PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପାକିସ୍ତାନ ଜେଲ୍‌ରେ କଟିଥିଲା ୭ ବର୍ଷ, ଏବେ ପିିଠିରେ ବସ୍ତା ବୋହି ଚଳାଉଛନ୍ତି ପରିବାର, ଜାଣନ୍ତୁ କୁନ୍ଦନଙ୍କ ଦୁଃଖଭରା କାହାଣୀ

ରାଉରକେଲା/କୁଆରମୁଣ୍ଡା,୬ା୩(ବ୍ୟୁରୋ): ଦାଦନ ଖଟିବାକୁ ବୀରମିତ୍ରପୁରରୁ ରାଜସ୍ଥାନର ଗଙ୍ଗାନଗରକୁ ଗତ ୧୯୯୭ ମସିହାରେ ଯାଇଥିଲେ କୁନ୍ଦନ ଗୁଡ଼ିଆ । ସେଠାରେ ସେ ଜଣେ ବ୍ୟକ୍ତିଙ୍କ ଘରେ କାମ ପାଇଥିଲେ । ପ୍ରଥମ ଦିନରୁ ସେ ମାଲିକଙ୍କ ନିର୍ଯାତନାର ଶିକାର ହୋଇ ଜୀବନ ବିକଳରେ ଚାଲି ଚାଲି ସେଠାରୁ ଖସି ପଳାଇଥିଲେ । ଅଜାଣତରେ ଭାରତ ସୀମା ଡେଇଁ ପହଞ୍ଚି ଯାଇଥିଲେ ପାକିସ୍ତାନକୁ । ପାକିସ୍ତାନ ସୀମାରେ ସେ ଧରା ପଡ଼ି ଯାଇଥିଲେ ଏବଂ ସେଠାକାର ଜେଲ୍‌ରେ ଦୀର୍ଘ ୭ ବର୍ଷ କଏଦୀ ଭାବେ ଜୀବନ କଟାଇ ବହୁ ସଂଘର୍ଷ ପରେ ଭାରତକୁ ଫେରିଥିଲେ । ତାଙ୍କର ଦୀର୍ଘ ୭ ବର୍ଷର ଅନୁଭୂତି କୌଣସି ଲୋମଟାଙ୍କୁରା କାହାଣୀଠାରୁ କମ୍‌ ନୁହେଁ ।
ଯେଉଁ ଦିନ ସେ ରାଜସ୍ଥାନ ପହଞ୍ଚିଲେ ତା’ପରଦିନ କାମ କରିବାକୁ ଯାଇଥିଲେ । ମାଲିକ କହିଲେ ରାତିରେ ଏକ ନାଳ ଭିତରେ ପଶି କାମ କରିବାକୁ । ବାରଣ କରିବାରୁ ତାଙ୍କୁ ପିଟିବାକୁ ଗୋଡ଼ାଇଲେ । ଭୟରେ ସେଠାରୁ ଖସି ପଳାଇ ଯାଇଥିଲେ । ରାସ୍ତାରେ ଯିବା ସମୟରେ ତାଙ୍କୁ ଲୋକମାନେ ଚୋର ସନ୍ଦେହ କରି ଗୋଡ଼ାଇଥିଲେ । ଦୌଡ଼ି ଦୌଡ଼ି ସେ କେତେବେଳେ ଭାରତ-ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ ଜାଣି ପାରି ନଥିଲେ । ଲୋକଙ୍କ ମାଡ଼ ଭୟରେ ତାରବାଡ଼ ଡେଇଁ ସେ ପାକିସ୍ତାନ ସୀମା ଭିତରକୁ ଚାଲି ଯାଇଥିଲେ । ଲୋକଙ୍କ ଭାଷାରୁ ସେ ଜାଣି ପାରିଥିଲେ ଯେ ସେ ପାକିସ୍ତାନରେ ପହଞ୍ଚି ଯାଇଛନ୍ତି । ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ଅନ୍ଧାରୀ ସମୟ । ୭ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ଖଲାସ ହୋଇ ଆସିଥିଲେ କୁନ୍ଦନ ।
