ପାରି ଶିଖରର କୋହିନୂର ପ୍ରସନ୍ନ

ଜାମ୍ମୁ କଶ୍ମୀରର ପୁଲୱାମାଠାରେ ପ୍ରାଣ ହରାଇଥିବା ସହିଦ ପ୍ରସନ୍ନ ସାହୁ ଜଣେ ଭଲ ମଣିଷ ଥିଲେ । ଆଜି ତାଙ୍କର ମୃତ୍ୟୁରେ କେବଳ ତାଙ୍କ ପରିବାର ନୁହେଁ ତାଙ୍କ ଶିକ୍ଷକ, ସାଙ୍ଗସାଥୀ, ଗ୍ରାମବାସୀ ସମସ୍ତେ ହତବାକ୍‌ । ପିଲାଟି ଦିନରୁ ଶାନ୍ତ ସରଳ ସ୍ୱଭାବର ପ୍ରସନ୍ନ ସମସ୍ତଙ୍କ ପାଇଁ ଆଦର୍ଶ ଥିଲେ । ସେ ଥିଲେ ଜଣେ ଆଦର୍ଶ ପିତା, ସ୍ୱାମୀ, ବନ୍ଧୁ ଏବଂ ସର୍ବଶେଷରେ ଆଦର୍ଶ ମଣିଷ । ସମସ୍ତଙ୍କ ଦୁଃଖରେ ପ୍ରସନ୍ନ ଛିଡ଼ା ହେଉଥିଲେ । ନିଜ ପରିବାର ପାଇଁ ନ ଥାଉ ପଛେ ଅନ୍ୟପାଇଁ ସବୁବେଳେ ତାଙ୍କ ହୃଦୟ କାନ୍ଦି ଉଠୁଥିଲା । ଆବଶ୍ୟକ ହେଲେ ପକେଟରୁ ଟଙ୍କା କାଢ଼ି ସେ ଦୁଃଖୀ ଲୋକଙ୍କୁ ଦେଇଦେଉଥିଲେ । ଗାଁ ସମସ୍ୟା, ସ୍କୁଲ ସମସ୍ୟାକୁ ସେ ମଧ୍ୟ ନିଜେ ବୁଝୁଥିଲେ । ଗାଁରେ ସଂକୀର୍ତ୍ତନମଣ୍ଡଳୀରେ କିଛି ସମସ୍ୟା ଦେଖାଦେଇଥିଲା । ଗତ ନଭେମ୍ବର ମାସରେ ପ୍ରସନ୍ନ ଗାଁକୁ ଆସିଥିବା ବେଳେ ସଂକୀର୍ତ୍ତନମଣ୍ଡଳୀର ସମସ୍ୟା ସମାଧାନ କରିଥିଲେ । ଗାଁ ମନ୍ଦିର ପ୍ରତିଷ୍ଠାରେ ମଧ୍ୟ ପ୍ରସନ୍ନଙ୍କର ପ୍ରମୁଖ ଭୂମିକା ଥିଲା । ଏବେ ପ୍ରସନ୍ନଙ୍କ ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି । ଦୁଇ ପିଲା ଏବେ ପାଠ ପଢ଼ୁଥିବା ବେଳେ ସେମାନେ କିପରି ମଣିଷ ହେବେ ସେ ନେଇ ଚିନ୍ତାରେ ପ୍ରସନ୍ନଙ୍କ ପତ୍ନୀ । ପ୍ରସନ୍ନଙ୍କ ମୃତ୍ୟୁରେ ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି । ଆତଙ୍କବାଦୀ ତଥା ପାକିସ୍ତାନକୁ ଉଚିତ ଯବାବ ତଥା ପ୍ରସନ୍ନଙ୍କ ପରିବାରର ଜଣଙ୍କୁ ଚାକିରି ମିଳୁ ବୋଲି ସମସ୍ତେ ଏକସ୍ୱରରେ କହିଛନ୍ତି ।

