କୁକୁରକୁ ଗୁଳି କରି ହତ୍ୟା ଘଟଣା: ଏବେ ବି ଅଭିଯୁକ୍ତ କିତାବ ଫେରାର, ସିଡିଆର ଯାଞ୍ଚ ବେଳେ ମିଳିଲା ବନ୍ଧୁକ ବେପାରୀଙ୍କ ଲିଙ୍କ

ଭୁବନେଶ୍ୱର, ୨୪/୦୧: ଖଣ୍ଡଗିରି ଥାନା ଜାଗମରା ଗାଁରେ କୁକୁରକୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ କିତାବ ପଟ୍ଟନାୟକ ଓରଫ ବାବୁନା ଏବେ ବି ଫେରାର ଅଛନ୍ତି । ଥାନାରେ ହାଜର ହେବାକୁ ପୁଲିସ୍ ତାଙ୍କ ଘରକୁ ନୋଟିସ୍ ପଠାଇବ । ଘର ବାହାରେ ଆଉ ଏକ ନୋଟିସ୍ ମାରିବ । ନୋଟିସ୍ ପାଇ ଯଦି ଅଭିଯୁକ୍ତ ହାଜର ନ ହୁଅନ୍ତି ତା’ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଣ୍ଡଗିରି ପୁଲିସ୍ କହିଛି ।
ଜାଗମରା ଗାଁ ଜୟଦୁର୍ଗା କ୍ଲବ ପାଖ ପ୍ଲଟ ନଂ- ୧୬୧ର ରହୁଥିବା ଅଭିଯୁକ୍ତ କିତାବ କୁକୁରକୁ ଗୁଳି କରି ମାରିବା ପରେ ଫେରାର ହୋଇଯାଇଥିଲେ । ପୁଲିସ୍ ତଦନ୍ତ କରି ଜାଣିବାକୁ ପାଇଥିଲା, ଏହା ପୂର୍ବରୁ ମଧ୍ୟ ସେ ୧୦ରୁ ଅଧିକ କୁକୁରଙ୍କୁ ହତ୍ୟା କରିଛନ୍ତି । ଖାଲି କୁକୁର ନୁହେଁ ବିଭିନ୍ନ ପକ୍ଷୀଙ୍କୁ ମଧ୍ୟ ସେ ଏୟାର ଗନ୍ରେ ଗୁଳି କରି ଆକାଶରୁ ତଳକୁ ଖସାଇଛନ୍ତି । ପୁଲିସ ତାଙ୍କ ଘରକୁ ଏକାଧିକ ଥର ଯାଇ ଖାଲି ହାତରେ ଫେରିଛି ।
ତା’ଛଡ଼ା ପୁଲିସ୍ ଏବେ ତଦନ୍ତରୁ ଜାଣିବାକୁ ପାଇଛି, କିତାବଙ୍କ ପାଖରେ ଏକାଧିକ ଦେଶୀ ବନ୍ଧୁକ ରହିଛି । କିଛି ମାସ ପୂର୍ବରୁ ସେ ଚୋରା ବନ୍ଧୁକ ବେପାରିଙ୍କ ଠାରୁ ଏହି ବନ୍ଧୁକ କିଣିଛନ୍ତି । ଏବେ ପୁଲିସ୍ କିତାବର କଲ୍ ଡିଟେଲ୍ସ ରେକର୍ଡ (ସିଡିଆର) ଯାଞ୍ଚ କରୁଛି । ଏଥିରୁ ପୁଲିସ ଜାଣିବାକୁ ପାଇଛି, ସେ ରିତିମତ ଭାବେ କିଛି ବନ୍ଧୁକ ବେପାରୀଙ୍କ ସହ ସମ୍ପର୍କରେ ରହୁଛନ୍ତି । ଗତ ମାସରେ କିତାବ ଜଣେ ବନ୍ଧୁକ ବେପାରୀକୁ ଭେଟିବାକୁ ସହର ବାହାରକୁ ଯାଇଥିଲେ । ଏନେଇ ପୁଲିସ ଅଧିକ ତନାଘନା ଚଳାଇଛନ୍ତି ।
ସେପଟେ ‘ସେବା ହିଁ ସଂକଳ୍ପ’ର କର୍ମକର୍ତ୍ତମାନେ ପୁଲିସର ନିଷ୍କ୍ରିୟତାକୁ ନେଇ ତୀବ୍ର ଅସନ୍ତୋଷ ଜାହିର୍ କରିଛନ୍ତି । ଯଦି ତୁରନ୍ତ ଅଭିଯୁକ୍ତକୁ ଗିରଫ ନ କରାଯାଏ, ଥାନା ଘେରାଉ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛଥଇ ।
ସୂଚନା ଥାଉ କି, ଘଟଣା ଦିନ କିତାବଙ୍କ ଘର ବାହାରେ କିଛି ଦେଶୀ କୁକୁଡ଼ା ବୁଲୁଥିଲେ । ୨ଟି କୁକୁର ଗୋଟିଏ କୁକୁଡାକୁ ମାରି ଖାଇ ଦେଇଥିଲେ । ଏହା ଦେଖି କିତାବଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଥିଲା । ସେ ଘରୁ ବନ୍ଧୁକ ଆଣି ୨ଟି କୁକୁର ଉପରକୁ ୩ଟି ଗୁଳି ଚଳାଇଥିଲେ । ଏଥିରେ ଗୋଟିଏ କୁକୁର ଘଟଣାସ୍ଥଳରେ ମରିଯାଇଥିଲା । ଫରେଷ୍ଟ ପାର୍କ ନିକଟ ଏକ ଘରୋଇ ପଶୁ କ୍ଲିନିକ୍ରେ ଅନ୍ୟ କୁକୁରଟିର ଚିକିତ୍ସା ପରେ କୁକୁରଟି ଏବେ ଭଲ ଅଛି ।