ଦୁଇ ରାଜ୍ୟରେ ଭୋଟ୍‌ଦେଲେ କୋଟିଆବାସୀ

ପଟ୍ଟାଙ୍ଗି/କୋରାପୁଟ,(ଆପ୍ର): ଓଡ଼ିଶା ଏବଂ ଆନ୍ଧ୍ର । ଉଭୟ ରାଜ୍ୟରେ ଆଜି ଭୋଟ୍‌ ଦେଇଛନ୍ତି ବିବାଦୀୟ କୋଟିଆ ଅଞ୍ଚଳବାସୀ । ପ୍ରଥମେ ସେମାନେ ଭୋଟ୍‌ ଦେଇଥିଲେ ଓଡ଼ିଶା ବୁଥ୍‌ରେ । ପରେ ଗାଡ଼ିରେ ବୁହାହୋଇ ଯାଇଥିଲେ ଆନ୍ଧ୍ର ବୁଥ୍‌କୁ । ବିବାଦୀୟ କୋଟିଆ ଅଞ୍ଚଳର ୨୧ ଖଣ୍ଡ ଗ୍ରାମର ଭୋଟରଙ୍କ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦୁଇଟି ବୁଥ କରାଯାଇଥିଲା । ଅନ୍ୟପକ୍ଷରେ ଓଡିଶା ପକ୍ଷରୁ କରାଯାଇଥିଲା ୫ଟି ବୁଥ୍‌ ।

ଆନ୍ଧ୍ର ପକ୍ଷରୁ ନେରେଡ଼ିବାଲସାରେ ୧୩ଟି ଗ୍ରାମ ପାଇଁ ଗୋଟିଏ ବୁଥ୍‌ କରାଯାଇଥିବା ବେଳେ ଅନ୍ୟ ୮ଟି ଗ୍ରାମର ଭୋଟରଙ୍କ ପାଇଁ ଆନ୍ଧ୍ରର ଲନ୍ଦାଠାରେ କରାଯାଇଥିଲା ଆଉ ଏକ ବୁଥ୍‌ । ପୂର୍ବରୁ ଆନ୍ଧ୍ର ବିବାଦୀୟ ଅଞ୍ଚଳର ୪ଟି ସ୍ଥାନରେ ନାଁକୁ ମାତ୍ର ବୁଥ୍‌ କରୁଥିଲା । ସେଥିପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରୁନଥିଲା । ରାସ୍ତା ଉପରେ ହିଁ ବୁଥ୍‌ କରି ଆସୁଥିଲା । ଏବେ ନେରେଡ଼ିବାଲସାରେ ଏକ ସ୍ୱତନ୍ତ୍ର ଗୃହ କରି କୋଟିଆବାସୀଙ୍କଠାରୁ ସଂଗ୍ରହ କରିଛି ଭୋଟ୍‌ । ଏହି ମତଦାନ କେନ୍ଦ୍ରରେ କୋଟିଆ, ତଳ ଗଞ୍ଜେଇପଦର, ଉପରଗଞ୍ଜେଇପଦର, ତାଡ଼ିବାଲ୍‌ସା, ଧୂଳିପଦର,ରଣାସିଂ, ଉପରସେମ୍ବି, ତଳସେମ୍ବି ପ୍ରଭୃତି ଗ୍ରାମର ଭୋଟରଙ୍କ ଲାଗି ମତଦାନ କେନ୍ଦ୍ର
କରାଯାଇଥିଲା । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଲୋକଙ୍କୁ କେନ୍ଦ୍ରକୁ ବୋହିବା ଲାଗି ସ୍ୱତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା । କାରଣ ତଳଗଞ୍ଜେଇପଦରରୁ ନେରେଡ଼ିବାଲସାର ଦୂରତା ଥିଲା ୧୭କିମି । ଭୋଟ୍‌ ଦେବା ପରେ ବିଭିନ୍ନ ଦଳ ପକ୍ଷରୁ ଖାଦ୍ୟ ଖାଇଥିଲେ ସେମାନେ । ଏଥିସହ ଆକର୍ଷୀୟ ଉପହାର ଧରି ଘରକୁ ଫେରିଥିବା ଜଣାପଡ଼ିଛି । ସେମାନେ କହିଛନ୍ତି, ଉଭୟ ରାଜ୍ୟ ପକ୍ଷରୁ ସୁବିଧା ପାଉଛନ୍ତି । ତେଣୁ ଓଡ଼ିଶା ଏବଂ ଆନ୍ଧ୍ର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି ।

