ଜମି କିଣା ବିକାରେ ୩୫ ଲକ୍ଷ ଟଙ୍କା ଠକେଇ: ଭାଇ ଜମିକୁ ଭାଇକୁ ବିକି ଗିରଫ ହେଲେ ଯୁବକ

ଭୁବନେଶ୍ୱର ୨୦/୨: ଭାଇ ଅଂଶରେ ପଡ଼ୁଥିବା ଜମିକୁ ଚଞ୍ଚକତା ପୂର୍ବକ ସେହି ଭାଇକୁ ବିକି ତାଙ୍କଠୁ ୩୫ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ନାମ କୁନା ରାଉତ । ଘର ଲକ୍ଷ୍ମୀସାଗର ରାଉତସାହି ।

ପୁଲିସ ସୂଚନା ଅନୁଯାୟୀ, ରାଉତସାହିର କୁନାଙ୍କ ବାପା ଓ ପ୍ରଭାକର ରାଉତଙ୍କ ବାପା ଦୁଇଭାଇ । ପୈତୃକ ସମ୍ପତ୍ତିରେ କୁନାଙ୍କ ଗୋଟିଏ ଅଂଶ ହୋଇଥିବା ବେଳେ ପ୍ରଭାକରଙ୍କର ୩ ଅଂଶ । ସେମାନଙ୍କର ପୈତୃକ ସମ୍ପତ୍ତି ଭାଗବଣ୍ଟା ହୋଇ ନଥିଲା । ପ୍ରଭାକରଙ୍କ ବାପାଙ୍କ ଅର୍ଥାତ୍‌ ଦାଦାଙ୍କ ଜମିରେ କୁନାଙ୍କ ପରିବାର ରହୁଥିଲେ । ୨ବର୍ଷ ତଳେ କୁନା ଉକ୍ତ ଜମିକୁ ବିକ୍ରି କରିବା ପାଇଁ ଚାହିଁଥିଲେ । ପ୍ରଭାକର ଏହା ଜାଣିବା ପରେ ଉକ୍ତ ଜମିକୁ କିଣିବାକୁ କୁନାଙ୍କୁ କହିଥିଲେ । ଜମି ବାବଦକୁ କୁନା ୩୫ ଲକ୍ଷ ଟଙ୍କା ଦାବି କରିଥିଲେ ।

ତେଣୁ ପ୍ରଭାକର ୩୫ ଲକ୍ଷ ଟଙ୍କା ଦେଇ କୁନାଙ୍କ ଠାରୁ ସେ ଜମି କିଣିଥିଲେ । ପରେ ପ୍ରଭାକର ଜାଣିବାକୁ ପାଇଥିଲେ କି ସେ ଯେଉଁ ଜମି କିଣିଛନ୍ତି ତାହା ତାଙ୍କ ବାପାଙ୍କ ନାମରେ ରେକର୍ଡଭୁକ୍ତ ଅଛି । ତେଣୁ ସେ କୁନାଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ । କିନ୍ତୁ କୁନା ଆଉ ଟଙ୍କା ଫେରସ୍ତ ଦେଇ ନଥିଲେ। ଏନେଇ ପ୍ରଭାକର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ମୀସାଗର ଥାନା ପୁଲିସ କୁନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।