ଆମ ପ୍ରସନ୍ନ ଗାଁର ପୁଅ ନ ଥିଲା ସେ ଥିଲା କୋହିନୂର ହୀରା । କାହାରି ମନରେ ସେ କେବେ ଦୁଃଖ ଦେଇନି । ଗାଁକୁ ଆସିଲେ କେବେ ସେ ଘରେ ଏକୁଟିଆ ନ ରହି ଗାଁର ପିଲାଙ୍କ ସହ ବୁଲି ଖୁସି ମନାଉଥିଲା । କାହାରି କିଛି ଅଭାବ ଅସୁବିଧା ସମ୍ପର୍କରେ ସେ ଜାଣି ପାରିଲେ ତାର ଅଭାବକୁ ସୁଧାରିବା ପାଇଁ ପକେଟରୁ ପଇସା କାଢ଼ି ଦେଉଥିଲା । ଗାଁର ସଂକୀର୍ତ୍ତନ ମଣ୍ଡଳି ମଧ୍ୟରେ ସମସ୍ୟା ଥିଲା । ଗତ ନଭେମ୍ବର ମାସରେ ସେ ଗାଁକୁ ଆସି ତାହାକୁ ସମାଧାନ କରି ଦେଇ ଚାଲି ଯାଇଥିଲା । କେବଳ ସେତିକି ନୁହେଁ ସ୍କୁଲ ବିଷୟରେ ମଧ୍ୟ ସେ ବୁଝୁଥିଲା ବୋଲି କହୁ କହୁ କାନ୍ଦି ପକାଇଥିଲେ ଗାଁର ମୁରବି ପ୍ରହଲ୍ଲାଦ ସ୍ୱାଇଁ ।
ସ୍ୱର୍ଗତ କାଶିନାଥ ସାହୁ ଓ ସ୍ୱର୍ଗତା ଲଳିତା ସାହୁଙ୍କର ସାନ ପୁଅ ଥିଲେ ପ୍ରସନ୍ନ । କୋଳ ପୋଛା ପୁଅ ହୋଇଥିବାରୁ ବାପା ମା’ ଙ୍କ ସହ ପୂରା ପରିବାର ତାଙ୍କୁ ବହୁତ ଭଲ ପାଉଥିଲେ ଓ ଶ୍ରଦ୍ଧା ମଧ୍ୟ କରୁଥିଲେ । ୧୯୭୨ ମେ ମାସ ୮ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନ ଥିବାରୁ ମାମୁ ଘରେ ରହି ସେ ପ୍ରଥମେ ପାଠ ପଢୁଥିଲେ । ପରେ ନିଜ ଗାଁ ମହାଦେବ ବସ୍ତ ଉପ୍ରା ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ, ଗାଁ ପାଖ ପୁରୀ ଜିଲ୍ଲା କାକଟପୁର ବ୍ଲକର ତ୍ରିଲୋଚନେଶ୍ୱର ବିଦ୍ୟାପୀଠରୁ ୧୯୮୮ରେ ମାଟ୍ରିକ ପାସ କରିଥିଲେ । ମଙ୍ଗଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଳାରେ ପଢିଥିଲେ । ପରେ ସେନା ଚାକିରି ପ୍ରତି ତାଙ୍କର ଦୁର୍ବଳତା ବଢ଼ିଥିଲା । ଅଦମ୍ୟ ଚେଷ୍ଟା ଓ ଇଛାଶକ୍ତି ବଳରେ ୧୯୯୫ରେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ । ପ୍ରସନ୍ନ କାହାରି ଦୁଃଖ ସହି ପାରୁନ ଥିଲେ । କାରଣ ସେ ଗରିବ ପରିବାରରେ ଜନ୍ମ ନେଇଥିଲେ ।

Indian security force personnel stand at the site of a gunbattle between Indian police and militants on Monday in which seven Hindu pilgrims were killed, in Boateng village in south Kashmir’s Anantnag district July 11, 2017. REUTERS/Danish Ismail

