ଲାଟେରାଲ ଏଣ୍ଟ୍ରି: ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତ ହେବେ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ୯ ଦକ୍ଷ ବ୍ୟକ୍ତି

ନୂଆଦିଲ୍ଲୀ,୧୩।୪: ଦେଶରେ ପ୍ରଥମ ଥର ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୯ଜଣ ଦକ୍ଷ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତଙ୍କୁ ସରକାରୀ ସେବାରେ ଲାଟେରାଲ ଏଣ୍ଟ୍ରି ପକ୍ରିୟା ଜରିଆରେ ସିଧାସଳଖ ନିଯୁକ୍ତି କରାଯିବ। ଭିନ୍ନ ଭିନ୍ନ କ୍ଷେତ୍ରର ୯ଜଣ ଦକ୍ଷ ବିଶେଷଜ୍ଞଙ୍କୁ ଯୁଗ୍ମ ସଚିବ ପଦବୀରେ ନିଯୁକ୍ତ ଦିଆଯାଇଛି।ଏହି ବିଶେଷଜ୍ଞମାନେ ପ୍ରାଇଭେଟ ସେକ୍ଟରର ହୋଇଥିବା ବେଳେ ଦେଶରେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ବେଶ୍ ଧୂରନ୍ଦର ଭାବରେ ଜଣାଯାଆନ୍ତି। ସରକାରଙ୍କ ଏହି ମହତ୍ତ୍ବପୂର୍ଣ୍ଣ ନୀତି ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଦେବ ବୋଲି କୁହାଯାଉଛି। ଲାଟେରାଲ ଏଣ୍ଟ୍ରି ପକ୍ରିୟାରେ ପ୍ରଥମ ଥର ଏତେ ସଂଖ୍ୟାରେ ଘରୋଇ କ୍ଷେତ୍ରର ଦକ୍ଷ ବ୍ୟକ୍ତିଙ୍କୁ ସରକାରରେ ସାମିଲ କରାଯାଉଛି।
ଉଲ୍ଲେଖନୀୟ ଯେ ସରକାରରେ ଜଏଣ୍ଟ ସେକ୍ରେଟାରୀ ପଦବୀ ଖୁବ୍ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଏଥିପାଇଁ ସାଧାରଣତଃ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ଦ୍ୱାରା ପ୍ରଶାସନିକ ସେବା ପରୀକ୍ଷା ଯୋଗେ ଏବଂ କାର୍ଯ୍ୟ କ୍ଷେତ୍ରରେ ଅଧିକ ଦିନ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ଯୁଗ୍ମ ସଚିବ ପଦବୀରେ ନିଯୁକ୍ତି ଦିଆଯାଇଥାଏ। ତେବେ କାର୍ମିକ ମନ୍ତ୍ରାଳୟ ଦ୍ୱାରା ୨୦୧୮ରେ ଦିଆଯାଇଥିବା ବିଜ୍ଞାପନ ଅନୁଯାୟୀ ୬ ହଜାର ୭୭ ଜଣ ଏହି ପଦବୀ ପାଇଁ ଆବେଦନ କରିଥିଲେ। ପରେ ମନ୍ତ୍ରଣାଳୟ ଚଳିତ ବର୍ଷ କେନ୍ଦ୍ରୀୟ ଲୋକସେବା ଆୟୋଗକୁ ଚୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନାମ ତାଲିକା ପଠାଇଥିଲେ। ଶୁକ୍ରବାର ଦିନ କେନ୍ଦ୍ରୀୟ ଲୋକସେବା ଆୟୋଗ ଏହି ପଦବୀ ପାଇଁ ୯ଜଣଙ୍କ ନାଁ ସୁପାରିଶ କରିଥିଲେ। ୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଏହି ବ୍ୟକ୍ତିମାନଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେବାକୁ ଚୟନ କରାଯାଇଛି।ୟୁପିଏସସି ପକ୍ଷରୁ ଏହି ବିଶେଷଜ୍ଞଙ୍କ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି। ସେମାନେ ହେଲେ ସୁମନ ପ୍ରସାଦ ସିଂହ, ଭୂଷଣ କୁମାର, କୋକଲୀ ଘୋଷ, ଅମ୍ବର ଦୁବେ, ଅରୁଣ ଗୋଏଲ, ରାଜୀବ ସାକ୍ସେନା, ସୁଜିତ କୁମାର ବାଜପାୟୀ, ସୌରଭ ମିଶ୍ର ଓ ଦୀନେଶ ଦୟାନନ୍ଦ ଜଗଦଲେଙ୍କ ନାମ ସୁପାରିଶ କରାଯାଇଛି। ଏହି ବିଶେଷଜ୍ଞଙ୍କୁ କୃଷି, ବେସାମରିକ ଚଳାଚଳ, ଅର୍ଥ, ପରିବହନ ଓ ସିପିଂ ବିଭାଗ ପାଇଁ ଅନୁବନ୍ଧ ଆଧାରରେ ନିଯୁକ୍ତି ଦିଆଯିବାକୁ ସୁପାରିଶ କରାଯାଇଛି।