ବୀରମିତ୍ରପୁର ସ୍ଥିତ ଲାହାକୋଠିରେ ରହନ୍ତି କୁନ୍ଦନ ଗୁଡ଼ିଆ । ପତ୍ନୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକମାତ୍ର ଝିଅକୁ ନେଇ ତାଙ୍କ ପରିବାର । ଏଠାରେ କୌଣସି କାମଧନ୍ଦା ନ ମିଳିବାରୁ ଲାହାକୋଠି ଗ୍ରାମର କିଛି ଲୋକଙ୍କ ସହ କୁନ୍ଦନ ଦାଦନ ଖଟିବାକୁ ଗତ ୧୯୯୭ରେ ରାଜସ୍ଥାନର ଗଙ୍ଗାନଗରକୁ ଯାଇଥିଲେ । ସେଠାରେ ପହଞ୍ଚି ଜଣେ ପଞ୍ଜାବୀ ଲୋକଙ୍କ ଘରେ ଗୋଟିଏ ଦିନ କାମ କରିବା ପରେ ଠିକ୍‌ ନ ଲାଗିବାରୁ ଏକୁଟିଆ ସେଠାରୁ ଲୁଚି ପଳାଇ ଆସିଥିଲେ । ନୂଆ ସହର, କେହି ଚିହ୍ନା ଜଣା ନାହାନ୍ତି । ମାଲିକ ପାଖରୁ ଖସି ଦୌଡୁଥିବା ବେଳେ କିଛି ସ୍ଥାନୀୟ ଲୋକେ କୁନ୍ଦନଙ୍କୁ ଚୋର ବୋଲି ଗୋଡ଼ାଇ ଥିଲେ । ଲୋକଙ୍କ ଭୟରେ କୁନ୍ଦନ ଦୌଡ଼ି ଦୌଡ଼ି ଭାରତ-ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ । ସେଠାରେ ଥିବା ସୁରକ୍ଷା କର୍ମୀମାନଙ୍କ ଭୟରେ ତାରବାଡ଼ ଉପରେ ଚଢି ଆର ପଟକୁ ଡେଇଁ ପଡ଼ିଥିଲେ । ତାହା ଯେ ପାକିସ୍ତାନ ଥିଲା ତାହା ସେ ଜାଣି ନଥିଲେ ।
ପାକିସ୍ତାନ ସୀମାରେ ପ୍ରବେଶ କରି ଜୀବନ ବିକଳରେ ଦୌଡୁଥିବା ବେଳେ ପାକିସ୍ତାନ ସୈନିକମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ନିର୍ଘାତ ମାଡ଼ ମାରିବା ସହ ଗୁପ୍ତଚର ସନ୍ଦେହ କରି ବନ୍ଦୀ କରି ନେଇଥିଲେ । କୁନ୍ଦନଙ୍କ କହିବା ଅନୁସାରେ, ପାକିସ୍ତାନ ସୈନିକମାନେ ତାଙ୍କୁ ଧରି ଏକ କୋଠରିକୁ ନେଇ ଯାଇଥିଲେ । ପାକିସ୍ତାନର ବାବୁଲନଗର ଜେଲରେ ପ୍ରଥମେ ରଖିଥିଲେ । ସେଠାରେ ସକାଳ ଓ ସନ୍ଧ୍ୟା ସବୁ ସମୟରେ ମାଡ଼ ମାରୁଥିଲେ । ଚେତାଶୂନ୍ୟ ହେବା ପରେ ପାଣି ପକାଇ ପୁଣି ମାଡ଼ ମାରୁଥିଲେ । ରୁଟି ଓ ଡାଲି ଖାଇବାକୁ ଦେଉଥିଲେ । ଖାଇବାକୁ ବାରଣ କଲେ ପ୍ରବଳ ମାଡ଼ ମାରୁଥିଲେ । ବାବୁଲନଗର ଜେଲରୁ ପୁଣି ରାଓଲପିଣ୍ଡି ଓ ସିଆଲକୋଟରେ ନେଇ ରଖିଥିଲେ । ତିନି ମାସ ତିନିଟି ଜେଲ୍‌ରେ ରଖି ପ୍ରବଳ ମାଡ଼ ମାରିଥିଲେ । ତିନି ମାସ ପରେ ଲାହୋର ଜେଲ୍‌କୁ ନେଇଥିଲେ । ଲାହୋର ଜେଲ୍‌ରେ ରହିବା ସମୟରେ ରାଜସ୍ଥାନର ପ୍ରୀତମ ସିଂହ, ରାଧେଶ୍ୟାମ ନାମକ ଦୁଇ କଏଦୀଙ୍କ ସହ କୁନ୍ଦନଙ୍କ ବନ୍ଧୁତା