ଜିଲ୍ଲା ହସ୍‌ପିଟାଲରେ ଡାକ୍ତର ମରୁଡ଼ି

ଜୟପୁର,୨୮ା୪(ବ୍ୟୁରୋ): ଜିଲ୍ଲା ହସ୍‌ପିଟାଲରେ ଡାକ୍ତର ମରୁଡି । ୩୧ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୨୩ ଜଣ । ୨ ଜଣ ଲମ୍ବା ଛୁଟିରେ ଯାଇଥିବା ବେଳେ ଅନ୍ୟ ମେଡିକାଲ୍‌କୁ ବଦଳି ହୋଇଛନ୍ତି ୬ ଜଣ । ମାତ୍ର ଜଣେ ଛାତି ଏବଂ ଯକ୍ଷ୍ମା ରୋଗ ବିଶେଷଜ୍ଞ ନୂଆ କରି କାମରେ ଯୋଗ ଦେଇଛନ୍ତି । ବରିଷ୍ଠ ଡାକ୍ତରମାନେ ନିୟମିତ ଡାକ୍ତରଖାନା ଆସୁନଥିବା ଅଭିଯୋଗ ହେଉଛି । କେବଳ କନିଷ୍ଠମାନେ ସମ୍ଭାଳୁଛନ୍ତି ରୋଗୀ ସେବା । ଫଳରେ ଆଉଟଡୋରରେ ସବୁଦିନ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରୋଗୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି ।
ଆଜି ଆଉଟଡୋରରେ ଥିଲା ରୋଗୀଙ୍କ ପ୍ରବଳ ଭିଡ଼ । ଆଉଟ ଡୋରରେ କେବଳ ଜଣେ ଡାକ୍ତର ଥିବାରୁ ରୋଗୀ ଦେଖାରେ ବିଳମ୍ବ ହେଉଥିଲା । ଫଳରେ ଅପେକ୍ଷାରତ ରୋଗୀ ଓ ସଂପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ବାହ୍ନ ୧୧ଟା ପରେ ୨ଜଣ ମହିଳା ଡାକ୍ତର ଆସି ଆଉଟଡୋରରେ ଯୋଗ ଦେଇଥିଲେ । ଏହାପରେ ରୋଗୀସେବା ତ୍ୱରାନ୍ୱିତ ହୋଇଥିଲା ଏବଂ ଉତ୍ତେଜନା ହ୍ରାସ ପାଇଥିଲା ।

ଗତବର୍ଷ ଜୟପୁର ପୁରୁଣା ହସପିଟାଲ ପରିସରରୁ ଜିଲ୍ଲା ମେଡିକାଲ ସ୍ଥାନାନ୍ତର ହୋଇଥିଲା । କୋରାପୁଟରୁ ଏଠାକୁ ଅଧିକ ଡାକ୍ତର ଆସିଥିଲେ । ନୂଆ ଓ ପୁରୁଣା ମିଶି ଡାକ୍ତରଙ୍କ ସଂଖ୍ୟା ପହଞ୍ଚିଥିଲା ୩୧ରେ । କିନ୍ତୁ ଡାକ୍ତରଖାନାରେ ସବୁ ଡାକ୍ତରଙ୍କ ଦେଖାମିଳୁନି । ବିଶେଷ କରି କୋରାପୁଟରେ ରହୁଥିବା ଡାକ୍ତରଙ୍କ କ୍ଷେତ୍ରରେ ଏହି ଅଭିଯୋଗ ଅଧିକ । ନିଜ ନିଜ ଭିତରେ ସଲାସୁତରାରେ ଚାଲିଛି ଡ୍ୟୁଟି । ଜଣଙ୍କ ଡ୍ୟୁଟି ଅନ୍ୟ ଜଣେ କରି କାମ ଚଳାଇ ଦେଉଛନ୍ତି । ଅନ୍ୟ କେତେକ ଡାକ୍ତର ହସ୍‌ପିଟାଲରେ ରୋଗୀ ନଦେଖି କ୍ଲିନିକରେ ଦେଖୁଛନ୍ତି । ଫଳରେ ରୋଗୀସେବା ଗୁରୁତର ପ୍ରଭାବିତ ହେଉଛି । ନିର୍ବାଚନ ପୂର୍ବରୁ ୬ ଜଣ ଡାକ୍ତରଙ୍କ ବଦଳି କରାଯାଇଛି ଜିଲ୍ଲାର ଅନ୍ୟ ଡାକ୍ତରଖାନାକୁ । ତାଙ୍କ ସ୍ଥାନରେ ଆଉ କୌଣସି ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇନି । ୨ ଜଣ ବରିଷ୍ଟ ଡାକ୍ତର ଲମ୍ବା ଛୁଟିରେ ଯାଇଛନ୍ତି । ଫଳରେ ଏବେ ମେଡିକାଲରେ ୨୩ ଜଣ ଡାକ୍ତର ଅଛନ୍ତି ।
ଅଭିଯୋଗ ହୋଇଛି, ଅଧିକାଂଶ ଡାକ୍ତର ନିଜ କର୍ତ୍ତବ୍ୟ ପାଳନ କରୁ ନାହାନ୍ତି । ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଆଉଟଡୋରରେ ରୋଗୀଙ୍କ ଅସମ୍ଭବ ଭିଡ ଲାଗୁଛି । ଜଣେ କିମ୍ବା ୨ ଜଣ କନିଷ୍ଟ ଡାକ୍ତର ଆଉଟଡୋର ସମ୍ଭାଳୁଛନ୍ତି ।

ନିୟମ ମୁତାବକ, ଇନଡୋର ଭିଜିଟ ସରିବା ପରେ ବରିଷ୍ଠ ଡାକ୍ତରମାନେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଆଉଟଡୋରରେ ରୋଗୀ ଦେଖିବା କଥା । ହେଲେ ତାହା ହେଉନାହିଁ । ୱାର୍ଡ ଭିଜିଟ ଏବଂ ଅଫିସ କାମ ସାରି ଘରକୁ ଚାଲିଯାଉଥିବା ଅଭିଯୋଗ ହେଉଛି । ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ମେଡିକାଲ ଅଧିକାରୀ ଡାକ୍ତର କାଳୀପ୍ରସାଦ ବେହେରା କହିଛନ୍ତି, ଜିଲ୍ଲା ହସପିଟାଲରୁ ୬ ଡାକ୍ତର ଅନ୍ୟ ମେଡିକାଲକୁ ବଦଳି ହୋଇଛନ୍ତି । ସେମାନଙ୍କ ବଦଳରେ କେହି ଆସିନାହାନ୍ତି । ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଡାକ୍ତର ପୋଷ୍ଟିଂ ହୋଇନାହିଁ । ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ । ଅଧିକ ଡାକ୍ତର ପୋଷ୍ଟିଂ କରିବାକୁ ଅନୁରୋଧ କରାଯିବ । ଅନ୍ୟପକ୍ଷରେ କେତେକ ଡାକ୍ତର କର୍ତ୍ତବ୍ୟରେ ଅବହେଳା କରୁଥିବା ଅଭିଯୋଗ ମିଳିଛି । ତୁରନ୍ତ ସେ ଏହାର ଅନୁସନ୍ଧାନ କରିବେ । ସୂଚନାଥାଉକି, ପୁରୁଣା ହସପିଟାଲରୁ ଜିଲ୍ଲା ହସପିଟାଲ ସ୍ଥାନାନ୍ତର ହେବା ପରେ ରୋଗୀ ସଂଖ୍ୟା ୨ ଗୁଣ ହୋଇଛି ।

   ସମ୍ବନ୍ଧିତ ଖବର


ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର