ପ୍ରୟାଗରାଜରୁ ଆପ୍ ଟିକେଟରେ ନିର୍ବାଚନ ଲଢିବେ ‘କିନ୍ନର ଆଖଡ଼ା’ର ମହାମଣ୍ଡେଳେଶ୍ୱର ଭବାନୀ ମା’

ନୂଆଦିଲ୍ଲୀ,୩୦।୩: ଆମ ଆଦମୀ ପାର୍ଟି (ଆପ୍) ଉତ୍ତର ପ୍ରଦେଶରୁ ଜଣେ କିନ୍ନର ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛି। ଦଳର ସର୍ବପ୍ରଥମ କିନ୍ନର ପ୍ରାର୍ଥୀ ଭାବେ ଭବାନୀ ନାଥ ବାଲ୍ମିକୀ ଅର୍ଥାତ ଭାବନୀ ମା’ ୨୦୧୯ ନିର୍ବାଚନରେ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ। ‘କିନ୍ନର ଆଖଡ଼ା’ ମହାମଣ୍ଡେଳେଶ୍ୱରର ଭବାନୀ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଆପର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହ ଗତକାଲି ବାଲ୍ମିକୀଙ୍କୁ ସାକ୍ଷାତ କରିବା ପରେ ତାଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ଘୋଷଣା କରିଛନ୍ତି।

ସଞ୍ଜୟ ଟ୍ବିଟ୍ କରି କହିଛନ୍ତି ଯେ, ଆଖଡାର ଭବାନୀ ମା’ ପ୍ରୟାଗରାଜରୁ ଆପର ପ୍ରାର୍ଥୀ ହେବେ। ଆଶା କରୁଛୁ ସେ ନିର୍ବାଚନରେ ବିଜୟୀ ହୋଇ ଦେଶର ପ୍ରଥମ କିନ୍ନର ସାଂସଦ ହୁଅନ୍ତୁ। ସେ କହିଛନ୍ତି ଯେ, ମୋଦି ସରକାର କିନ୍ନର ସଂପ୍ରଦାୟ ବିରୋଧରେ ସଂସଦରେ ଅପମାନସୂଚକ ବିଲ୍ ଆଣି କିନ୍ନରଙ୍କୁ ଭିକାରୀଙ୍କ ଶ୍ରେଣୀରେ ରଖିଥିଲେ। ଆପ୍ କିନ୍ତୁ କିନ୍ନର ସଂପ୍ରଦାୟକୁ ଯଥେଷ୍ଟ ସମ୍ମାନ ଦିଏ। ସେଥିପାଇଁ ଦଳ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକସଭା ଆସନରୁ ଭବାନୀ ମା’ଙ୍କୁ ଦଳୀୟ ପ୍ରାର୍ଥୀ କରିଛି।

ଉଲ୍ଲେଖନୀୟ ଯେ, ୪୬ ବର୍ଷ ବୟସ୍କ ଭବାନୀଙ୍କ ଜନ୍ମ ଦିଲ୍ଲୀର ଚାଣକ୍ୟପୁରୀରେ ଏକ ଗରିବ ପରିବାରରେ ହୋଇଥିଲା। ତାଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ସେ ନିଜେ ଜଣେ କିନ୍ନର ବୋଲି ଜାଣିପାରିଥିଲେ। ଏହାପରେ ସେ ଘର ଛାଡିଦେଇଥିଲେ। ୨୦୧୦ରେ ହିନ୍ଦୁ ଧର୍ମ ଛାଡି ଇସଲାମ ଗ୍ରହଣ କରିଥିଲେ। ୨୦୧୨ରେ ସେ ହଜ୍ ଯାତ୍ରା ମଧ୍ୟ କରିସାରିଛନ୍ତି। ତେବେ ପରେ ପୁଣି ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଜଣେ ସମାଜସେବୀ ଭାବେ ପ୍ରତିଷ୍ଠା ଅର୍ଜନ କରିବା ସହ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଜଣେ ଜୁରି ମଧ୍ୟ ଥିଲେ। ନିକଟରେ ସରିଥିବା କୁମ୍ଭ ମେଳାରେ କିନ୍ନର ଆଖଡା ଖୁବ୍ ଚର୍ଚ୍ଚାରେ ରହିଥିଲା।