ଓଡ଼ିଶାର ରଣାସିଂ ମତଦାନ କେନ୍ଦ୍ର ପ୍ରତି ଆଜି ବିମୁଖ ଥିଲେ ବିବାଦୀୟ କେତେକ ଗ୍ରାମର ଭୋଟର୍‌ । ବିଶେଷକରି ତାଡିବାଲସା, ଆର୍‌ଜୁବାଲସା, ଧୂଳିପଦର ଓ ନେରେଡିବାଲସା ଆଦି ଗ୍ରାମବାସୀଙ୍କ ପାଇଁ ରଣାସିଂରେ ଏହି ବୁଥ ଖୋଲାଯାଇଥିଲା । ଏସବୁ ଗାଁରୁ ୧୦ରୁ ୧୨କମିି ଦୂରରେ ବୁଥ୍‌ ଥିବାରୁ ଅନେକ ଲୋକ ମତଦାନ ଲାଗି ଯିବାକୁ ଅମଙ୍ଗ ହୋଇଥିଲେ । ବହୁ କମ୍‌ ଭୋଟର ଯାଇ ରଣାସିଂରେ ମତଦାନ କରିଥିବା ଜଣାପଡ଼ିଛି । କୋଟିଆ ପଞ୍ଚାୟତରେ ଆଜି ଗୋଟଏି ଦିନରେ ଓଡ଼ିଶା ଏବଂ ଆନ୍ଧ୍ର ପକ୍ଷରୁ ଭୋଟ୍‌ ଗ୍ରହଣ କରାଯାଇଥିଲା । ତେଣୁ କୋଟିଆ ପଞ୍ଚାୟତବାସୀ ଅଧିକ ଉତ୍ସାହିତ ଥିଲେ ।

ସୂଚନାଥାଉକି, ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ୨୮ଟି ଗାଁ ମଧ୍ୟରୁ ୨୧ଖଣ୍ଡ ଗ୍ରାମକୁ ନେଇ ଆନ୍ଧ୍ର ସହିତ ୬୦ ଦଶକରୁ ବିବାଦ ଲାଗି ରହିଛି । ଏହି ବିବାଦୀୟ ଗ୍ରାମର ଭୋଟର ଓଡ଼ିଶାର କୋରାପୁଟ ଲୋକସଭା ଓ ପଟ୍ଟାଙ୍ଗି ବିଧାନସଭା ଆସନରେ ଭୋଟ୍‌ ଦେଉଛନ୍ତି । ଏପଟେ ଆନ୍ଧ୍ରପ୍ରଦେଶର ଆର୍‌କୁ ଲୋକସଭା ଏବଂ ସାଲୁର୍‌ ବିଧାନସଭା ଆସନ ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରୁଛନ୍ତି । ସେମାନଙ୍କ ପାଖରେ ଉଭୟ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଭୋଟ୍‌ ପରିଚୟପତ୍ର ରହିଛି । ଏଥର ନିର୍ବାଚନ ଲାଗି ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତର ଫଗୁଣସିନେରୀ, ମାଡକାର, ଗଞ୍ଜେଇପଦର, କୋଟିଆ, ରଣାସିଂ, ତଳକାଣ୍ଟି, ଗୁମେଲପଦର, ଥୁରିଆ ଓ ଟାଉପଦରରେ ବୁଥ୍‌ କରାଯାଇଥିଲା । ସେଥିମଧ୍ୟରୁ ୫ଟି ବୁଥ୍‌ ରହିଥିଲା ବିବାଦୀୟ କୋଟିଆ, ରଣାସିଂ, ଉପର ଗଞ୍ଜେଇପଦର, ମାଡ଼କାର ଓ ଫଗୁଣସିନେରୀରେ । କୋଟିଆ ପଞ୍ଚାୟତରେ ରହିଛନ୍ତି ମୋଟ ୫ ହଜାର ୨୨୫ ଭୋଟର ।