ଚାମ୍ବରରେ ଫସି ଶ୍ରମିକଙ୍କ ମୃତ୍ୟୁ, ଠିକାଦାର ଫେରାର୍

ଭୁବନେଶ୍ୱର,୬ା୩(ବ୍ୟୁରୋ): ଜଳ ଯୋଗାଣ ବିଭାଗ(ପିଏଚ୍ଡି) କର୍ମଚାରୀଙ୍କ ଭୁଲ ଯୋଗୁଁ ଆଜି ଜଣେ ଶ୍ରମିକଙ୍କ ଅକାଳମୃତ୍ୟୁ ହୋଇଛି । ପାଇପ୍ଲାଇନ୍ରେ ଅଚାନକ ପାଣି ଛାଡି ଦେବାରୁ ଏକ ଚାମ୍ବରରେ କାମ କରୁଥିବା ଜଣେ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି । ମୃତ ଶ୍ରମିକ ହେଲେ ନୂଆପଲ୍ଲୀ ଆଇଆର୍ସି ଭିଲେଜରେ ଥିବା ଗଣପତିନଗର ବସ୍ତିର କୈଳାସ ଦୋରାଙ୍କ ପୁଅ ରୁଦ୍ର ଦୋରା(୨୫) । ସ୍ଥାନୀୟ ଲୋକ ଉକ୍ତ ଚାମ୍ବରରୁ ରୁଦ୍ରଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ପୁଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ତଦନ୍ତ ଚଳାଇଛି । ତେବେ କାମ ନେଇଥିବା ଠିକାଦାର ଫେରାର୍ ହୋଇ ଯାଇଛନ୍ତି । ମିଳିଥିବା ସୂଚନା ମୁତାବକ, ରୁଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲା କଂସମାରି ଅଞ୍ଚଳରେ । ସେ ପରିବାର ସହ ଗଣପତିନଗର ବସ୍ତିରେ ରହୁଥିଲେ । ଦେଢ଼ ବର୍ଷ ତଳେ ସେ ବିବାହ କରିଥିଲେ । ସପ୍ତାହେ ଧରି ଭିଏସ୍ଏସ ନଗର ଅଞ୍ଚଳରେ ପାଣି ପାଇପ୍ ମରାମତି କାମ ଚାଲିଥିଲା । ଆଜି ପୂର୍ବାହ୍ନ ସାଢ଼େ ୧୧ଟା ଠାରୁ ରାସ୍ତାକଡ଼ରେ ଥିବା ଏକ ଚାମ୍ବର ମରାମତି ଚାଲିଥିଲା । ରୁଦ୍ରଙ୍କ ସହ ଆଉ ୨-୩ଜଣ ଶ୍ରମିକ ମଧ୍ୟ କାମରେ ଲାଗିଥିଲେ । ରୁଦ୍ର ଚାମ୍ବର ଭିତରେ ପଶି ଉଭୟ ପାଇପ୍କୁ ଯୋଡୁଥିଲେ । ଏତିକିବେଳେ ପାଇପ୍ରେ ଅଚାନକ୍ ପାଣି ମାଡି଼ ଆସିଥିଲା । ପ୍ରବଳ ବେଗରେ ପାଣି ଆସିବାରୁ ସେ ଚାମ୍ବରରୁ ବାହାରି ନ ପାରି ଫସି ଯାଇଥିଲେ । ବାହାରେ ଥିବା ଶ୍ରମିକ ଓ ସ୍ଥାନୀୟ ଲୋକ ମିଶି ତାଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ରୁଦ୍ରଙ୍କ ମୃତ୍ୟୁ ହୋଇ ସାରିଥିଲା । ରୁଦ୍ରଙ୍କ ମୃତ୍ୟୁ ଖବର ପାଇ ଠିକାଦାର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ପିଏଚ୍ଡି ବିଭାଗ ଅବେଳାରେ ପାଇପ୍ ଲାଇନ୍ରେ ପାଣି ଛାଡ଼ିଥିବାରୁ ରୁଦ୍ରଙ୍କ ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ଲୋକେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପୁଲିସ୍ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲା । ପୁଲିସ ରୁଦ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।