ପାଲାରେ ପାଳିଆ ହେଉଥିଲେ: ଗାଁ ପାଖ ତ୍ରିଲୋଚନେଶ୍ୱର ବିଦ୍ୟାପୀଠରେ ସେ ଦଶମ ଶ୍ରେଣୀରେ ନାମ ଲେଖାଇଥିଲା । ପ୍ରସନ୍ନଙ୍କ ପରିବାରର ଆର୍ଥିକ ଅବସ୍ଥା ଏତେ ଭଲ ନଥିବାରୁ ସେ ଟ୍ୟୁସନ ହୋଇ ପାରୁ ନଥିଲା । ବିଦ୍ୟାଳୟରେ ଦରମା ମିଳୁନଥିବାରୁ ମୁଁ ତାଙ୍କ ଗାଁରେ ରହି ପିଲାଙ୍କୁ ଟ୍ୟୁସନ କରୁଥିଲି । ପ୍ରସନ୍ନକୁ ମାଗଣା ଟ୍ୟୁସନ କରିଥିଲି । ମୁଁ ପାଲା ଗାୟକ ଭାବେ ପାଲା କରିବାକୁ ଯାଏ । ପ୍ରସନ୍ନ ମୋ’ ସହ ଯିବ ବୋଲି କହିଲା । ତାର ଆର୍ଥିକ ଅବସ୍ଥା ଦେଖି ମୁଁ ତାକୁ ମୋ’ ପାଲା ଦଳରେ ସାମିଲ କଲି । ଧୀରେ ଧୀରେ ତାର ପାଲାରେ ମନୋନିବେଶ ହେବାରୁ ତାର ବଡ଼ ଭାଇ ପ୍ରସନ୍ନ ସବୁବେଳେ ପାଲା କରୁ ବୋଲି କହିଲେ । ଦିନେ ସେ ମୋତେ ଆସି କହିଲା, ସାର ମୋର ଚାକିରି ହୋଇଯାଇଛି । ମୁଁ ସେତେବେଳେ ଜଣେ ସଂସ୍କାରୀ ପିଲା ପାଖରୁ ଦୂରେଇ ଯିବ ଜାଣି ଯେତିକି ମନ ଦୁଃଖ କରିଥିଲି ତା’ଠାରୁ ବେଶୀ ଖୁସି ହୋଇଥିଲି, ସେ ସୈନ୍ୟ ବାହିନୀରେ ଚାକିରି କରିବ । ସେଦିନ ସେ ମୋ’ଠାରୁ ଦୂରେଇ ଯାଇଥିଲେ ବି ମୋ’ ପାଖରେ ଥିଲା । ହେଲେ ଆଜି ସେ ମୋ’ଠାରୁ ଏତେ ଦୂରକୁ ଯାଇଛି ଯେ ଆଉ ଫେରିବ ନାହିଁ ବୋଲି ସହିଦ୍‌ ପ୍ରସନ୍ନଙ୍କ ଶିକ୍ଷା ଗୁରୁ ବନ ବିହାରି ଗ୍ରହାଚାର୍ଯ୍ୟ କଇଁ କଈଁ ହୋଇ କାନ୍ଦି ପକେଇ କହିଛନ୍ତି ।

ବାପା କେବେ ଦୁଃଖ ଦେଉନଥିଲେ: ମୋ’ ବାପା ମୋ ପାଇଁ ସବୁଠୁ ଭଲ ସାଙ୍ଗ ଥିଲେ । ମୋ’ ସବୁ ଡିମାଣ୍ଡ ସେ ସବୁବେଳେ ପୂରଣ କରିଥାନ୍ତି । ଭଲ ପାଠ ପଢି ଜଣେ ଭଲ ମଣିଷ ହେବା ପାଇଁ ସେ ମୋତେ ସବୁ ବେଳେ ପରାମର୍ଶ ଦେଇଥାନ୍ତି । କେବେ ହେଲେ ମୋ ମନକୁ ସେ ଦୁଃଖ କରିବାକୁ ଦେଇ ନଥିଲେ । ଜାମ୍ମୁରୁ ମୋ’ ସହିତ ଫୋନ୍‌ରେ କଥା ହୁଅନ୍ତି । ମୁଁ ତାଙ୍କୁ ଆଜି ହରାଇ ବାପ ଛେଉଣ୍ଡ ହୋଇ ଯାଇଛି ସତ । ମାତ୍ର ମୋ’ ବାପା ଆଜି ଦେଶ ମାତୃକା ପାଇଁ ସହିଦ ହୋଇ ଥିବାରୁ ମୁଁ ଗର୍ବ ଅନୁଭବ କରୁଛି । ମୋର ୧୬ ତମ ଜନ୍ମ ଦିନ ପାଳିବାକୁ ଗତ ନଭେମ୍ୱର ମାସରେ ଗାଁକୁ ଆସିଥିଲେ । ତାହା ହିଁ ଥିଲା ଗାଁକୁ ତାଙ୍କର ଶେଷ ଯାତ୍ରା । ସେତେବେଳର କଥା ମନେ ପଡିଲେ ବହୁତ ଦୁଃଖ ଲାଗୁଛି ବୋଲି ପୁଅ ପିକୁନ୍‌ କୋହଭରା କଣ୍ଠରେ କହିଥିଲେ

