କଂଗ୍ରେସର ଅଭିଯୋଗ: ରୋଡ ଶୋ’ ବେଳେ ରାହୁଲଙ୍କ ଉପରେ ପଡିଥିଲା ୭ଥର ଲେଜର, କରାଯାଇଥିଲା ହତ୍ୟା ଯୋଜନା

ନୂଆଦିଲ୍ଲୀ,୧୧।୪: ଉତ୍ତର ପ୍ରଦେଶର ଆମେଥିରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ ଆଜି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ରାହୁଲଙ୍କ ଜୀବନ ପ୍ରତି ବିପଦ ରହିଛି। ଦଳର ୩ ଜଣ ବରିଷ୍ଠ କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କୁ ଏହାର ତଦନ୍ତ କରିବାକୁ କହିଛନ୍ତି। କଂଗ୍ରେସ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଚି। ଦଳ ପକ୍ଷରୁ କୁହାଯାଇଛି ରାହୁଲ ଗାନ୍ଧିଙ୍କ ସୁରକ୍ଷା ବୀବରଣୀ ସମ୍ପର୍କିତ ପ୍ରୋଟୋକଲକୁ କଡା ଭାବରେ ପାଳନ କରାଯିବା ଦରକାର। ଉତ୍ତର ପ୍ରଦେଶର ଆମେଠିରେ ରାହୁଲ ଗାନ୍ଧୀ ନାମାଙ୍କନପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ରୋଡ୍ ଶୋ’ କରିଥିଲେ। ରୋଡ୍ ଶୋ’ ସମୟରେ ରାହୁଲଙ୍କ ମୁଣ୍ଡ ଉପରେ ସବୁଜ ରଙ୍ଗର ଲେଜର ଲାଇଟ୍ ପଡ଼ିଥିଲା। ତାଙ୍କୁ ହୁଏତ ମାରିବାରକୁ ଏଭଳି ଟାର୍ଗେଟ କରାଯାଇ ପାରିଥାଏ।

ଏଭଳି ୭ଥର ରାହୁଲଙ୍କ ଉପରେ ଏହି ଲେଜର ପଡ଼ିଥିଲା। କେହି ତାଙ୍କୁ ସ୍ନାଇପର ବନ୍ଧୁକରେ ଆକ୍ରମଣ କରିବାକୁ ଯୋଜନା କରିଥାଇପାରନ୍ତି ବୋଲି ଦଳୀୟ ନେତା ସନ୍ଦେହ କରିଛନ୍ତି। ଏହା ସହ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଉଦାହରଣ ଦିଆଯାଇ ରାହୁଲଙ୍କ ସୁରକ୍ଷାରେ ତ୍ରୁଟିକୁ ଚିନ୍ତାର ବିଷୟ ବୋଲି କୁହାଯାଇଛି।
କଂଗ୍ରେସ ନେତା ଅହମ୍ମଦ ପଟେଲ, ଜୟରାମ ରମେଶ ଓ ରଣଦୀପ ସିଂହ ସୁରଜେଓ୍ବାଲାଭ୍କ ଦ୍ବାରା ଲିଖିତ ଏହି ଚିଠିରେ ଉଲ୍ଲେଖ କରାଯାଇଛି ରୋଡ୍ ଶୋ’ ସମୟରେ ରାହୁଲଙ୍କ ପାଇଁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରି ନ ଥିଲେ, ଯେଉଁଥିପାଇଁ ଏଭଳି ଘଟଣା ଘଟିଥିଲା । ରାଜ୍ୟ ସରକାର ଯଥଶୀଘ୍ର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି।