‘ଫୋନି’ ବିପନ୍ନଙ୍କୁ ସହାୟତା,ଥାଳି ଧରି ରିଲିଫ୍ ସଂଗ୍ରହ କଲେ ଏସପି

ପାରଳାଖେମୁଣ୍ଡି,୧୦।୫: ସାମୁଦ୍ରିକ ଝଡ଼ ଫୋନି କାରଣରୁ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷକରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବାତ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛି ଗଜପତି ଜିଲ୍ଲା ପୁଲିସ ପ୍ରଶାସନ । ‘ରି-ବିଲ୍‌ଡ ଓଡ଼ିଶା’ରେ ଭାଗିଦାର ହେବା ପାଇଁ ଜିଲ୍ଲାବାସୀ ସହଯୋଗ କରିବାକୁ ଗଜପତି ଜିଲ୍ଲା ପ୍ରଶାସନ ନିବେଦନ କରିଛି । ପୁଲିସ ଅଫିସର୍‌ ଓ କର୍ମଚାରୀ ଥାଳି ଧରି ଘରକୁ ଘର ବୁଲି ରିଲିଫ୍‌ ସଂଗ୍ରହ କରିଛନ୍ତି । ଏସ୍‌ପି ଓ ଜିଲ୍ଲାପାଳଙ୍କ ନେତୃତ୍ୱରେ ଆଜିଠାରୁ ଆରମ୍ଭ ହୋଇଛି ରିଲିଫ୍‌ ସଂଗ୍ରହ । ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପୁଲିସ କର୍ମଚାରୀ ଥାଳି ଧରି ରିଲିଫ ପାଣ୍ଠି ପାଇଁ ଲୋକଙ୍କୁ ଦାନ କରିବାକୁ ଅନୁରୋଧ କରିବା ଦେଖିବାକୁ ମିଳିଛି । ଏପରିକି ପାରଳାଖେମୁଣ୍ଡି ସହରରେ ଖୋଦ୍‌ ଏସ୍‌ପି ସାରା ଶର୍ମା ଥାଳି ଧରି ରିଲିଫ୍‌ ପାଣ୍ଠି ସଂଗ୍ରହ କରିବା ଚର୍ଚ୍ଚାର ବିଷୟ ହୋଇଛି । ପ୍ରଥମ ଦିନରେ ୧ ଲକ୍ଷ ୧୫ ହଜାର ୧୧୮ ଟଙ୍କା ଆଦାୟ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ଯାଏଁ ରିଲିଫ୍‌ ସଂଗ୍ରହ କରାଯିବ ବୋଲି ଏସ୍‌ପି ସାରା ଶର୍ମା କହିଛନ୍ତି ।

ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରେ ପଛରେ ରହିନାହିଁ । ଜିଲ୍ଲାପାଳ ଅନୁପମ ଶାହା ବ୍ୟକ୍ତିଗତ ୧୫ ହଜାର ଟଙ୍କା ଦାନ କରିଥିବା ବେଳେ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଦାନ କରିବାକୁ ଅନୁରୋଧ କରିଛନ୍ତି । ପ୍ରତି ବ୍ଲକ୍‌ ଏବଂ ପୌରାଞ୍ଚଳରେ ଏଥିପାଇଁ ସ୍ୱତନ୍ତ୍ର କାଉଣ୍ଟର୍‌ ଖୋଲାଯାଇଛି । ପ୍ରଥମ ଦିନରେ ଜିଲ୍ଲା ପ୍ରଶାସନ ୩ ଲକ୍ଷ ୫୫ ହଜାର ୧୬୪ ଟଙ୍କା ସଂଗ୍ରହ କରିଛି ବୋଲି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ପୁଲିସ ଏବଂ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ।

   ସମ୍ବନ୍ଧିତ ଖବର


ଗଞ୍ଜେଇ ଚାଷ ପାଇଁ ମିଳିବନି ଅନୁମତି, ସ୍ପଷ୍ଟ କଲେ ଅବକାରୀ ସଚିବ

୨୦୨୫ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ମିଳିବ ପିଇବା ପାଣି: ପ୍ରତାପ ଜେନା

ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି’ ବୃଦ୍ଧି ପ୍ରସଂଗ: ୪ ସପ୍ତାହରେ ନିଷ୍ପତ୍ତି ନେବାକୁ ସିବିଏସ୍‌ଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଶିକ୍ଷକଙ୍କ ମାଡରେ ଦୁଇ ଛାତ୍ରୀ ଗୁରୁତର :ଡାକ୍ତରଖାନରେ ଭର୍ତ୍ତି, ଶିକ୍ଷକଙ୍କ ନାଁରେ ଅଭିଯୋଗ