ଭାରି ଭଲ ପଢ଼ୁଥିଲା: ଗରିବ ଘରର ପିଲା ପ୍ରସନ୍ନ ହୋଇଥିଲେ ମଧ୍ୟ ସେ ତା ନୀତି ଆଦର୍ଶରୁ କାଣିଚାଏ ଉଣା କରୁ ନ ଥିଲା । ସେ ବହୁ ସ୍ୱାଭିମାନୀ ଥିଲା । ପାଠ ଭଲ ପଢୁଥିଲା । ଗୁରୁ ଭକ୍ତିର ସବୁ ଗୁଣ ତା’ ପାଖରେ ପରିପୂର୍ଣ୍ଣ ଥିଲା । କେବେ ସେ ଗୁରୁଙ୍କୁ ଅବଜ୍ଞା କରୁ ନ ଥିଲା । ସେ ମୋ’ ବିଦ୍ୟାଳୟର ଗୋଟେ ସୁନା ମୁଣ୍ଡା ଥିଲା । ଭାରି ଶାନ୍ତ ଶିଷ୍ଟ ମଧ୍ୟ ଥିଲା ସେ । ସେ କେବେ କାହାରି ମନରେ କେବେ କଷ୍ଟ ଦେଇନି । ପ୍ରସନ୍ନଙ୍କ ଶିକ୍ଷକ ବସନ୍ତ ପରିଡା ଏହା କହୁ କହୁ କାନ୍ଦି ପକାଇଥିଲେ । ତାକୁ ଆଜି ସାରା ଦେଶ ଝୁରିବ । ଆଉ ମୁଁ ବିଶେଷ ଭାବେ ଗର୍ବିତ ଯେ ସେ ମୋ’ ଛାତ୍ର ।

ସହିଦଙ୍କ ଝିଅ ଭାବେ ଗର୍ବିତ: ମୋ’ ବାପା ବହୁତ ଭଲ ବାପା ଥିଲେ । ମୋର ମନର କଥା ସେ ବହୁତ ଜଲ୍‌ଦି ବୁଝି ପାରୁଥିଲେ । ମୋ’ର କ’ଣ ଦରକାର ମୁଁ କହିବା ପୂର୍ବରୁ ସେ ତାହାକୁ ପୂରଣ କରି ଦେଉଥିଲେ । ପିକୁନ୍‌ର ଜନ୍ମଦିନକୁ ଖୁବ୍‌ ଧୂମଧାମରେ ପାଳନ କରିଥିଲୁ । ସେଥିପାଇଁ ବାପା ଗତ ନଭେମ୍ୱର ମାସରେ ଚାକିରିରୁ ଛୁଟି ଆଣି ଆସିଥିଲେ । ପୂରା ପରିବାର ଓ ବନ୍ଧୁବାନ୍ଧବ ମିଶି ଖୁବ ମଜା କରୁଥିଲୁ । ହେଲେ ଆଜି ମୋ’ ବାପା ଆକାଶର ତାରା ହୋଇ ଯାଇଛନ୍ତି । ଜଣେ ସୈନିକର ଝିଅ ଭାବେ ମୁଁ ଗର୍ବ ଅନୁଭବ କରୁଥିଲି । ଏବେ ଜଣେ ସହିଦ୍‌ର ଝିଅ ଭାବେ ଆହୁରି ଅଧିକ ଗର୍ବ ଅନୁଭବ କରୁଛି । ବାପାଙ୍କୁ ପାଖରୁ ହରାଇଥିବାରୁ ଦୁଃଖତ ନିଶ୍ଚୟ ଲାଗିବ, ହେଲେ ଆମ ବାପା ଦେଶ ମାତୃକାର ସେବା କରି ସହିଦ୍‌ ହୋଇଥିବାରୁ ଆମେ ଗର୍ବ ଅନୁଭବ କରିବୁ ବୋଲି କହିଛନ୍ତି ଝିଅ ରିତୁ ।

   ସମ୍ବନ୍ଧିତ ଖବର


ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ପୋଲିସ ଧକ୍କା ଦେଇ ତଳେ ପକାଇବା ପରେ ଲାଠିରେ ମାଡ ମାରିଥିଲା: ରାହୁଲ

ରାହୁଲ ଗାନ୍ଧୀ ଗିରଫ, ପୋଲିସ-କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧି, ହାଥରସ୍ ଯିବା ପୂର୍ବରୁ ରାହୁଲ-ପ୍ରିୟଙ୍କା ଗିରଫ

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ଶ୍ରୀମନ୍ଦିରରେ କରୋନା କଟକଣା ଲାଗୁ, ଚାରିଦ୍ୱାରରେ ଥର୍ମାଲ ସ୍କ୍ରିନିଂ

ଅର୍ମେନିଆ- ଆଜେରବାଇଜାନ ଯୁଦ୍ଧରେ ପାକିସ୍ତାନର ହସ୍ତକ୍ଷେପ, ଯୁଦ୍ଧ ସ୍ଥଳକୁ ପଠାଇଲା ସୈନିକ