରେ ଲାଗିଛି । ଗତକାଲି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ କିଡ୍ନି ଚୋରି ନେଇ ଆଉ ଜଣେ ମହିଳା ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ଦୀର୍ଘ ଦିନ ଧରି ରାଜଧାନୀରେ କିଡ୍ନି ହେର୍ଫେର୍ ର୍ୟାକେଟ୍ରେ ସମ୍ପୃକ୍ତ ଥିଲେ । ପ୍ରାୟ ୨ କୋଟି ଟଙ୍କା ବେପାର କରିଥିବା ପୁଲିସ୍ ସୁରାକ୍ ପାଇଛି । ତାଙ୍କୁ ରିମାଣ୍ଡରେ ଆଣି ତଥ୍ୟ ଉଗାଳିବାକୁ ପୁଲିସ୍ ନିଷ୍ପତ୍ତି ନେଇଛି ।
ସୂଚନା ଥାଉ କି, ହିମାଂଶୁ ଧନୀ ଶ୍ରେଣୀୟ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ । ତାଙ୍କୁ ଯୋଗାଯୋଗ କରି ଲୁଚାଛପାରେ ବେଆଇନ୍ ଭାବେ କିଡ୍ନି ଦେବାକୁ ପ୍ରତିଶ୍ରୁତି ଦେଉଥିଲେ । ପରେ କାହାଠାରୁ ୫ଲକ୍ଷ ତ କାହାଠାରୁ ୧୦ଲକ୍ଷ ଟଙ୍କା ଆଦାୟ କରୁଥିଲେ । ଠକେଇ ଟଙ୍କାରେ ହିମାଂଶୁ ରାଜ୍ୟ, ଦେଶ ବାହାରେ ବୁଲି ଅଏସ୍ କରୁଥିଲେ । ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା କିଡ୍ନି ଚୋରି କରିଥିବା ଆଉ ଏକ ଅଭିଯୋଗ ହୋଇଛି । ଠକେଇ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସେଥିରେ ତାଙ୍କର ସମ୍ପୃକ୍ତି ଅଛି ନା ନାହିଁ, ପୁଲିସ ଅଧିକ ଖୋଳତାଡ ପାଇଁ ଅଭିଯୁକ୍ତ ହିମାଂଶକୁ ନୂଆପଲ୍ଲୀ ଥାନା ଅଧିକାରୀ ଶରତ ସାହୁ ରିମାଣ୍ଡରେ ଆଣିବେ ବୋଲି କହିଛନ୍ତି । ରିମାଣ୍ଡ ବେଳେ ସେ କେଉଁ ଅଞ୍ଚଳରୁ କେତେ ଲୋକଙ୍କୁ ଠକିଛନ୍ତି? ବେଆଇନ୍ ଉପାୟରେ କେତେ ଟଙ୍କା କମାଇଛନ୍ତି, ତା’ର ଗୁମର ଖୋଲିବ ବୋଲି ଆଶା ରଖିଛନ୍ତି ଥାନା ଅଧିକାରୀ । କିଡ୍ନି ଚୋରିରେ ଯେଉଁମାନେ ଠକାମୀର ଶିକାର ହୋଇଛନ୍ତି ଏନେଇ ଥାନାରେ ଅଭିଯୋଗ କରିବା ପାଇଁ ପୁଲିସ ଅନୁରୋଧ କରିଛି ।
ସୂଚନାଯୋଗ୍ୟ, ନୂଆପଲ୍ଲୀ ଥାନା ଏନ୍-୩/୭୧ରେ ରୁହନ୍ତି ପ୍ରତାପ ଚନ୍ଦ୍ର ମିଶ୍ର(୬୪) । ପ୍ରତାପଙ୍କ ଦୁଇଟି କିଡ୍ନି ଖରାପ ହୋଇଯିବା ପରେ ପରିବାର ଲୋକେ ଭାଙ୍ଗି ପଡିଥିଲେ । ଏନେଇ ପରିବାର ଲୋକେ କିଡ୍ନି ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଫୋନରେ ଯୋଗାଯୋଗ କରିବାକୁ କହିଥିଲେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ହିମାଂଶୁ ଭୂଷଣ ନନ୍ଦ ପ୍ରତାପଙ୍କ ନମ୍ବରରେ ଫୋନ କରି ତାଙ୍କ ଘରକୁ ୨୦୧୯ ମସିହାରେ ଆସିଥିଲେ ।
କହିଥିଲେ, ମୁଁ ଆପଣଙ୍କ ପାଇଁ କିଡ୍ନି ଯୋଗାଡ଼ କରାଇ ଦେବି । ଆପଣଙ୍କୁ ୫ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡିବ । ପ୍ରତାପ ଏନେଇ ୨୦୧୯ ଏପ୍ରିଲ ୧୯ ତାରିଖ ଦିନ ୫ଲକ୍ଷ ୫୦ ହଜାର ଟଙ୍କା ହିମାଂଶୁଙ୍କୁ ଦେଇଥିଲେ । ଟଙ୍କା ନେବା ପରେ ସେ ଆଉ ଧରାଛୁଆଁ ଦେଇ ନଥିଲେ । ଏନେଇ ପ୍ରତାପ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ଦୁଇ ବର୍ଷ ପରେ ଥାନା ଅଧିକାରୀ ଶରତ ସାହୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।