ହୋଇଥିଲା । କୁନ୍ଦନର ଠିକଣା ସମ୍ପର୍କରେ ସେମାନେ ପଚରାଉଚରା କରିବା ସହ ଘରକୁ ଚିଠି ପଠାଇବ କି ବୋଲି ପଚାରିଲେ । ସେହି ଦୁଇ କଏଦୀଙ୍କ ସହଯୋଗରେ କୁନ୍ଦନ ନିଜ ପରିବାର ଲୋକଙ୍କୁ ଚିଠି ପଠାଇଥିଲେ । ପରିବାର ଲୋକ ଚିଠି ପାଇବା ପରେ କୁନ୍ଦନ ପାକିସ୍ତାନ ଜେଲ୍‌ରେ ଥିବା ଜାଣିଥିଲେ । କୁନ୍ଦନଙ୍କୁ ପାକିସ୍ତାନରୁ ମୁକୁଳାଇବା ଲାଗି ପରିବାର ଲୋକ ଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ଗୁହାରି କରିଥିଲେ । ସରକାରଙ୍କ ଉଦ୍ୟମ କ୍ରମେ ୨୦୧୪ରେ କୁନ୍ଦନ ପାକିସ୍ତାନ ଜେଲ୍‌ରୁ ମୁକୁଳି ଭାରତକୁ ଆସିଥିଲେ । କୁନ୍ଦନ ନିଜ ସହର ବୀରମିତ୍ରପୁର ସହର ପହଞ୍ଚିବା ପରେ ତାଙ୍କୁ ସରକାରଙ୍କ ପକ୍ଷରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।
ଦୀର୍ଘ ୭ ବର୍ଷ ପାକିସ୍ତାନ ଜେଲ୍‌ରେ କଏଦୀ ଭାବେ ଜୀବନ କାଟିଥିବା କୁନ୍ଦନ ଏବେ ବୀରମିତ୍ରପୁର ଲାହାକୋଠିରେ ଏକ ଖପର ଘର ଭଡ଼ା ନେଇ ଏକମାତ୍ର ଝିଅ ଓ ତିନି ନାତୁଣୀଙ୍କ ସହ ରହୁଛନ୍ତି । ପାକିସ୍ତାନ ସୈନିକଙ୍କ ମାଡ଼ରେ କୁନ୍ଦନଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିବା ବେଳେ ଭଲରେ ଚାଲି ପାରୁନାହାନ୍ତି । ଭାରୀ କାମ କରି ପାରୁନାହାନ୍ତି । ବୀରମିତ୍ରପୁର ସହରରେ କୁଲି କାମ କରି ପରିବାର ଚଳାଉଛନ୍ତି । ସହରରେ ଥିବା ନିର୍ଦ୍ଦିଷ୍ଟ କିଛି ତେଜରାତି ଦୋକାନରେ ପିଆଜ ଓ ଆଳୁ ବସ୍ତା ବୋହିବା କାର୍ଯ୍ୟ କରୁଛନ୍ତି । ଗୋଟିଏ ବସ୍ତା ବୋହିଲେ ମାତ୍ର ଅଢ଼େଇ ଟଙ୍କା ମିଳୁଛି । ଦିନକୁ ୫୦ରୁ ୧୦୦ ଟଙ୍କା ରୋଜଗାର କରୁଛନ୍ତି । ସେତିକିରେ ୫ ପ୍ରାଣୀ ଦୁଃଖକଷ୍ଟରେ ଚଳୁଛି । ସରକାରଙ୍କ ପକ୍ଷରୁ କୁନ୍ଦନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳେନି କିମ୍ବା କିଛି ସରକାରୀ ଯୋଜନା ପହଞ୍ଚେନି । ଯଦି ସରକାର କୁନ୍ଦନ ଓ ତାଙ୍କ ପରିବାର ପ୍ରତି ସହଯୋଗର ହାତ ବଢ଼ାନ୍ତେ ତେବେ ସେ ଉପକୃତ ହୁଅନ୍ତେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦାବି ହେଉଛି ।