କୁମାରୀ ଦେବୀ

କୁମାରୀ ପୂଜା ଦୁର୍ଗା ପୂଜାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କୁମାରୀ ପୂଜାରେ ଋତୁସ୍ରାବ ହୋଇନଥିବା ଝିଅମାନଙ୍କୁ ଦେବୀଙ୍କ ସ୍ୱରୂପ ଭାବି ସେମାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ସାଧାରଣତଃ ଦୁର୍ଗାଷ୍ଟମୀ ଦିନ କୁମାରୀ ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ନବମୀ ତିଥିରେ ମଧ୍ୟ ଏହି ପୂଜା କରାଯାଏ । କେବଳ ଶାରଦୀୟା ଦୁର୍ଗାପୂଜା ଅବସରରେ କୁମାରୀ ପୂଜା ହୋଇନଥାଏ । ପଶ୍ଚିମବଙ୍ଗ ଓ ବାଂଲାଦେଶରେ କାଳୀପୂଜା, ବାସନ୍ତିକ ଦୁର୍ଗାପୂଜା, ଜଗଦ୍ଧାତ୍ରୀ ପୂଜା, ଅନ୍ନପୂର୍ଣ୍ଣା ପୂଜା ଏବଂ ଶକ୍ତିପୂଜାରେ କୁମାରୀ ପୂଜା କରାଯାଇଥାଏ । ହିନ୍ଦୁ ପୁରାଣ ଅନୁସାରେ ମା କାଳୀଙ୍କ ଦ୍ୱାରା କଳାସୁର ନିଧନକୁ ସ୍ମରଣ ରଖିବା ଉଦ୍ଦେଶ୍ୟରେ ଦେବୀଙ୍କ ଶିଶୁ ସ୍ୱରୂପକୁ ପୂଜା କରାଯାଏ । ତେଣୁ କୁମାରୀ ପୂଜା ଦୁର୍ଗାପୂଜାର ଏକ ଅଭିନ୍ନ ଅଙ୍ଗ ପାଲଟିଛି । କୁମାରୀ ପୂଜାର ବିଧି ଏବଂ ଏହାର ମହତ୍ୱ ବିଷୟରେ ଯୋଗିଣୀତନ୍ତ୍ର, କୁଳାର୍ନବତନ୍ତ୍ର, ଦେବୀପୁରାଣ, ସ୍ତୋତ୍ର, କବଚ, ସହସ୍ରନାମ, ତନ୍ତ୍ରସାର, ପ୍ରାଣତୋଶିନି ଏବଂ ପୁରୋହିତତନ୍ତ୍ରରେ ବର୍ଣ୍ଣନା କରାଯାଇଛି । କୁମାରୀ ପୂଜାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଋତୁମତି ହୋଇନଥିବା କୁମାରୀ ଝିଅମାନଙ୍କୁ ହିଁ ଆରାଧନା
କରାଯାଏ । ତେଣୁ କୁମାରୀ ପୂଜାକୁ ସର୍ବଧର୍ମ ସମନ୍ୱୟର ପ୍ରତୀକ ମଧ୍ୟ କୁହାଯାଏ । ପୂର୍ବ କାଳରେ ଯଦିଓ କେବଳ ବ୍ରାହ୍ମଣ ଘରର କୁମାରୀ କନ୍ୟାଙ୍କୁ କୁମାରୀ ପୂଜାରେ ଭାଗ ନେବାକୁ ଅନୁମତି ମିଳୁଥିଲା ।

