ଚିକିତ୍ସାରେ ଅର୍ଥ ବାଧକ : ସୌଭାଗ୍ୟବତୀ ପାଇଁ ପଥର ସହ ସଂଘର୍ଷ କରୁଛି ଲକ୍ଷ୍ମୀ

ନୀଳଗିରି,୮/୩ (ବ୍ରଜକିଶୋର ପାଣି) : ‘ଝିଅର ମୁଣ୍ଡ ଅସ୍ୱାଭାବିକ ଭାବେ ବୃଦ୍ଧି ହେଉଛି। ମୋ ପାଖରେ ସେତିକି ସମ୍ବଳ ନାହିଁ ଯେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମୋ ଝିଅକୁ ଭଲ କରିପାରିବି। ଏପଟେ ପରିବାରର ପେଟ ଚିନ୍ତା ବି ଘାରିଛି। କିନ୍ତୁ ଏଯାଏ ମୁଁ ଭାଙ୍ଗି ପଡିନି। ଯେମିତି ବି ହେଉ ସଞ୍ଚୟ କରିବାକୁ ପଡିବ। ଆଉ ମୋ ଝିଅ ନିଶ୍ଚୟ ଭଲ ହେବ। ସେଥିପାଇଁ ମୁଁ ହାତରେ ହାତୁଡି ଧରି ପଥର ସହ ସଂଘର୍ଷ କରୁଛି।’ ଅନ୍ତର୍ଜାତିକ ମହିଳା ଦିବସକୁ କେହି କେହି ଖୁସିରେ ଉଲ୍ଲାସରେ ପାଳନ କରୁଥିବାବେଳେ ଲଷ୍ମୀ କିନ୍ତୁ ଆଖି ଛଳ ଛଳ କରି ନିଜର ଦୁଃଖ ବଖାଣି ଚାଲିଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଦେଖିବାକୁ ମିଳିଛି।
ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମରେ ଉମାକାନ୍ତ ସିଂ ଓ ଲଷ୍ମୀ ବୈଦିକ ରୀତିରେ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରିଥିଲେ। ଝିଅଟିଏ ଜନ୍ମ ହେଲା । ନାଁ ମଧ୍ୟ ସୌଭାଗ୍ୟବତୀ ରଖିଲେ। ପରିବାର ଖୁସି କହିଲେ ନସରେ । ହେଲେ ଏହା ଖୁସି କ୍ଷଣ ସ୍ଥାୟୀ ପାଲଟିଥିଲା। ଝିଅର ଅସ୍ୱାଭାବିକ ଭାବେ ମୁଣ୍ଡ ବଢିଚାଲିଲା। କଟକ ବଡ଼ ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କଲେ। ଯାହା କିଛି ଅର୍ଥ ପେଟକୁ କାଟି ରଖିଥିଲେ ସବୁ ଝିଅର ଚିକିତ୍ସା ଖର୍ଚ୍ଚରେ ଚାଲିଗଲା। ଡାକ୍ତର କହିଲେ ଅପରେସନ ହେବ। ଏଥିପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଏହା ଶୁଣି ଉଭୟ ବାପା ମା ଙ୍କ ପାଦତଳୁ ମାଟି ଖସି ଯାଇଥିଲା।
ପୂର୍ବରୁ ଏଭଳି ଘଟଣାକୁ ନେଇ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ପ୍ରଶାସନିକ ଅଧିକାରୀ ଏହାକୁ ହାଲୁକା ଭାବେ ନେଇଛନ୍ତି। ଝିଅର କଷ୍ଟ ଆଉ ଲଷ୍ମୀ ଦେଖିନପାରି ଶେଷରେ ପଥର ପିଟି ଅର୍ଥ ଉପାର୍ଜନ କରିବାକୁ ଯାଇଥିଲେ। ମହିଳା ହୋଇ ଘରର ଏରୁଣ୍ଡି ବନ୍ଧ ଡେଇଁ ଦେଢବର୍ଷର ଝିଅକୁ ସାଙ୍ଗରେ ନେଇ ଏବେ ପଥର ସହ ସଂଗ୍ରାମ କରୁଛନ୍ତି। ହାତରେ ହାତୁଡି ଧରି ଉଦୁଉଦିଆ ଖରାରେ ସେ ଝାଳ ବୁହାଇ ଅର୍ଥ ସଞ୍ଚୟ କରୁଛନ୍ତି। ମହିଳା ହୋଇ କେବେ ପରିଶ୍ରମ କରିବାକୁ ପଛାଇ ନାହାନ୍ତି। ଏଭଳି ପରିବାର ପାଇଁ କେହି ସ୍ୱେଚ୍ଛାସେବୀ ସଂଗଠନ କିମ୍ବା ସହୃଦୟ ବ୍ୟକ୍ତିଙ୍କ ହାତ ବଢ଼ାଇବା ସହ ସରକାରଙ୍କ ଯୋଜନା ପହଁଚିଲେ ସୌଭାଗ୍ୟବତୀର ଭାଗ୍ୟ ଖୋଲିପାରିବ। ପ୍ରଶ୍ନ ଉଠେ ଜଣେ ମହିଳା ନିଜ ପିଲା ପାଇଁ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଆଜିର ବିଶ୍ୱ ମହିଳା ଦିବସ ଧୁମଧାମରେ ପାଳନ କରିବା କାହା ପାଇଁ ?