ଦରଦୀ ଚୋର, ଢିଲା ପୁଲିସ୍‌: ପୂରା ଘଟଣା ଏମିତି ଘଟିଲା ଜାଣନ୍ତୁ…

ଭୁବନେଶ୍ୱର ୧୪/୧୧: ଘରେ ପଶି ଲାପଟପ୍‌ ଚୋରି କଲେ । ଦୁଇ ଦିନ ପରେ ଗୃହକର୍ତ୍ତାଙ୍କୁ ଫୋନ୍‌ କରି କହିଲେ, ତୁମ ସାର୍ଟିଫିକେଟ୍‌ ମୁଁ ବସ୍‌ କଣ୍ଡକ୍ଟରଙ୍କୁ ଦେଇଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଆସି ନିର୍ଦ୍ଦିଷ୍ଟ ବସ୍‌ କଣ୍ଡକ୍ଟରଙ୍କୁ ୬ ଶହ ଟଙ୍କା ଦେଇ ସାର୍ଟିଫିକେଟ୍‌ ନେଇଯିବ । ସାର୍ଟିଫିକେଟ୍‌ ମହତ୍ତ୍ୱ ବୁଝିଥିବା ଜଣେ ଦରଦୀ ଚୋର ଏତଲାକାରୀଙ୍କୁ ଫୋନ୍‌ କରି ତାଙ୍କ ସାର୍ଟିଫକେଟ୍‌ ଫେରାଇଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଏଲ୍‌ସି କଲୋନୀ ପ୍ଲଟ୍‌ ନମ୍ବର ୧୧୨ରେ ଘର ଭଡ଼ା ନେଇ ରହୁଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଧରଣୀଧର ସାହୁ ଓ ସାଲେପୁରର ଶୁଭଙ୍କର ସାହୁ । ଅକ୍ଟୋବର ୧୮ ତାରିଖ ସକାଳ ସାଢ଼େ ୮ ଟା ବେଳେ ଏମାନେ ରହୁୁଥିବା ଘରର ମୁଖ୍ୟ କବାଟ ଖୋଲା ଥିଲା । ଧରଣୀଧର ବାଥରୁମ୍‌ରେ ଥିଲା ବେଳେ ଶୁଭଙ୍କର ଶୋଇଥିଲେ । ଏହି ସମୟରେ ଚୋର ଅତି ଚତୁରତାର ସହ ଘର ଭିତରେ ପଶିଥିଲା । ମଉକା ଦେଖି ୨ଟି ଲାପଟ୍‌ପ, ଗୋଟିଏ ମୋବାଇଲ୍‌ ଫୋନ୍‌ ଓ ଏକ ବ୍ୟାଗ୍‌ ନେଇ ପଳାଇଥିଲା । ଉକ୍ତ ବ୍ୟାଗ୍‌ରେ ଥିଲା ଧରଣୀଧରଙ୍କ ସବୁ ସାର୍ଟିଫିକେଟ୍‌ । ଏହା ଜାଣିବା ପରେ ଉଭୟ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଘଟଣା ବିଷୟରେ ଜାଣିବା ପରେ କିଛି ତଦନ୍ତ ନ କରି ମାମଲା ରୁଜୁ କରି ଚୁପ୍‌ ବସି ପଡିଥିଲା । ଅକ୍ଟୋବର ୨୨ ତାରିଖରେ ଧରଣୀଧରଙ୍କୁ ଜଣେ ଫୋନ୍‌ କରି କହିଥିଲେ, ତୁମ ବ୍ୟାଗ୍‌ ଗଞ୍ଜାମର ଏକ ରାସ୍ତା କଡ଼ରେ ପଡିଥିଲା ।

ସେଥିରେ ସାର୍ଟିଫିକେଟ୍‌ ଓ ତୁମ ମୋବାଇଲ୍‌ ନମ୍ବର ଥିଲା । ଆମେ ବସ୍‌ରେ ପଠାଇ ଦେଉଛୁ । ତୁମେ ସାଢ଼େ ୧ଟା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଆସି କଣ୍ଡକ୍ଟରକୁ ୬ଶହ ଟଙ୍କା ଦେଇ ସାର୍ଟିଫିକେଟ୍‌ ନେଇଯିବ । ଖାଲି ସେତିକି ନୁହେଁ ବସ୍‌ ନମ୍ବର ଓ ଡ୍ରାଇଭରଙ୍କ ଫୋନ୍‌ ନମ୍ବର ବି ଦେଇଥିଲେ । ଫୋନ୍‌ କରିଥିବା ବ୍ୟକ୍ତିଙ୍କ କଥା ମୁତାବକ ୨୨ ତାରିଖରେ ଧରଣୀଧର ଓ ଶୁଭଙ୍କର ବସ୍‌ ଷ୍ଟାଣ୍ଡରେ ପହଞ୍ଚିଥିଲେ । ୪ଘଣ୍ଟା ବିଳମ୍ବରେ ଉକ୍ତ ବସ୍‌ ପହଞ୍ଚିଥିଲା । ଏକ ଅଖା ବ୍ୟାଗ୍‌ରେ ତାଙ୍କ ସାର୍ଟିଫିକେଟ୍‌ ସବୁ ଥଲା । ଏହାପରେ ଧରଣୀଧର ଥାନାକୁ ଯାଇ ଘଟଣା ବିଷୟରେ ଜଣାଇଥିଲେ । ଏମିତିକି ଯେଉଁ ନମ୍ବରରେ ଫୋନ୍‌ ଆସିଥିଲା ତାକୁ ଥାନା ପୁଲିସ୍‌କୁ ଦେବା ସହ ଚୋରି ବେଳର ସିସିଟିଭି ଫୁଟେଜ ବି ଦେଇଥିଲେ। ହେଲେ ପୁଲିସ୍‌ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଶେଷରେ ନିରାଶ ହୋଇ ଡିସିପିଙ୍କ ଅଭିଯୋଗ ପ୍ରକୋଷ୍ଠ ଦ୍ୱାରସ୍ଥ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା

ବେଲଣାରେ ପିଟିପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – ସ୍ୱାମୀ ମଦ ପିଇ ଅତ୍ୟାଚାର କରୁଥିବା ଅଭିଯୋଗ

ମରିବା ପୂର୍ବରୁ ହାତରେ ଲେଖିଦେଇଥିଲେ ହତ୍ୟାକାରୀର ଗାଡି ନମ୍ବର, ଏଭଳି ଧରିଲା ପୋଲିସ

ମଦ କାଉଣ୍ଟର ଖାଲି ଗ୍ରାହକ ବୁଝିପାରୁ ନାହାନ୍ତି ‘ଇ-ଟୋକନ୍‌’ କେମିତି ହେବ

ଅପରାଧୀକୁ ପାସ୍‌ପୋର୍ଟ ! ହୋଇଛି ମୋଟା ଅଙ୍କର କାରବାର, ତନାଘନା ଆରମ୍ଭ

ଭୁବନେଶ୍ବରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ, ୫ ଜଣ ସ୍ଥାନୀୟ ସଂକ୍ରମିତ