କୁହାଯାଏ କୁମାରୀ ପୂଜା ଦ୍ୱାରା କେବଳ ମନୋସ୍କାମନା ପୂରଣ ହୋଇନଥାଏ । ବରଂ ସୁଖ, ସମୃଦ୍ଧି ଏବଂ ଆୟୁ ବୃଦ୍ଧି ପାଇଥାଏ । ଶ୍ରୀରାମକୃଷ୍ଣ ନିଜ ପତ୍ନୀ ଶାରଦା ଦେବୀଙ୍କ ଠାରେ ଦେବୀଙ୍କ ଦର୍ଶନ ପାଇଥିବାରୁ
ବେଲୁର ମଠରେ ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ କୁମାରୀ ପୂଜା ଅନୁଷ୍ଠିତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବଙ୍ଗୀୟ ପରମ୍ପରାରେ କୁମାରୀ ପୂଜାର ମହତ୍ୱ ଖୁବ୍‌ ବେଶି । ତେବେ ଉତ୍ତର ଭାରତରେ ନବରାତ୍ର ଶେଷ ଦିନ କୁମାରୀ ପୂଜା କରାଯାଇଥାଏ । ତେବେ ଏହି କୁମାରୀ ପୂଜାରେ ଛୋଟ ଛୋଟ ୯ ଜଣ ଝିଅଙ୍କୁ ବସାଇ ପୂଜା କରାଯାଇଥାଏ । ବୟସ ଅନୁସାରେ ହୋଇଥାଏ କୁମାରୀ ଦେବୀଙ୍କ ନାମକରଣ ବିଶ୍ୱାସ କରାଯାଏ ତନ୍ତ୍ରଶାସ୍ତ୍ରରେ ଅସାଧ୍ୟକୁ ସାଧନ କରିବା ପାଇଁ କୁମାରୀ ପୂଜା କରାଯାଇଥାଏ ।

ଶାସ୍ତ୍ରରେ କୁହାଯାଏ, ସମସ୍ୟା ଯେତେ ଜଟିଳ ହେଲେ ବି କୁମାରୀ ପୂଜା ଦ୍ୱାରା ତାହା ସମାଧାନ କରିବା ସମ୍ଭବ । ଏହି ପୂଜାର ବିଶେଷ ମାହାତ୍ମ୍ୟ ଅଛି । ଏହି ପୂଜା ଦ୍ୱାରା ବିଶେଷ ପୂଣ୍ୟ ଲାଭ କରାଯାଏ । ଦଶବର୍ଷ ବୟସ ପର୍ଯ୍ୟନ୍ତ କୁମାରୀ ଝିଅ ବା ୠତୁସ୍ରାବ ଆରମ୍ଭ ହୋଇନଥିବା ଝିଅମାନଙ୍କୁ କୁମାରୀ ପୂଜା ପାଇଁ ବଛା ଯାଇଥାଏ । ଏହି କୁମାରୀ ପୂଜାର ବିଧି ବିଭିନ୍ନ ଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ସଂସାରୀ ମଣିଷ
ପକ୍ଷରେ ସବୁ ବିଧାନ ପାଳନ କରିବା ସମ୍ଭବ ହୋଇନଥାଏ ।

ତଥାପି ଅଳ୍ପ କିଛି ନିୟମ ମାନି ଘରେ ମଧ୍ୟ କୁମାରୀ ପୂଜା କରାଯାଇପାରିବ । ତେବେ ଯେତିକି ବି ନିୟମ ପାଳନ କରିବେ ତାହା ଯେପରି ଶୁଦ୍ଧ ଚିତ୍ତରେ କରିବେ ସେଥିପ୍ରତି ଖିଆଲ ରଖିବାକୁ ହେବ । ଏହି ପୂଜାର ପ୍ରଥମ କଥା ହେଉଛି କୁମାରୀ ଚୟନ କରିବା । ଋତୁସ୍ରାବ ହୋଇନଥିବା ଦୁଇରୁ ଦଶ ବର୍ଷ ମଧ୍ୟରେ ସାଧାରଣତଃ କୁମାରୀ ବଛା ଯାଇଥାଏ । ବିଭିନ୍ନ ବୟସର କନ୍ୟା ପୂଜା ଦ୍ୱାରା ଭିନ୍ନ ଭିନ୍ନ ଫଳ ମିଳିଥାଏ । ତେବେ ଜାଣନ୍ତି କି ବୟସ ଅନୁସାରେ କୁମାରୀ ଦେବୀଙ୍କ ନିର୍ଦ୍ଦିଷ୍ଟ ନାମକରଣ କରାଯାଇଥାଏ । ଯେମିତିକି ୨ ବର୍ଷ ବୟସର ଝିଅର ନାଁ କୁମାରୀ କନ୍ୟା ହୋଇଥାଏ ଯାହାଙ୍କୁ ପୂଜା କଲେ ଦୁଃଖ ଓ ଦାରିଦ୍ର‌୍ୟ ଦୂରେଇଥାଏ । ଧନ ଓ ସୌଭାଗ୍ୟ ପ୍ରାପ୍ତି ଓ ଶତ୍ରୁ ବିନାଶ ପାଇଁ ଏହି କୁମାରୀ ଦେବୀଙ୍କୁ ଆରାଧନା କରାଯାଏ । ସେହି ଭଳି ୩ ବର୍ଷ ବୟସର ଝିଅର ନାମକରଣ ହୋଇଥାଏ ତ୍ରିମୂର୍ତ୍ତି କନ୍ୟା ଯାହାଙ୍କୁ ପୁତ୍ର ସନ୍ତାନ, ବିଦ୍ୟା ଓ ଧନ ପ୍ରାପ୍ତି ଉଦ୍ଦେଶ୍ୟରେ ପୂଜା କରାଯାଇଥାଏ । ୪ ବର୍ଷ ବୟସର ଝିଅଙ୍କୁ କଲ୍ୟାଣୀ କନ୍ୟା ସମ୍ବୋଧନ କରାଯାଉଥିଲା ବେଳେ ରାଜସୁଖ ପ୍ରାପ୍ତି ତଥା ଜଟିଳ ସମସ୍ୟାର ସମାଧାନ ନିମନ୍ତେ ଅର୍ଚ୍ଚନା କରାଯାଇଥାଏ । ୫ ବର୍ଷ ବୟସ୍କା କୁମାରୀ ଦେବୀଙ୍କୁ ରୋହିଣୀ କନ୍ୟା ବୋଲି କୁହାଯାଏ । ଏହାକୁ ସମସ୍ତ ରୋଗ ଓ କ୍ଲେଶରୁ ମୁକ୍ତି ପାଇବା ତଥା ଗୃହରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ପୂଜା କରାଯାଇଥାଏ । ଯେଉଁ କୁମାରୀଙ୍କ ବୟସ ୬ ବର୍ଷ ତାଙ୍କୁ କୁହାଯାଇଥାଏ ମାତା କାଳିକା । ଶତ୍ରୁ ଉପରେ ବିଜୟ ପ୍ରାପ୍ତି, ଆକର୍ଷଣ ବୃଦ୍ଧି ଏବଂ ସମସ୍ତଙ୍କ ପ୍ରିୟଭାଜନ ହେବା ଉଦ୍ଦେଶ୍ୟରେ ଏହି କୁମାରୀ କନ୍ୟାଙ୍କ ଆରାଧନା କରାଯାଏ । ବୟସ ୭ ହୋଇଥିବା କୁମାରୀ କନ୍ୟାଙ୍କ ନାଁ ମାତା ଚଣ୍ଡିକା ଏବଂ ଧନସମ୍ପତ୍ତି ବୃଦ୍ଧି, ଅକାଳ ମୃତ୍ୟୁରୁ ବଞ୍ଚିବା ପାଇଁ ଏହି କୁମାରୀ ଦେବୀଙ୍କୁ ପୂଜା କରାଯାଇଥାଏ । ଆଠବର୍ଷ ବୟସର କୁମାରୀ କନ୍ୟାଙ୍କ ପରିଚୟ ମାତା ଗୌରୀ । ବିପଦରୁ ମୁକ୍ତି, ସିଦ୍ଧିଲାଭ ପାଇଁ ଏହି କୁମାରୀଙ୍କୁ ପୂଜା କରାଯାଏ ।

ଯେଉଁ କୁମାରୀଙ୍କ ବୟସ ୯ ତାଙ୍କୁ ଦୁର୍ଗା ମା’ ନାମରେ ପୂଜା କରାଯାଏ । ସମସ୍ୟା ଯେତେ ଜଟିଳ ହେଲେ ମଧ୍ୟ ଏହି କୁମାରୀ ଦେବୀଙ୍କୁ ପୂଜା କଲେ ସମାଧାନର ବାଟ ଆପେ ଆପେ ଫିଟିଯାଏ । ୧୦ ବର୍ଷ ବୟସର କୁମାରୀ କନ୍ୟା ପୂଜା ପାଆନ୍ତି ସୁଭଦ୍ରା ନାମରେ । ଏହାଙ୍କୁ ପୂଜା କରାଯାଏ ଅଶୁଭ ଶକ୍ତି ହାତରୁ ରକ୍ଷା ଉଦ୍ଦେଶ୍ୟରେ ।